ଭୁବନେଶ୍ବର: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ର ଚନ୍ଦ୍ରଭାଗା ଏବଂ ବାଲେଶ୍ବରର ତାଳସାରି-ଉଦୟପୁର ବେଳାଭୂମିକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଯୋଜନାର ରୂପାୟନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିବା ସରକାର ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ପୀର ଜାହାନିଆ, ନୀଳାଦ୍ରି ଆଦି ପୁରୀ ଜିଲ୍ଲା ବେଳାଭୂମି ଏବଂ ଗଞ୍ଜାମ ଜିଲ୍ଲାର ହରିପୁର, ପତିସୋନପୁର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବେଳାଭୂମି ଭାବେ ବିକଶିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ପର୍ଯ୍ୟଟନକୁ ଅଗ୍ରାଧିକାର ଦେଇ ଏହାର ବିକାଶ ଦିଗରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ ହୋଇଛି। ଏହି କ୍ରମରେ ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ। ଏଥିପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ୍ରେ ଜଳକ୍ରୀଡ଼ା, ଆମୋଦ ପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ୍ ଟ୍ରାକ୍, ସମୁଦ୍ର କୂଳ କୂଳେ କାଠର ଚଲାପଥ, ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ଲାଗି ଖେଳିବା ଲାଗି ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯିବ। ସୂର୍ଯ୍ୟୋଦୟ ଦେଖିବା ପାଇଁ ମଞ୍ଚ, ଦୁଃସାହସିକ କ୍ରୀଡ଼ା ଆଦି ଅତ୍ୟାଧୁନିକ ସ୍ଥାନର ବିକାଶ କରାଯିବ। ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା, ବାଲି ସୁରକ୍ଷା ବ୍ୟବସ୍ଥା, ସୌର ଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ସରକାର ଉତ୍ସାହିତ କରିବେ। ଗୋଟିଏ ବର୍ଷ ଭିତରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ସେହିଭଳି ବାଲେଶ୍ବର ତାଳସାରି ବେଳାଭୂମିରେ ପର୍ଯ୍ୟଟକମାନେ କିଭଳି ଏକାଧିକ ଦିନ ରହି ବେଳାଭୂମି ସୌନ୍ଦର୍ଯ୍ୟ ଉପଭୋଗ କରିବେ ତା ଉପରେ ଗୁରୁତ୍ବ ଦିଆଯାଇଛି। ଏଠାରେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୨.୪ କିଲୋମିଟର ବେଳାଭୂମିକୁ ବିକଶିତ କରିବେ। ସେଠାରେ ତାରକା ହୋଟେଲ ଓ ବଜେଟ୍ ହୋଟେଲ ନିର୍ମାଣ ପାଇଁ ଉତ୍ସାହିତ କରାଯିବ। ବେଳାଭୂମି ସୌନ୍ଦର୍ଯ୍ୟ ଉପଭୋଗ କରିବା ଲାଗି ପର୍ଯ୍ୟଟକଙ୍କ ପାଇଁ ପାଭିଲିଅନ୍ ସହିତ ବର୍ଷା ଆଶ୍ରୟସ୍ଥଳ, କିଓସ୍କ, ଆମ୍ପି ଥିଏଟର୍ସ,ରେସ୍ତୋରାଁ ଆଦି ସୁବିଧା ଯୋଗାଇ ଦିଆଯିବ। ଏହାବ୍ୟତୀତ ପର୍ଯ୍ୟଟକଙ୍କୁ ଓଡ଼ିଶା କଳା ଓ ସଂସ୍କୃତି ସହିତ ପରିଚିତ କରିବା ପାଇଁ ଏକ ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ଲାଜା ମଧ୍ୟ ନିର୍ମାଣ ହେବ। ୨୦୨୧ ଅକ୍ଟୋବର ସୁଦ୍ଧା ଏସବୁ ଭିତ୍ତିଭୂମି କାର୍ଯ୍ୟ ଶେଷ କରିବା ଲାଗି ସରକାର ସମୟ ଧାର୍ଯ୍ୟ କରିଛନ୍ତି।
ସରକାର କହିଛନ୍ତି ଯେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ। ଲାଇଫ୍ ଗାର୍ଡ ମୁତୟନ ହେବେ। ମୁଖ୍ୟମନ୍ତ୍ରୀ ଏକଥା ବି ସ୍ପଷ୍ଟ କରିଛନ୍ତି ଯେ ନିର୍ଧାରିତ ସମୟ ସୀମା ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବା ଦରକାର। ଏଥିପାଇଁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦେବାକୁ ବିଭିନ୍ନ ବିଭାଗ, ସଂସ୍ଥା ଓ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ଷ୍ଟାଣ୍ଡାର୍ଡ ମିଳିଥିବାରୁ ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଇଥିଲେ।
ଆଜିର ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ମୋନା ଶର୍ମା, ପର୍ଯ୍ୟଟନ ବିଭାଗର ସଚିବ ବିଶାଳ ଦେବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଏବଂ ପୁରୀ ଓ ବାଲେଶ୍ବର ଜିଲ୍ଲାପାଳ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/zd65456h456afh4a65f4a56fhffa.jpg)
