ଚାନ୍ଦିପୁର ଆଇଟିଆର୍‌କୁ ସମ୍ମାନଜନକ ସିଲିକନ୍‌ ଟ୍ରଫି

ନୂଆଦିଲ୍ଲୀରେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ ସମ୍ମାନ ସମାରୋହ

ବାଲେଶ୍ୱର: ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଏକୀକୃତ ପରୀକ୍ଷଣ ପରିସର (ଆଇଟିଆର)କୁ ୨୦୧୬ବର୍ଷ ପାଇଁ ଦେଶର ଶ୍ରେଷ୍ଠ ଗବେଷଣାଗାରର ପୁରସ୍କାର ମିଳିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବହୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିବା ଚାନ୍ଦିପୁରର ଆଇଟିଆରକୁ ସମ୍ମାନଜନକ ସିଲିକନ୍‌ ଟ୍ରଫି ପ୍ରଦାନ କରାଯାଇଛି। ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଡିଆରଡିଓ ସମ୍ମାନ ପ୍ରଦାନ ଉତ୍ସବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଇଟିଆରର ନିର୍ଦ୍ଦେଶକ ଡ. ବିନୟ କୁମାର ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସେହିପରି ୨୦୧୭ ମସିହା ପାଇଁ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରି ଆତ୍ମନିର୍ଭରଶୀଳତା ହାସଲ କରିଥିବାରୁ ଆଇଟିଆର ‘ଅଗି୍ନ ପୁରସ୍କାର’ ହାସଲ କରିଛି। ଲଗାତର ଦୁଇ ବର୍ଷ ପାଇଁ ଦୁଇ ଦୁଇଟି ଶ୍ରେଷ୍ଠ ପୁରସ୍କାର ହାସଲ କରି ଆଇଟିଆର୍‌ ଡିଆର୍‌ଡିଓ ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହି ଉତ୍ସବରେ ଡିଆର୍‌ଡିଓ ମୁଖ୍ୟ ଡ. ଖ୍ରୀଷ୍ଟୋଫର ସଭାପତିତ୍ୱ କରିଥିବାବେଳେ ଡିଜି(ଏରୋ) ଡ. ସିପି ରାମନାରାୟଣ, ଡିଜି(ମିସାଇଲ୍‌) ଡ. ଏସ୍‌ ସତୀଶ ରେଡ୍ଡି, ଡିଜି (ଏଚ୍‌ଆର୍‌) ହୀନା ଗୋଖଲେ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ୱଦେଶୀ ଜ୍ଞାନକୌଶଳ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ସେପଟେ ନୂଆଦିଲ୍ଲୀରୁ ଫୋନ ଯୋଗେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଆଇଟିଆର୍‌ ନିର୍ଦ୍ଦେଶକ ଡ. ଦାସ କହିଛନ୍ତି ଯେ ସିଲିକନ ଟ୍ରଫି ଏକ ବଡ଼ ପୁରସ୍କାର। ଦେଶର ୫୨ଟି ଗବେଷଣାଗାରକୁ ପଛରେ ପକାଇ ଚାନ୍ଦିପୁର ଏଭଳି ସଫଳତା ହାସଲ କରିଛି।

ସମ୍ବନ୍ଧିତ ଖବର