କୋରାପୁଟ, (ପତିତପାବନ ସାହୁ): ବୟସ ଗଡ଼ିଗଲେ ଅଲୋଡ଼ା ହୋଇଯାଏ ମଣିଷ। ଦେହରୁ ବଳ ଖସିଯାଏ। ଆଉ ଆଗ ଭଳି କାମଧନ୍ଦା ମିଳେନି। ଜିଇଁବା ବି କଠିନ ହୋଇପଡ଼େ। ଜୀବନର ଅପରାହ୍ନରେ ଏମିତି ଅସହାୟ ହୋଇ ଯାଇଥିବା ମହିଳାଙ୍କ ପାଇଁ ଏବେ ଆଶାର ଆଲୋକ ସାଜିଛନ୍ତି ଚନ୍ଦ୍ରମଣି ଜାନୀ। କୋରାପୁଟ ଜିଲ୍ଲା ବଡ଼କେରେଙ୍ଗା ପଞ୍ଚାୟତର ଏହି ପୂର୍ବତନ ସରପଞ୍ଚ ଏବେ ଜଣେ ସଫଳ ଛତୁଚାଷୀ ପାଲଟି ଯାଇଥିଲା ବେଳେ ବୟସ୍କା ମହିଳାଙ୍କୁ ମଧ୍ୟ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି। ଯେଉଁମାନେ ଆଉ କଠିନ କାମ କରିପାରିବେ ନାହିଁ, ସେମାନଙ୍କୁ ନେଇ ଆରମ୍ଭ କରିଛନ୍ତି ଛତୁଚାଷ। ଘରେ ବସି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଜୀବନଜୀବିକାର ରାସ୍ତା ଦେଖାଇଛନ୍ତି। ଆଗକୁ ଶହ ଶହ ବୟସ୍କା ମହିଳାଙ୍କୁ ତାଙ୍କ ଛତୁଚାଷରେ ସାମିଲ କରି ସେମାନଙ୍କ ଜୀବନ ଧାରଣର ମାନ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ଏହି ସଫଳ ମହିଳା।
କୋରାପୁଟ ଜିଲ୍ଲା ବଡ଼କେରେଙ୍ଗା ପଞ୍ଚାୟତରେ ସରପଞ୍ଚ ଥିଲେ ଚନ୍ଦ୍ରମଣି ଜାନୀ (୩୭ବର୍ଷ)। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ତାଙ୍କ ହାତରେ ଥିଲା ଏହି ପଞ୍ଚାୟତର ଡୋରି। ନିଜ ସରପଞ୍ଚ କାର୍ଯ୍ୟକାଳ ଭିତରେ ଲୋକଙ୍କ ସେବା କରିବା ତାଙ୍କର ପ୍ରଥମ କାମ ଥିଲାବେଳେ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିଥିଲେ। ଜଣେ ସମ୍ବେଦନଶୀଳ ଜନପ୍ରତିନିଧି ଭାବେ ସେ ସୁନାମ ଅର୍ଜନ କରିଥିଲେ। ଜଣେ ସଫଳ ସରପଞ୍ଚ ଭାବେ କେବଳ କୋରାପୁଟ ନୁହେଁ, ବରଂ ସାରା ରାଜ୍ୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଥିଲେ। ଶ୍ରେଷ୍ଠ ସରପଞ୍ଚ ଭାବେ ୨୦୧୩ରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଆଉ କାର୍ଯ୍ୟକାଳ ସରିବା ପରେ ଚୁପ ବସିନାହାନ୍ତି ଚନ୍ଦ୍ରମଣି। ବରଂ ଛତୁଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଜୀବନଜୀବିକା ଯୋଗାଇ ଚାଲିଛନ୍ତି।
ଦୁଇ ବର୍ଷ ତଳେ ସେ ନିଜ ଗାଁ ଚକରଲୀଗୁଡ଼ାରେ ଆରମ୍ଭ କରିଥିଲେ ଛତୁଚାଷ। ଘରେ ବସି ଏହି ଚାଷ କରିବା ସମ୍ଭବ ହେଉଥିବାରୁ ସେ ନିଜ ଘର ପଛପଟେ ଏହି ଚାଷ କରୁଛନ୍ତି। ଏଥିପାଇଁ ପାଖାପାଖି ୨୦-୩୦ ଜଣ ମହିଳା ତାଙ୍କୁ ସାହାଯ୍ୟ କରୁଛନ୍ତି। ଏମାନଙ୍କ ବୟସ ୫୦ ଉପରେ। ସମସ୍ତେ ମିଳିମିଶି ଏହି ଚାଷ କରୁଛନ୍ତି। କିଏ ନଡ଼ା କାଟି ଦେଉଛନ୍ତି ତ, କେହି ଛତୁ ତୋଳୁଛନ୍ତି। ବିହନ ପକାଇବା, ପାଣି ଦେବା ପରି ସହଜ କାମ କରୁଛନ୍ତି। ଏଥିରେ ଶାରୀରିକ ପରିଶ୍ରମ ଅଧିକ ନ ଥିବାରୁ ବୟସ୍କା ମହିଳାମାନେ ଆରାମରେ ଏହି କାମ କରୁଛନ୍ତି। ସପ୍ତାହକୁ ପାଖାପାଖି ୨୦କେଜି ଛତୁ ଅମଳ ହେଉଥିଲା ବେଳେ ନିଜ ଗାଁ ଓ ଆଖପାଖ ଅଂଚଳର ଲୋକେ ଏହି ଛତୁ କିଣୁଛନ୍ତି। ଆଗକୁ ଏହି ଚାଷକୁ ଅଧିକ ବଢ଼ାଇବା ପାଇଁ ସେ ଯୋଜନା କରିଛନ୍ତି। ବର୍ଷସାରା ଯେମିତି ଛତୁ ମିଳିବ ତାକୁ ଗୁରୁତ୍ବ ଦେଇଛନ୍ତି। ଗାଁର ଯେଉଁ ବୟସ୍କା ମହିଳାମାନେ କାମ କରିବାକୁ ବାହାରକୁ ଯାଇପାରୁନାହାନ୍ତି, ସେମାନଙ୍କୁ ନେଇ ଏହି ଚାଷ କରିବେ। ଛତୁର ଅଭାବକୁ ଦୂର କରି ପାରିବା ସହ ଗାଁର ମହିଳାଙ୍କ ଆର୍ଥକ ବିକାଶରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ଚନ୍ଦ୍ରମଣି। କେବଳ ଏତିକି ନୁହେଁ, କୁକୁଡ଼ା ଚାଷ ମଧ୍ୟ ସେ ଆରମ୍ଭ କରିଛନ୍ତି। ଏଥିରେ ମଧ୍ୟ ଗାଁର ମହିଳାଙ୍କୁ ସାମିଲ କରି ସେମାନଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି ଚନ୍ଦ୍ରମଣି।