ଚନ୍ଦନେଶ୍ବର ଓ କାମିନୀଙ୍କ ବିବାହ ସମ୍ପନ୍ନ

ଅଭିମାନରେ ଗର୍ଭଗୃହ କବାଟ ବନ୍ଦ କଲେ ପାର୍ବତୀ

ଭୋଗରାଇ/ଚନ୍ଦନେଶ୍ବର: ବିଶ୍ବ ପ୍ରସିଦ୍ଧ ଚନ୍ଦନେଶ୍ବର ଜିଉଙ୍କ ଚଡ଼କ ମେଳାର ମୁଖ୍ୟ ଆକର୍ଷଣ କାମିନୀ ବିବାହ ଆଜି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ରବିବାର ସକାଳେ ଭକ୍ତମାନେ ଭଟ୍ଟପୁର ସ୍ଥିତ କାମିନୀ ମନ୍ଦିରରେ ପହଞ୍ଚିବା ସହ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଚନ୍ଦନେଶ୍ବର ଓ କାମିନୀଙ୍କ ପ୍ରତିଭୂ ଚନ୍ଦନେଶ୍ବରଙ୍କ ଗର୍ଭଗୃହ ମଧ୍ୟକୁ ଅଣାଯାଇଥିଲା।

ବିବାହ ଉତ୍ସବରେ ପାଲିଙ୍କି ଭାବେ ଧ୍ବଜ ବାଉଁଶ ବା ପୋଡ଼ା ବାଉଁଶ ବ୍ୟବହାର କରାଯାଇଥିଲା। ଶୋଭାଯାତ୍ରା ସମୟରେ ଏହି ବାଉଁଶକୁ ଛୁଇଁବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ବିଶ୍ବାସ ରହିଛି ଏହି ଧ୍ବଜ ବାଉଁଶକୁ ସ୍ପର୍ଶକଲେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ସେହିପରି ଶୋଭାଯାତ୍ରା ବେଳେ ଶ୍ରଦ୍ଧାଳୁ ଚନ୍ଦନ, ରଙ୍ଗ, ଅବିର ଓ ଫୁଲମାଳ ପରସ୍ପର ମଧ୍ୟରେ ଦିଆନିଆ କରିଥିଲେ। ଶିବ-କାମିନୀଙ୍କ ଘଟଦ୍ବୟ ମନ୍ଦିର ସମ୍ମୁଖରେ ପହଞ୍ଚିବା ମାତ୍ରେ ଅଭିମାନରେ ପାର୍ବତୀ ଗର୍ଭଗୃହ କବାଟ ବନ୍ଦ କରି ଦେଇଥିଲେ। ଦେବଦେବ ମହାଦେବ ଯେତେ ଅନୁନୟ ବିନୟ ହୋଇଥିଲେ ବି ପାର୍ବତୀ ଜିଦରେ ଅଟଳ ରହିଥିଲେ। ତେବେ ବରଯାତ୍ରୀ ଭାବେ ଆସିଥିବା ସେବାୟତ ଓ ଭକ୍ତ ପାର୍ବତୀଙ୍କୁ ବୁଝାସୁଝା କରିବା ପରେ ଶେଷରେ ସେ ମନ୍ଦିରର କବାଟ ଖୋଲିଥିଲେ।

ଏହାପରେ ମନ୍ଦିର ଗର୍ଭଗୃହରେ ଚନ୍ଦନେଶ୍ବର ଓ କାମିନୀଙ୍କ ବିବାହ କାର୍ଯ୍ୟ ବୈଦିକ ରୀତିରେ ସମ୍ପନ୍ନ ହୋଇଥିଲା। ଶିବ ଧ୍ୱନିରେ ମନ୍ଦିର ପରିବେଶ ପ୍ରତିଧ୍ବନିତ ହେଉଥିଲା। ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ରାତିରେ ଚତୁର୍ଥ ଅର୍ଘ୍ୟ ପ୍ରଦାନ କରାଯାଇଛି। ଆସନ୍ତା ମଙ୍ଗଳବାର ଦ୍ଵିତୀୟ ଅର୍ଘ୍ୟରେ ନୀଳ ପୋଖରୀରୁ ଥମ୍ବିକାଠ ଉତ୍ତୋଳନ ସହିତ ମହାନୀଳପର୍ବ ଅନୁଷ୍ଠିତ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧିତ ଖବର