ବିପଦରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି: ଓଡ଼ିଶାରେ ‘ସ୍ଲିପର୍ ସେଲ୍’

ବାଲେଶ୍ୱର ଆସିଥିଲେ ୟୁପିର ହ୍ୟାଣ୍ଡଲର୍
ଧରାପଡ଼ିଲେ ୫, ଆହୁରି ଅଛନ୍ତି ୨ ଏଜେଣ୍ଟ
ଲଞ୍ଚପ୍ୟାଡ୍‌ରେ ଲୁଚାଇ ରଖୁଥିଲେ ମୋବାଇଲ୍!

କଟକ : ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର କର୍ମଚାରୀଙ୍କ ସିଧାସଳଖ ସମ୍ପର୍କ ନଥିଲା। ଉତ୍ତରପ୍ରଦେଶରୁ ହ୍ୟାଣ୍ଡଲର୍ ଏଥିରେ ମଧ୍ୟସ୍ଥତା କରୁଥିଲା। ଆଇଏସଆଇର ଏହି ମଧ୍ୟସ୍ଥି ମାଧ୍ୟମରେ କ୍ଷେପଣାସ୍ତ୍ର ଘାଟିର କର୍ମଚାରୀ ପାକିସ୍ତାନକୁ ‘ବ୍ରହ୍ମାସ୍ତ୍ର’ ସମ୍ପର୍କିତ ତଥ୍ୟ ବିକ୍ରି କରିଛନ୍ତି। ଉତ୍ତରପ୍ରଦେଶର ହ୍ୟାଣ୍ଡେଲର୍ ବାଲେଶ୍ବର ଦୁଇଥର ଆସିଥିବା କୁହାଯାଉଛି। ବାଲେଶ୍ବରରେ ଏହି ହ୍ୟାଣ୍ଡଲରଙ୍କୁ ‘ସ୍ଲିପର୍ ସେଲ୍‌’ର ସଦସ୍ୟ ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରା ସହିତ ପରିଚିତ କରାଇବାରେ ସହଯୋଗ କରିଥିବା କୁହାଯାଉଛି। ଆଇଏସଆଇର ଅତି ଗୋପନୀୟ ଏଜେଣ୍ଟ କୁହାଯାଉଥିବା ‘ସ୍ଲିପର୍ ସେଲ୍’ ହ୍ୟାଣ୍ଡଲରଙ୍କୁ ସ୍ଥାନୀୟ ଅଞ୍ଚଳରେ ସାଧାରଣତଃ ଏ ପ୍ରକାର ସହଯୋଗ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ଆଇଟିଆର୍‌ର ୫ ଜଣ କର୍ମଚାରୀ ଗିରଫ ହୋଇଥିବା ବେଳେ ଆହୁରି ୨ ଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଓଡ଼ିଶାରେ ‘ସ୍ଲିପର୍ ସେଲ୍’ ନିୟୋଜିତ କରିଛି। ପୂରା ଗୋପନୀୟ ଭାବେ ଏମାନେ ଓଡ଼ିଶାରେ ଲୁଚିଥିବା ବେଳେ ପାକିସ୍ତାନରୁ ଆସୁଥିବା ନିର୍ଦ୍ଦେଶକୁ ଭାରତରେ ଥିବା ହ୍ୟାଣ୍ଡଲର ମାଧ୍ୟମରେ କେବଳ କାର୍ଯ୍ୟକାରୀ କରୁଛନ୍ତି। ହ୍ୟାଣ୍ଡଲର ମୁଖ୍ୟତଃ ଉତ୍ତରପ୍ରଦେଶ ସମେତ ଦିଲ୍ଲୀ, ହାଇଦ୍ରାବାଦ, କେରଳ, ବିହାର, ପଶ୍ଚିମବଙ୍ଗରେ ଲୁଚି ରହିଛନ୍ତି। ‘ସ୍ଲିପର୍ ସେଲ୍’ ବାଲେଶ୍ବର ସମେତ କଟକ, କେନ୍ଦ୍ରାପଡ଼ା, ରାଉରକେଲାର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ମୁଖ୍ୟତଃ ସକ୍ରିୟ ଥିବା କୁହାଯାଉଛି। ଦେଶ ବାହାରୁ ବିଭିନ୍ନ ସମୟରେ ଆସୁଥିବା ଆତଙ୍କବାଦୀ ଗୋଷ୍ଠୀଙ୍କୁ ଏହି ‘ସ୍ଲିପର୍ ସେଲ୍’ ବାଇକ୍ ଓ ଚାରି ଚକିଆ ଗାଡ଼ି ଯୋଗାଇବାଠାରୁ ଆରମ୍ଭ କରି ଆଶ୍ରୟ ପାଇଁ ଭଡ଼ାଘର ଦେବା ସହିତ ବିଭିନ୍ନ ସ୍ଥାନର ମ୍ୟାପ୍ ଯୋଗାଇବା କାମରେ ନିୟୋଜିତ ହୋଇଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେଉଁ ଲୋକ ତାଙ୍କ ପାଇଁ ଏଜେଣ୍ଟ ଭାବେ କାମ କରିପାରିବ, ସେ ଚୟନ ଏହି ‘ସ୍ଲିପର୍ ସେଲ୍’ ହିଁ କରିଥାନ୍ତି। ଯେଭଳି ଚାନ୍ଦିପୁରରେ କରାଯାଇଛି। ଏନ୍‌ଆଇଏ ଏ ସଂକ୍ରାନ୍ତରେ ଓଡ଼ିଶା ପୁଲିସକୁ ବହୁପୂର୍ବରୁ ସତର୍କ କରାଇଥିବା କୁହାଯାଉଛି। ଓଡ଼ିଶାରେ ୫୦ରୁ ଅଧିକ ‘ସ୍ଲିପର୍ ସେଲ୍’ ଥିବା କୁହାଯାଉଛି। ବାଲେଶ୍ବର ଚାନ୍ଦିପୁର ଝାମ୍ପୁରାର ବସନ୍ତ ବେହେରା ସ୍ଲିପର୍ ସେଲଙ୍କ ମାଧ୍ୟମରେ ଉତ୍ତରପ୍ରଦେଶର ହ୍ୟାଣ୍ଡଲରଙ୍କ ସହିତ ପରିଚିତ ହୋଇଥିବା କୁହାଯାଉଛି। ହ୍ୟାଣ୍ଡଲରର ପରିଚୟ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଠାବ କରିନଥିବା ବେଳେ ହ୍ୟାଣ୍ଡଲର୍ ବାଲେଶ୍ବରକୁ ଗଲା ଦୁଇରୁ ତିନି ବର୍ଷ ଭିତରେ ଦୁଇଥର ଆସିଥିବା କୁହାଯାଉଛି। ହ୍ୟାଣ୍ଡଲର୍ ବାଲେଶ୍ବର ଆସି ବସନ୍ତ ସହିତ ସିଧା ସଳଖ କଥାବାର୍ତ୍ତା ବି ହୋଇଥିବା କୁହାଯାଉଛି। ବସନ୍ତ ମାଧ୍ୟମରେ ସେ ଅନ୍ୟ ସହଯୋଗୀଙ୍କୁ ଜାଲରେ ଫସାଇଥିଲା। କିନ୍ତୁ କ୍ଷେପଣାସ୍ତ୍ର ଘାଟିର ଗିରଫ କର୍ମଚାରୀମାନେ ଯେଉଁ ତଥ୍ୟ ହ୍ୟାଣ୍ଡଲରକୁ ଯୋଗାଉଥିଲେ ଉକ୍ତ ତଥ୍ୟ ପାକିସ୍ତାନକୁ ଯାଉଥିବା ସମ୍ପର୍କରେ ସେମାନେ ଆଦୌ ଅବଗତ ନଥିଲେ। ଉତ୍ତରପ୍ରଦେଶର ହ୍ୟାଣ୍ଡଲର୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ସିଧାସଳଖ ହ୍ବାଟସଆପରେ କଥାବାର୍ତ୍ତା ହେଉଥିଲେ। ଦିଲ୍ଲୀସ୍ଥିତି ଗୁଇନ୍ଦା ବିଭାଗର ପାକିସ୍ତାନ୍ ସେଲ୍ ଏହି କଲ୍ ଟ୍ରାକ୍ କରିବା ପରେ ଉତ୍ତରପ୍ରଦେଶର ଯେଉଁ ନମ୍ବରକୁ ଫୋନ୍ ଆସୁଥିଲା, ଉକ୍ତ ନମ୍ବରରୁ ବାଲେଶ୍ବର ଜିଲ୍ଲା ଚାନ୍ଦିପୁରକୁ ବି ଫୋନ୍ ଆସୁଥିବା ତଦନ୍ତରୁ ଜଣାପଡ଼ିଛି। ଚାନ୍ଦିପୁର ‌େକ୍ଷପଣାସ୍ତ୍ର ପରୀକ୍ଷା କେନ୍ଦ୍ରର କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଗ୍ରୀମ ଟଙ୍କା ଆସୁଥିଲା। କ୍ରାଇମବ୍ରାଞ୍ଚ ଏବେ ହ୍ବାଟସଆପ୍ ଚାଟ୍‌କୁ ଯାଞ୍ଚ କରୁଛି। ପାଖାପାଖି ଦୁଇରୁ ତିନି ବର୍ଷ ହେବ ଉତ୍ତରପ୍ରଦେଶର ହ୍ୟାଣ୍ଡଲର ବାଲେଶ୍ବରର ଏହି ଏଜେଣ୍ଟଙ୍କ ସମ୍ପର୍କରେ ଥିବା କୁହାଯାଉଛି।

୧୪ ତାରିଖରେ ବାଲେଶ୍ବର ଜିଲ୍ଲା ପୁଲିସ ଦ୍ବାରା ବସନ୍ତ ସମେତ ୪ ଜଣ ଗିରଫ ହୋଇଥିବା ଗୁରୁବାର ଦିନ କ୍ରାଇମବ୍ରାଞ୍ଚ ଏସଆଇଟି ଦ୍ବାରା ଆଇଟିଆର୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ଡ୍ରାଇଭର ସଚିନ କୁମାର ଗିରଫ ପରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଏନଆଇଏ ଆଜି ବାଲେଶ୍ବରରେ ପହଞ୍ଚି ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପଟେ ଏମାନେ ମୋବାଇଲ୍ ଫୋନ୍ ଆଇଟିଆର୍ ୩ ନମ୍ବର ଲଞ୍ଚ ପ୍ୟାଡରେ ଲୁଚାଇ ରଖୁଥିବା କୁହାଯାଉଛି। ଯଦିଓ େକ୍ଷପଣାସ୍ତ୍ର ଘାଟି ଭିତରକୁ ମୋବାଇଲ୍ ଫୋନ୍ ଯିବା ସମ୍ପୂର୍ଣ୍ଣ ନିଷେଧ, କିନ୍ତୁ ଏମାନେ ଆଇଟିଆର୍ ଭିତରେ ମୋବାଇଲ୍ ଫୋନ୍ ଲୁଚାଇ ରଖୁଥିଲେ। ଭିତରେ ପହଞ୍ଚିବା ପରେ ଉକ୍ତ ମୋବାଇଲ୍ ଏମାନେ ବ୍ୟବହାର କରି ଭାରତୀୟ ପ୍ରତିରକ୍ଷା ବିଭାଗର ବ୍ରହ୍ମାସ୍ତ୍ର କୁହାଯାଉଥିବା ଅତ୍ୟାଧୁନିକ ‌କ୍ଷେପଣାସ୍ତ୍ର ବ୍ରହ୍ମୋସ୍ ସମ୍ପର୍କିତ ଫଟୋ ଓ ଭିଡିଓ ହ୍ବାଟସଆପ୍ ଯୋଗେ ଉତ୍ତରପ୍ରଦେଶର ହ୍ୟାଣ୍ଡଲର ନିକଟକୁ ପଠାଇଥିବା ପୁଲିସ ବିଭାଗର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଅବସରପ୍ରାପ୍ତ ପୁଲିସ ଡିଜି ବିପିନ ମିଶ୍ରଙ୍କ କହିବା ଅନୁଯାୟୀ, ପାକିସ୍ତାନ ଓ ଚୀନ୍ ଏବେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଓ ଶ୍ରୀହରିକୋଟାରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ଟାର୍ଗେଟ୍ କରିଛନ୍ତି। ଏଠାରେ ଏଜେଣ୍ଟ ନିୟୋଜିତ କରି ସେମାନଙ୍କ ମାଧ୍ୟମରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ଉପଗ୍ରହ ସମ୍ପର୍କିତ ତଥ୍ୟ ଚୋରି କରି ନେଉଛନ୍ତି। ଚାନ୍ଦିପୁର କଥା ଯଦି ଦେଖାଯାଏ ତେବେ ଏଠାରେ ନିଜସ୍ବ ସୁରକ୍ଷା ସଂସ୍ଥା ନିୟୋଜିତ କରିବାର ଆବଶ୍ୟକତା ରହିଛି। ନଚେତ୍ ତଥ୍ୟ ଚୋରି ହେଲେ ସେ ସଂକ୍ରାନ୍ତ ଘଟଣାର ତଦନ୍ତ ସାଧାରଣ ପୁଲିସ କରିବା କଷ୍ଟକର ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର