ଭୁବନେଶ୍ୱର : ବିଶିଷ୍ଟ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ, ସ୍ତମ୍ଭକାର ଓ ଟିଭି ଉପସ୍ଥାପକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ଆଜି ରାତି ପ୍ରାୟ ୯ଟା ୩୦ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ୪ ବର୍ଷ ହେଲା ସେ ଅସୁସ୍ଥ ହୋଇ ବିଭିନ୍ନ ମେଡିକାଲ୍ରେ ଚିକିତ୍ସିତ ହେଉଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ଆଇସିୟୁ ଥିବା କୌଣସି ହସ୍ପିଟାଲ୍କୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ତାଙ୍କୁ ସହିଦନଗରସ୍ଥିତ ସ୍ପର୍ଶ ହସ୍ପିଟାଲ୍କୁ ନିଆଯାଉଥିଲା। ମାତ୍ର ମେଡିକାଲ୍ ନିଆଯାଉଥିବା ବାଟରେ ସେ ଅଚେତ ହୋଇ ପଡ଼ିଥିଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ପୁଷ୍ପଲତା ପଟ୍ଟନାୟକ, ପୁଅ ଚିତ୍ରଭାନୁ ଓ ଅନ୍ୟ ସଂପର୍କୀୟମାନେ ଉପସ୍ଥିତ ଥିଲେ। ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି।
ଏହି ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ସାମ୍ବାଦିକ, ସାହିତ୍ୟିକ ତାଙ୍କ ବାପୁଜୀନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ‘ସମ୍ବାଦ’ ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ର, ଅନଙ୍ଗ ଉଦୟ ସିଂହଦେଓ, ବିଧାୟକ ବିଜୟ ମହାନ୍ତି, ବରିଷ୍ଠ ସାମ୍ବାଦିକ କେ. ରବି, ‘ସମାଜ’ ସଂପାଦକ ବାମାପଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକପ୍ରକାଶ କରିଛନ୍ତି। ରାଜ୍ୟ ବିଜେଡି ସଂପାଦକ ବିଜୟ ନାୟକ ଶୋକ ପ୍ରକାଶ କରି କହିଛନ୍ତି ତାଙ୍କ ମୃତ୍ୟୁ ଓଡ଼ିଶା ସାମ୍ବାଦିକ ଜଗତରେ ଏକ ଅପୂରଣୀୟ କ୍ଷତି।
୧୯୫୮ରେ ଜନ୍ମ ହୋଇଥିବା ଚନ୍ଦ୍ରଭାନୁ ପଟ୍ଟନାୟକ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ଏମ୍ଏ ପାସ୍ କରିବା ପରେ ଭୁବନେଶ୍ୱରର ଏକାମ୍ର କଲେଜରେ କିଛି ବର୍ଷ ଅଧ୍ୟାପନା କରିଥିଲେ। ପରେ ‘ସମ୍ବାଦ’ରେ ତାଙ୍କର ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ। ଏହି ସମୟରେ ସେ ସମ୍ବାଦର ବ୍ୟୁରୋ ମୁଖ୍ୟ ଓ ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିବା ପରେ ୧୯୯୯ର ଶେଷ ଭାଗରେ ଅବ୍ୟାହତି ନେଇଥିଲେ। ଏହାପରେ ସେ ପାକ୍ଷିକ ନ୍ୟୁଜ୍ ପତ୍ରିକା ‘ଶତାବ୍ଦୀ’ ଆରମ୍ଭ କରିଥିଲେ। ସେ ଏହାର ପ୍ରତିଷ୍ଠାତା ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ପରବର୍ତୀ କାଳରେ ସେ ଦୈନିକ ଖବରକାଗଜ ‘ସମାଜ’ର କାର୍ଯ୍ୟନିର୍ବାହୀ ସଂପାଦକ ଓ ପରେ ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ସେହିପରି ସେ ଦୈନିକ ଖବରକାଗଜ ‘ସମୟ’ର ସଂପାଦକ ଓ ଏସ୍ଟିଭ୍ର ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ପରବର୍ତୀ ସମୟରେ ସେ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜ ପାଇ ସ୍ତମ୍ଭ ଲେଖୁଥିଲେ।