କୋଣାର୍କ : ଚନ୍ଦ୍ରଭାଗା ବତୀଘର ପର୍ଯ୍ୟଟକଙ୍କୁ ଆମୋଦିତ ଓ ପ୍ରଫୁଲ୍ଲିତ କରିବା ଭଳି ଏକ ଉତ୍କୃଷ୍ଟ ସ୍ଥାନ ଭାବେ ବିବେଚିତ ହୋଇଥାଏ। ମାତ୍ର, ପ୍ରଚାର ପ୍ରସାର ଅଭାବରୁ ଏହି ବତୀଘରକୁ ପର୍ଯ୍ୟଟକଙ୍କ ଆଶାନୁରୂପ ଆଗମନ ହୋଇ ପାରୁ ନଥିବାର ପରିଲକ୍ଷିତ ହୋଇଛି।

Advertisment

କେନ୍ଦ୍ର ଜାହଜ ଚଳାଚଳ ମନ୍ତ୍ରାଳୟ ଅଧୀନରେ ଏହି ପ୍ରକଳ୍ପଟି କାର୍ଯ୍ୟ କରୁଛି। ଲାଇଟ୍‌ହାଉସ ଓ ଲାଇଟସିପ ବିଭାଗ କୋଲକତା ଅଧୀନରେ ପରିଚାଳିତ ହେଉଛି। ଏହି ବତୀଘର ଅର୍ଥାତ ଲାଇଟ୍‌ ହାଉସ୍‌ରେ ଶିଶୁଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଯିବା ପାଇଁ ଲିଫ୍ଟର ବ୍ୟବସ୍ଥା କରାଯାଇଛି। ଯାହାକି ଗତ ୨୦୨୦ ଜୁଲାଇ ୧ ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ପୁରୀରୁ କୋଣାର୍କ ଆସିବା ରାସ୍ତାରେ ଚନ୍ଦ୍ରଭାଗାସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଠାରୁ ମାତ୍ର କେଇ ମିଟର ଦୂରରେ ଏହି ବତୀଘର ରହିଛି। ସମୁଦ୍ର ପଥଦେଇ ଅନୁପ୍ରବେଶକାରୀଙ୍କ ଉପରେ ରୋକ୍‌ ଲଗାଇବା ଲାଗି ବତୀଘର ପରିସରରେ ଏକ ରାଡାର୍‌ ସେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି।

publive-image

ସମଗ୍ର ବତୀଘର ପରିସର ସିସି କ୍ୟାମେରା ନଜରରେ ଥିବା ସମୟରେ ସୌରଚାଳିତ ବିଦ୍ୟୁତ ବ୍ୟବସ୍ଥାରେ ବିଦ୍ୟୁତ ବିଭାଗ ଅଧୀନରେ ଏହି ପ୍ରକଳ୍ପଟି କାର୍ଯ୍ୟ କରୁଛି। ପର୍ଯ୍ୟଟକଙ୍କ ମନୋରଂଜନ ଓ ସନ୍ତୁଷ୍ଟି ପାଇଁ ବତୀଘର ପରିସରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଶିଶୁ ଉଦ୍ୟାନ ସହିତ ପ୍ରାକୃତିକ ପରିବେଶ ଘେରରେ ଥିବା ଏହି ବତୀଘରକୁ ଯେଉଁ ପର୍ଯ୍ୟଟକ ଥରେ ବୁଲିବାକୁ ଆସିଛନ୍ତି ‌ତାହା ତାଙ୍କ ପାଇଁ ଅଭୁଲା ହୋଇ ରହିଛି। କିନ୍ତୁ, ପ୍ରଚାର ପ୍ରସାର ଅଭାବରୁ କୋଣାର୍କ ପରିଦର୍ଶନରେ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଏହି ପ୍ରକଳ୍ପ ସଂପର୍କରେ ସୂଚନା ପାଇପାରୁ ନାହାନ୍ତି। ଫଳରେ, ପ୍ରତ୍ୟେହ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ହଜାର ହଜାର ପର୍ଯ୍ୟଟକ ଆସୁଥିବା ସମୟରେ ବାର୍ଷିକ ବତୀଘର ପରିଦର୍ଶନରେ ଦଶ ହଜାରରୁ କମ୍‌ ପର୍ଯ୍ୟଟକଙ୍କ ଆଗମନ ଘଟୁଛି।

ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଭାରତବର୍ଷରେ ଥିବା ବତୀଘର ଗୁଡ଼ିକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଯେଉଁ କେତାଟି ବତୀଘର ମନୋନୀତ ହୋଇଛି, ତାହା ମଧ୍ୟରେ ଚନ୍ଦ୍ରଭାଗା ବତୀଘର ଅନ୍ୟତମ। ଓଡ଼ିଶାର ୩ଟି ବତୀଘରକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିକାଶ କରାଯାଉଛି। ସେଗୁଡ଼ିକ ହେଲା ଗୋପାଳପୁର, ଫଲସ୍‌ପଏଣ୍ଟ ଓ ଚନ୍ଦ୍ରଭାଗା ବତୀଘର। ଚନ୍ଦ୍ରଭାଗା ବତୀଘର ପରିବେଶକୁ ମଧ୍ୟ ଆକର୍ଷଣୀୟ କରି ଗଢ଼ି ତୋଳିବାପାଇଁ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଜାରି ରହିଥିବାର ଦେଖିବାକୁ ମିଳିଛି। ବତୀଘରର ଉନ୍ନୟନ ପ୍ରକଳ୍ପରେ ସାମିଲ ଥିବା ଯୋଜନା ଗୁଡ଼ିକ ମଧ୍ୟରୁ ଚନ୍ଦ୍ରଭାଗା ବତୀଘର ପରିସରରେ ଶିଶୁ ଉଦ୍ୟାନ, ଉନ୍ନତମାନର ବଙ୍ଗଳା, ଲିଫ୍ଟ ବ୍ୟବସ୍ଥା, ସୌରଚାଳିତ ପ୍ରକ୍ରିୟା କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।