ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲେ ରାଇକିଆର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ

ଫୁଲବାଣୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ରାଇକିଆ ବ୍ଲକର ବିଅରପାଙ୍ଗା ଗାଁରେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହାପୂର୍ବରୁ ରାଇକିଆ ମହୋତ୍ସବ ପଡ଼ିଆରୁ ଶୋଭାଯାତ୍ରାରେ ସହିଦଙ୍କ ପାର୍ଥିବ ଶରୀରକୁ ଅଣାଯାଇଥିଲା। ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହି ଅବସରରେ ସେଠାରେ ମନ୍ତ୍ରୀ ଅରୁଣ ସାହୁ, ସାଂସଦ ଅଚ୍ୟୁତ ସାମନ୍ତ, ସ୍ଥାନୀୟ ବିଧାୟକ ସଲୁଗା ପ୍ରଧାନ,ଜିଲ୍ଲାପାଳ ଡାକ୍ତର ବୃନ୍ଦା ଡି, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।


ସୂଚନାଯୋଗ୍ୟ, ଗତକାଲି ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା। ସେନାର ଏକ ସ୍ୱତନ୍ତ୍ର ବିମାନରେ ଯବାନଙ୍କ ପାର୍ଥିବ ଶରୀର ଏଠାରେ ପହଞ୍ଚିଥିଲା। ବିମାନ ବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପୂର୍ବରୁ ଏଠାରେ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଥିଲା।
ସହିଦ ଯବାନଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଳ, ସ୍ଥଳ ଓ ବାୟୁସେନାବାହିନୀ, ପୁଲିସ ଓ ରାଜନେତା ପହଞ୍ଚିଥିଲେ । ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ। ସହିଦଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଏହା କନ୍ଧମାଳ ଓ ମୟୂରଭଞ୍ଜ ଅଭିମୁଖେ ଯିବ ଜନ୍ମମାଟିରେ ମରଶରୀର ପହଞ୍ଚିବା ପରେ ସହିଦ ଯବାନଙ୍କୁ ପରିବାର ଓ ବନ୍ଧୁବର୍ଗ, ଗ୍ରାମବାସୀ ତଥା ସ୍ଥାନୀୟ ଅଞ୍ଚଳର ଲୋକେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଗଲଓ୍ଵାନ ଉପତ୍ୟକାରେ ଚଳିତ ମାସ ୧୫ ଓ ୧୬ ତାରିଖ ରାତିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଓଡ଼ିଶାରୁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ (୨୮) ଓ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନୁ ସୋରେନଙ୍କ ପୁଅ ନନ୍ଦୁରାମ (୪୩) ସାମିଲ ଥିଲେ।

 

ସମ୍ବନ୍ଧିତ ଖବର