ଭାରତରେ ଦୃଶ୍ୟମାନ ହେବନି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ଭୁବନେଶ୍ବର : ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତକୁ ଦୃଶ୍ୟମାନ ହେବ ନାହିଁ। ୨୧ ତାରିଖରେ ଭାରତୀୟ ସମୟ ସକାଳ ୧୦ଟା ୧୧ ମିନିଟ୍‌ରୁ ପୂର୍ବାହ୍ନ ୧୧ଟା ୧୩ ମିନିଟ୍‌ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଦିନ ଥିବାରୁ ଏ ସମୟରେ ରକ୍ତବର୍ଣ୍ଣ ଧାରଣ କରିବାକୁ ଥିବା ଚନ୍ଦ୍ରଙ୍କ ଉପସ୍ଥିତି ଜଣାପଡ଼ିବ ନାହିଁ। ତେବେ ୨୦ ତାରିଖ ରାତି ଏବଂ ୨୧ ତାରିଖ ଭୋର୍‌ ସମୟରେ ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଗ୍ରିନ୍‌ ଲାଣ୍ଡ୍‌, ଇଂଲଣ୍ଡ, ଫ୍ରାନ୍ସ, ନର୍‌ୱେ, ସ୍ବେଡେନ୍‌, ପତୁର୍ଗାଲ ଓ ସ୍ପେନ୍‌ ଅଞ୍ଚଳକୁ ଦେଖାଯିବ। କିନ୍ତୁ ଏସିଆ ମହାଦେଶ, ଭାରତ ଓ ଓଡ଼ିଶାର କୌଣସି ସ୍ଥାନରେ ଏହା ଦୃଶ୍ୟମାନ ହେବ ନାହିଁ।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଖାଲି ଆଖିକୁ ଦେଖାଯାଉଥିବା ଚନ୍ଦ୍ରଗ୍ରହଣ ୨ ପ୍ରକାରର ହୋଇଥାଏ। ଆଂଶିକ ଓ ସମ୍ପୂର୍ଣ୍ଣ। ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପୂର୍ବରୁ ଓ ପରେ ଆମେ ଆଂଶିକ ଗ୍ରହଣ ଦେଖିଥାଉ। ଆସନ୍ତା ଜୁଲାଇ ୧୬ତାରିଖ ରାତି ଏବଂ ୧୭ତାରିଖ ଭୋର୍‌ ସମୟରେ ସଂଘଟିତ ହେବାକୁ ଥିବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖି ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର