ଚନ୍ଦ୍ରଶେଖର, ବିକ୍ରମ, ଭଗବାନ ବିଜେଡିକୁ ଯିବେ!

ସବୁଜ ସଙ୍କେତ ଦେଲେ କର୍ମୀ

ବ୍ରହ୍ମପୁର: ଗତ ୧୭ ତାରିଖରେ ଦିଲ୍ଲୀ ଏଆଇସିସି ମହାଧିବେଶନରେ ଯୋଗ ଦେବା ପୂର୍ବରୁ ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡାଙ୍କୁ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଆଇସିସି ସଭ୍ୟ ତାଲିକାରେ ସାମିଲ କରିଥିଲେ। ହେଲେ ଉଭୟ ଫେରିବା ପରେ ବିଜେଡିରେ ଯୋଗଦାନ ଚର୍ଚ୍ଚା ଜୋର ଧରିଥିଲା। ଆଉ ଆଜି ଉଭୟ ଏ ଚର୍ଚ୍ଚାକୁ ନୂଆ ଦିଗକୁ ଟାଣି ନେଇଛନ୍ତି। ବ୍ରହ୍ମପୁର ହିଲ୍‌ପାଟଣା ସତ୍ୟଭାମା କଲ୍ୟାଣ ମଣ୍ଡପରେ ଜନତା ଦରବାର ଡାକି ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତଙ୍କ ସହିତ ଉଭୟ ଚନ୍ଦ୍ରଶେଖର ଏବଂ ବିକ୍ରମ ଲୋକଙ୍କ ମତ ଲୋଡିଛନ୍ତି। ଯଦିଓ ଖୋଲାଖୋଲି କୌଣସି ଘୋଷଣା କରିନାହାନ୍ତି କିନ୍ତୁ ବୈଠକ ପରେ ନେତାମାନଙ୍କର ପ୍ରତିକ୍ରିୟା ସଙ୍କେତ ଦେଉଛି ଯେ ସେମାନେ ଖୁବ୍‌ ଶୀଘ୍ର ବିଜେଡିରେ ଯୋଗଦେବା ସମ୍ଭାବନା ଅଧିକ। ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଗସ୍ତରେ ଯାଉଥିବାରୁ ସେଠାରେ ଏହି ମିଶ୍ରଣ ସମାବେଶ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆଜି ବୈଠକରେ କଂଗ୍ରେସର ନିନ୍ଦାବାଦ କରାଯାଇଥିଲା। ବିକାଶ ପ୍ରସଙ୍ଗରେ ଆବଶ୍ୟକ ହେଲେ ଦଳ ଛାଡିବାକୁ ପ୍ରସ୍ତୁତ ବୋଲି ନେତାମାନେ ସୂଚାଇଥିଲେ। ଏକଥା ବି କହିଥିଲେ ଯେ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହମତି ବି ରହିଛି। ଯେଉଁ ଦଳରେ କ୍ଷମତା ଓ ବିକାଶ ଏକାସାଙ୍ଗରେ ସମ୍ଭବ, ସେହି ଦଳରେ ଯୋଗଦେବାରେ ଅସୁବିଧା ନାହିଁ ବୋଲି ଆଜି କଂଗ୍ରେସର ଏହି ନେତାମାନେ ସ୍ପଷ୍ଟ କରିଦେଇଛନ୍ତି।

ଆଜି ବୈଠକରେ ଚନ୍ଦ୍ରଶେଖର ସାହୁ ଯୁକ୍ତ ରଖିଥିଲେ, ‘ସମୁଦ୍ରରେ ଜୁଆର ଆସିଲେ ଯଦି ନ ନଇଁବ ତେବେ ଭସାଇ ନେବ। ବର୍ତ୍ତମାନ ସେ ସମୟ ଆସିଛି। କଂଗ୍ରେସରେ ରହି ଆଗକୁ କ୍ଷମତା ଓ ବିକାଶର ସ୍ୱପ୍ନ ଦେଖିବା ମୁର୍ଖାମୀ। ଏଣୁ ବିଜେପି କିମ୍ବା ବିଜେଡି, କେଉଁ ଦଳକୁ ଯିବେ ଏ ନେଇ ତାଙ୍କର ଅନେକ ଶୁଭେଚ୍ଛୁ, ସମର୍ଥକ ନିଜ ମତ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୨ରୁ ୩ ପ୍ରତିଶତ ବିଜେପିକୁ ଯିବାକୁ ପରାମର୍ଶ ଦେଇଥିବା ବେଳେ ସଂଖ୍ୟାଧିକ ସମର୍ଥକ ଚାହୁଁଛନ୍ତି ବିଜେଡିକୁ ଯାଆନ୍ତୁ।’ ବୈଠକରେ ଯୋଗ ଦେଇଥିବା ଶ୍ରୀ ସାହୁଙ୍କ ସମର୍ଥକଙ୍କ କହିବା କଥା ହେଲା ବିଜେଡିରେ ଯୋଗ ଦେବା କଥା ପକ୍କା ହୋଇସାରିଛି। ଅଧିକ ସମର୍ଥକଙ୍କୁ ନେଇ ଯେଭଳି ଶ୍ରୀ ସାହୁ ମିଶିବେ ସେ ଯୋଗାଡ଼ ଚାଲିଛି। ଆଜି ସକାଳ ୯ଟାରେ ଏହି ବୈଠକ ଡକାଯାଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ୩ ଜଣ କର୍ପୋରେଟର, କିଛି ପ୍ରାକ୍ତନ କର୍ପୋରେଟ୍‌ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ପ୍ରତିନିଧି, ଯୁବ କଂଗ୍ରେସ ନେତାଙ୍କ ସହ ୩ଶହରୁ ୪ଶହ ସମର୍ଥକ ଯୋଗ ଦେଇଥିଲେ। ଶ୍ରୀ ସାହୁ କହିଥିଲେ, ଦୀର୍ଘ ବର୍ଷ ଧରି ସେ କଂଗ୍ରେସରେ କାମ କରିଛନ୍ତି। ନିଜର ବାପା କି ବୁଢ଼ାବାପା କେହି ରାଜନୀତିରେ ନଥିଲେ ମଧ୍ୟ ବୃନ୍ଦାବନ ନାୟକଙ୍କ ପରାମର୍ଶରେ ସେ ରାଜନୀତିକୁ ଆସିଥିଲେ। ସାଧାରଣ କାଉନସିଲର୍‌ରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହେଲେ। ୧୯୯୫ରେ ବିଜୁ ପଟ୍ଟନାୟକ ତାଙ୍କୁ ଜନତା ଦଳରେ ମିଶିବା ପାଇଁ ଡାକିଥିଲେ ଓ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ କହିଥିଲେ। କିନ୍ତୁ ସେ ସମୟରେ ସେ କଂଗ୍ରେସ ଛାଡ଼ି ନଥିଲେ। ବର୍ତ୍ତମାନ କଂଗ୍ରେସର ସ୍ଥିତି ଏମିତି, ସମସ୍ୟା ଦୂର କରିବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଛନ୍ତି। ଗତ ୨୦୦୯ରୁ ଆଜି ଯାଏଁ ଲୋକଙ୍କ ସେବା କରିବାକୁ ଚେଷ୍ଟା କରି ବିଫଳ ହୋଇଛୁ। ଦଳ ପ୍ରତି ବିରକ୍ତି ଭାବ ଆସିଯାଇଛି। ଏବେ ଅଞ୍ଚଳର ବିକାଶ କରିବାକୁ ସୁଯୋଗ ମିଳିଛି। ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଆସୁଛନ୍ତି। ଆପଣମାନେ ବିକାଶ ପ୍ରସଙ୍ଗ ଆଧାରରେ ବିଜେଡି ଯିବାକୁ କହିଲେ ଯିବି, ଯଦି ବିକାଶ କଥା ପଛକୁ ରଖି କଂଗ୍ରେସରେ ରହିବାକୁ କହିବେ ରହିବି, ଆପଣମାନଙ୍କ ମତକୁ ସମ୍ମାନ ଦେବି। ଏ ଦୁଇଟି ବିକଳ୍ପ ମଧ୍ୟରୁ ଆପଣମାନେ କେଉଁଟିକୁ ଅଧିକ ଗୁରୁତ୍ୱ ଦେବେ ବୋଲି ସେ ଉପସ୍ଥିତ ସମର୍ଥକଙ୍କୁ ପଚାରିଥିଲେ। ବିକ୍ରିମ ପଣ୍ଡା ଓ ଭଗବାନ ଗନ୍ତାୟତ ମଧ୍ୟ ଅନୁରୂପ ମନ୍ତବ୍ୟ ରଖି ସମୟ ଓ ସୁଯୋଗ ହାତଛଡ଼ା ନକରିବାକୁ କହିଥିଲେ। ପରେ ଚନ୍ଦ୍ରଶେଖର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଲେ, ‘ଏ ବୈଠକରେ କେବଳ କଂଗ୍ରେସ ସମର୍ଥକ ନାହାନ୍ତି, ଦଳମତ ନିର୍ବିଶେଷରେ ଏଠାରେ ଆମର ଶୁଭେଚ୍ଛୁ ଉପସ୍ଥିତ ଅଛନ୍ତି। ସେମାନଙ୍କ ମତାମତ ନେବା ପରେ ଆସନ୍ତା ୩୧ରେ ପାରଳାଖେମୁଣ୍ଡିରେ ଓ ୨ରେ ପୁଣି ବ୍ରହ୍ମପୁରରେ ଏଭଳି ଶୁଭେଚ୍ଛୁ ଓ ସମର୍ଥକଙ୍କୁ ନେଇ ଆଲୋଚନା କରାଯିବ। ଅନ୍ତିମ ନିଷ୍ପତ୍ତି ଠିକଣା ସମୟରେ ଜଣାଇ ଦିଆଯିବ। ଗଞ୍ଜାମ ଜିଲ୍ଲାର କଂଗ୍ରେସ ଦଳର ଦୁଇ ପ୍ରଭାବଶାଳୀ ନେତା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ପିସିସି ଧାରଣ ସମ୍ପାଦକ ବିକ୍ରମ ପଣ୍ଡା ଦଳ ଛାଡ଼ିବା ନେଇ ଦୀର୍ଘ ତିନି ମାସ ତଳୁ ଆଲୋଚନା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର