ଭୁବନେଶ୍ବର : ଆସନ୍ତା ୧୭ ତାରିଖ ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ହେବ ବୋଲି ଜଣାପଡ଼ିଛି। ମଧ୍ୟରାତ୍ର ୧ଟା ୩୧ରୁ ଭୋର ୪ଟା ୨୯ ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା କାଳ ଏହି ଗ୍ରହଣ ଲାଗିବ। ଆକାଶ ଯଦି ମେଘମୁକ୍ତ ରହେ ତେବେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ। ରାତି ୩ଟାରେ ଚନ୍ଦ୍ର ସର୍ବାଧିକ ୬୫% ଆଚ୍ଛାଦିତ ହୋଇ ରହିବ।
ସୂଚନା ଅନୁସାରେ ଏହି ଚନ୍ଦ୍ରଗ୍ରହଣ ବିଶେଷ କରି ଭାରତ ସମେତ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ମହାଦେଶେର ଦୃଶ୍ୟମାନ ହେବ। ୧୭ ତାରିଖ ମଧ୍ୟରାତ୍ର ୧୨ଟା ୧୩ ମିନିଟ୍ରୁ ଆଂଶିକ ଗ୍ରହଣ ଆରମ୍ଭ ହେବ। ଏହି ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ମାତ୍ର ଏହାକୁ ଖାଲି ଆଖିରେ ଦେଖି ହେବନାହିଁ। ରାତ୍ରି ୧ଟା ୩୧ରୁ ଭୋର ୪ଟା ୨୯ ସମୟରେ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିହେବ।
ପଠାଣି ସାମନ୍ତ ପ୍ଲାନେଟୋରିୟମ୍ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହନ୍ତି, ଚନ୍ଦ୍ର ପୃଥିବୀ ଚାରିପଟେ ଓ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଥାନ୍ତି। ଏହି ଭଳି ବୁଲୁଥିବା ବେଳେ ଏହି ତିନିଟି ବେଳେବେଳେ ଏକ ସରଳ ରେଖାରେ ଆସିଯା’ନ୍ତି। ଏହି ସମୟରେ ହିଁ ଗ୍ରହଣ ବା ପରାଗ ସଂଘଟିତ ହୁଏ। ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ରହିଥାଏ। ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ଓ ଛାଇ ପଡ଼ିଥିବା ସ୍ଥାନରେ ଚନ୍ଦ୍ର ଦେଖିଯାଏ ନାହିଁ। ଯାହାକୁ ଚନ୍ଦ୍ର ଗ୍ରହଣ କୁହାଯାଏ। ପରାଗ ହେଉ ବା ଗ୍ରହଣ ଏହା ଏକ ସାଧାରଣ ମହାଜାଗତିକ ଘଟଣା। ଏହାର କୌଣସି ପ୍ରଭାବ ପୃଥିବୀ ଉପରେ କିମ୍ବା ଆମ ଉପରେ ପଡ଼େ ନାହିଁ। ଏଣୁ ଏହି ମହାଜାଗତିକ ଦୃଶ୍ୟକୁ ସମସ୍ତେ ଘରେ ବସି ଆକାଶକୁ ଦେଖି ଉପଭୋଗ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ବରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଓ ବୁର୍ଲାର ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍ ପକ୍ଷରୁ ଜନସାଧାରଣଙ୍କୁ ଏହି ଦୃଶ୍ୟ ଉପଭୋଗ କରିବାକୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ଚନ୍ଦ୍ରଗ୍ରହଣ ପାଇଁ ୧୬ତାରିଖ ଅପରାହ୍ଣ ୪ଟା ୩୧ ମିନିଟ୍ରୁ ୧୭ ତାରିଖ ଭୋର୍ ସାଢ଼େ ୪ଟା ପର୍ଯ୍ୟନ୍ତ (୧୨ ଘଣ୍ଟା) ପାକ ନିଷେଧ ରହିବ ଏବଂ ଏହି ସମୟରେ ଦେବନୀତି ମଧ୍ୟ ବନ୍ଦ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/chandragarhan-26-june_20180634358.jpg)