‘ପଦ୍ମଶ୍ରୀ’ କଥା ଶୁଣି ସ୍ମିତ ହାସ୍ୟ ଦେଲେ ଚନ୍ଦ୍ରଶେଖର ରଥ

ଭୁବନେଶ୍ୱର : ବୟସ ତାଙ୍କୁ ସେତେବେଳେ ଆଠ କି ଦଶ ବର୍ଷ। ବେଦି ପାଖରେ ଉଠିଥିବା ଅରାଏ ଘାସ ଉପରେ ଖଜୁରୀ ପଟି ବିଛେଇ ସେ ସାଙ୍ଗମାନଙ୍କ ସହ ବସି ବହୁ କଥା ବଖାଣୁଥାଆନ୍ତି। ସାଙ୍ଗମାନେ ବି ତାଙ୍କୁ ପରମ ବିଶ୍ୱାସ ଓ ଆଗ୍ରହରେ ଶୁଣୁଥାଆନ୍ତି। କିଛି ଦୂରରେ ଇନ୍ଦୁ ମାଉସୀ (ତାଙ୍କର ଜଣେ ମାଉସୀ ଲେଖାହେବେ)ବି ତାଙ୍କୁ କୌତୁହଳରେ ଶୁଣୁଥାଆନ୍ତି। ସେ ବସିବା ଜାଗାରୁ ଉଠି ଯାଇ ତାଙ୍କ ବୋଉକୁ ଡାକି ଆଣି ଦୂରରେ ଥାଇ କହିଲେ, ତୋ ପୁଅକୁ ଦେଖ୍‌। ସେ କେମିତି କଥା କହୁଛି ଶୁଣ। ତା ଆଖିକୁ ଚାହାଁ। ମୁଁ କାନିରେ ଗଣ୍ଠି ପକେଇ କହୁଛି, ସେ ଦିନେ ଲେଖକ ହେବ। କବି ହେବ। ଇନ୍ଦୁ ମାଉସୀଙ୍କ କଥା ଅକ୍ଷରେ ଅକ୍ଷରେ ସତ ହେଲା। ସେଦିନର ସେଇ ଖଜୁରୀ ପଟି ଉପରେ ବସି କଥା ବଖାଣୁଥିବା ପିଲାଟି ହେଉଛନ୍ତି ଓଡ଼ିଆ କଥା ସାହିତ୍ୟ ଜଗତର ସ୍ପର୍ଧିତ ଉଚ୍ଚାରଣ ଚନ୍ଦ୍ରଶେଖର ରଥ। ସାମଗ୍ରିକ ସାହିତ୍ୟ କୃତୀ ପାଇଁ ଶ୍ରୀ ରଥ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ଆମେ ତାଙ୍କୁ ଭେଟିବା ପରେ ତାଙ୍କ ପାଠାଗାରରୁ ସାଉଁଟିଥିଲୁ ସାରସ୍ୱତ ଯାତ୍ରାର ସାରାଂଶ।

ସାମୟିକ ଅସୁସ୍ଥତା ପାଇଁ ଚିକିତ୍ସାଧୀନ ଥିବା ବିଶିଷ୍ଟ ସ୍ରଷ୍ଟା ଶ୍ରୀ ରଥଙ୍କୁ ତାଙ୍କ ପୁଅ ଶଶିଭୂଷଣ ରଥ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବିଷୟ ଜଣାଇଥିଲେ। ୨୫ ତାରିଖ ରାତି ସାଢ଼େ ୮ଟାରୁ ୯ଟା ମଧ୍ୟରେ ଯେତେବେଳେ ପୁଅଠାରୁ ଏ ସମ୍ପର୍କରେ ଶୁଣିଲେ ଶ୍ରୀ ରଥ କେବଳ ସ୍ମିତ ହାସ୍ୟଟିଏ ଦେଇଥିଲେ। ସେବେଠୁ ଆଉ କୌଣସି ପ୍ରତିକ୍ରିୟା ନାହିଁ। ତାଙ୍କ ଭାବଗମ୍ଭୀର ଭାଷାରେ ସଂସ୍କୃତିର ପ୍ରତିଛବି ଏବଂ ଦର୍ଶନ ତତ୍ତ୍ୱ ପାଇଁ ସେ ଅନ୍ୟ ଲେଖକଙ୍କଠାରୁ ଏକଦମ ନିଆରା। ବୋଧେ ସେଇଥିପାଇଁ ସେ ଏକ ସାକ୍ଷାତକାରରେ କହିଥିଲେ, ସାହିତ୍ୟ ଆତ୍ମପ୍ରକାଶର ଏକ ମାଧ୍ୟମ। ପୁଣି ଏକଥା ବି କହିଥିଲେ, ଭଲ ଗଳ୍ପ ଗୋଟିଏ ଅଭୁଲା ଚିତ୍ର ପରି। ତାକୁ ବାରମ୍ବାର ପଢ଼ିବାକୁ ଇଚ୍ଛା ହୁଏ। କାରଣ ତାହା ଅନନ୍ୟ ସାଧାରଣ।
୧୯୨୯ ଅକ୍ଟୋବର ୧୭ ତାରିଖରେ ବଲାଙ୍ଗୀରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ରଥ ୮୯ ବର୍ଷରେ ପଦାର୍ପଣ କରିଛନ୍ତି। ଲଳିତ ନିବନ୍ଧ ସଂକଳନର ଅନନ୍ୟ ସ୍ରଷ୍ଟା ଭାବେ ପରିଚିତ ଶ୍ରୀ ରଥ ଅନେକ ବନ୍ୟାପରେ, ଅଶ୍ୱାରୋହୀର ଗଳ୍ପ, ସମ୍ରାଟ ଓ ଅନ୍ୟମାନେ, ଅନ୍ୟ ଏକ ସକାଳ, ସବୁଯାକ ସ୍ୱପ୍ନ, ବାଘ ସବାର, ଏତେ ପାଖରେ ସମୁଦ୍ର, ବିକ୍ରି ପାଇଁ ଫୁଲ ମାଳ, ସ୍ୱପ୍ନ ବାହକ, ଶିଖର ଲଂଘନ, ଚନ୍ଦ୍ରଶେଖର କଥା ସରିତ, ନାଗାନ୍ତକ ବିଦ୍ୟା, ସନ୍ଧିକାଳ, ଅନ୍ତିମା ଭଳି ଗଳ୍ପ ଲେଖିି ସାରସ୍ୱତ ଜଗତକୁ ସମୃଦ୍ଧ କରିଛନ୍ତି। ସେଇଭଳି ତୁମ ପାଇଁ ପକ୍ଷୀଗାନ, ଆଗକୁ ବନସ୍ତ, ମୋ ଘର ବହୁତ ଦୂର, ସୀମାନ୍ତ ସମୁଦ୍ର ଭଳି କବିତା ସାଙ୍ଗକୁ ନିବେଦିତ ପ୍ରବନ୍ଧ ‘ରଥ ସପ୍ତକ’ ଏବଂ ବହୁ ଅନୁବାଦ ସାହିତ୍ୟ ତାଙ୍କୁ ଅନନ୍ୟ କରିପାରିଛି।

ତେବେ ଖାଲି ଧଳା ଫର୍ଦରେ ଅକ୍ଷର ଲେପିବାରେ ସେ ନିମଗ୍ନ ରହିନାହାନ୍ତି। ବରଂ ତୁଳୀ ଧରି କେବେ ସୃଜନକୁ କାନ୍‌ଭାସ୍‌ରେ ଫୁଟାଇଛନ୍ତି ତ ପୁଣି କେବେ ଉଇ ହୁଙ୍କାର ମାଟି, ପଥର, ଖଡ଼ି ପଥରକୁ ଜୀବନ୍ୟାସ ଦେଇ ସେଥିରେ ଅନନ୍ୟ ସମ୍ଭାର ସୃଷ୍ଟି କରିଛନ୍ତି। ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବଡି ବିଲ୍‌ଡିଂ ପ୍ରତିଯୋଗିତାରେ ନିଜର କୃତୀତ୍ୱ ପ୍ରମାଣିତ କରି ଖ୍ୟାତି ଅର୍ଜନ କରିଛନ୍ତି।

ଅଧ୍ୟାପନା ଏବଂ ଶିକ୍ଷା ବିଭାଗର ଉପନିର୍ଦେଶକ ଭାବେ ଅବସର ନେବା ପରେ ‘ସନ୍‌ ଟାଇମ୍‌ସ’ର ସମ୍ପାଦନା ସହ ‘ସମ୍ବାଦ’ ସମ୍ପାଦକୀୟ ପୃଷ୍ଠା ପରିଚାଳନା କରି ଢେର୍‌ ସୁନାମ ଆଣି ଦେଇଛନ୍ତି। ଇଂରାଜୀ ସାହିତ୍ୟରେ ଗଭୀର ପ୍ରବେଶ ଥିଲେ ହେଁ ସେ କୁହନ୍ତି, ଇଂରାଜୀରେ କହିବା ଓ ଲେଖିବା ମୋର ବୃତ୍ତି। କିନ୍ତୁ ଓଡ଼ିଆରେ ଆତ୍ମପ୍ରକାଶ କରିବା ମୋର ସ୍ୱାଭାବିକ ଧର୍ମ। ସେ ଏକଥା ବି କୁହନ୍ତି, ସାହିତ୍ୟ ସର୍ଜନା ଏକ ସ୍ୱୟଂକ୍ରିୟ ଏବଂ ସ୍ୱୟଂସମ୍ପୂର୍ଣ୍ଣ ପ୍ରକ୍ରିୟା। ସେଥିରେ ଯେତିକି ପ୍ରତିବଦ୍ଧତା,ସେତିକି ଆନନ୍ଦ। କୌଣସି ଭାଷାରେ ଆତ୍ମପ୍ରକାଶ କରିବାକୁ ହେଲେ ସେ ଭାଷାର ଆତ୍ମାକୁ ସ୍ପର୍ଶ କରିବାକୁ ହୁଏ। ସେ ଭାଷାକୁ ବଞ୍ଚିବାକୁ ହୁଏ। ସେଇଥିପାଇଁ ସେ ବର୍ଣ୍ଣାଡ୍‌ ଶ’ଙ୍କ ଉକ୍ତିକୁ ଉଦାହରଣ ଦେଇ କହିଥିଲେ, ସାହିତ୍ୟ କେବଳ ମାତୃଭାଷାରେ ହିଁ ସୃଷ୍ଟି କରାଯାଇପାରେ।

ସମ୍ବନ୍ଧିତ ଖବର