ଉପାନ୍ତରେ ଆଶାର ଆଲୋକ ଚନ୍ଦ୍ରମଣି ଜାନୀ : ସାଜିଛନ୍ତି ବୟସ୍କାଙ୍କ ଆଶା‌ବାଡ଼ି, ଯୋଗାଇ ଦେଉଛନ୍ତି କର୍ମସଂସ୍ଥାନ

କୋରାପୁଟ : ବୟସ ଗଡ଼ିଗଲେ ଅଲୋଡ଼ା‌ ହୋଇଯା‌ଏ ମଣିଷ। ଦେହରୁ ବଳ ଖସିଯାଏ। ଆଉ ଆଗ ଭଳି କାମଧନ୍ଦା ମିଳେନି। ଜିଇଁବା ବି କଠିନ ହୋଇପଡ଼େ। ଜୀବନର ଅପରାହ୍ନରେ ଏମିତି ଅସହାୟ ‌ହୋଇ ଯାଇଥିବା ମହିଳାଙ୍କ ପାଇଁ ଏବେ ଆଶାର ଆଲୋକ ସାଜିଛନ୍ତି ଚନ୍ଦ୍ରମଣି ଜାନୀ। କୋରାପୁଟ ଜିଲ୍ଲା ବଡ଼ କେରେଙ୍ଗା ପଞ୍ଚାୟତର ଏହି ପୂର୍ବତନ ସରପଞ୍ଚ ଏବେ ଜଣେ ସଫଳ ଛତୁଚାଷୀ ପାଲଟି ଯାଇଥିଲା ବେଳେ ବୟସ୍କା ମହିଳାଙ୍କୁ ମଧ୍ୟ କର୍ମସଂସ୍ଥାନ ଯୋଗାଇ ଦେଇଛନ୍ତି। ଯେଉଁମାନେ ଆଉ କଠିନ କାମ କରିପାରିବେ ନାହିଁ, ସେମାନଙ୍କୁ ନେଇ ଆରମ୍ଭ କରିଛନ୍ତି ଛତୁଚାଷ। ଘରେ ବସି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଜୀବନଜୀବିକାର ରାସ୍ତା ଦେଖାଇଛନ୍ତି। ଆଗକୁ ଶହ ଶହ ବୟସ୍କା ମହିଳାଙ୍କୁ ତାଙ୍କ ଛତୁଚାଷରେ ସାମିଲ କରି ସେମାନଙ୍କ ଜୀବନ ଧାରଣର ମାନ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଯୁବ ନାରୀନେତ୍ରୀ।

କୋରାପୁଟ ଜିଲ୍ଲା ବଡ଼କେରେଙ୍ଗା ପଞ୍ଚାୟତରେ ସରପଞ୍ଚ ଥିଲେ ଚନ୍ଦ୍ରମଣି ଜାନୀ (୩୫ବର୍ଷ)। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ‌ତାଙ୍କ ହାତରେ ଥିଲା ଏହି ପଞ୍ଚାୟତର ଡୋରି। ନିଜ ସରପଞ୍ଚ କାର୍ଯ୍ୟକାଳ ଭିତରେ ଲୋକଙ୍କ ସେବା କରିବା ତାଙ୍କର ପ୍ରଥମ କାମ ଥିଲା। ତେଣୁ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିଥିଲେ। ଜଣେ ଦରଦୀ ମଣିଷ ତଥା ସମ୍ବେଦନଶୀଳ ଜନପ୍ରତିନିଧି ଭାବେ ସେ ସୁନାମ ଅର୍ଜନ କରିଥିଲେ। ଜଣେ ସଫଳ ସରପଞ୍ଚ ଭାବେ ସେ କେବଳ କୋରାପୁଟ ନୁହେଁ, ବରଂ ସାରା ରାଜ୍ୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଥିଲେ। ଶ୍ରେଷ୍ଠ ସରପଞ୍ଚ ଭାବେ ୨୦୧୩ରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଆଉ ସରପଞ୍ଚ କାର୍ଯ୍ୟକାଳ ସରିବା ପରେ ଚୁପ ବସିନାହାନ୍ତି ଚନ୍ଦ୍ରମଣି। ବରଂ ଛତୁଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଜୀବନଜୀବିକା ଯୋଗାଇ ଚାଲିଛନ୍ତି। ଗତବର୍ଷଠାରୁ ସେ ନିଜ ଗାଁ ଚକରଲୀଗୁଡାରେ ଆରମ୍ଭ କରିଥିଲେ ଏହି ଛତୁଚାଷ। ଘରେ ବସି ଏହି ଚାଷ କରିବା ସମ୍ଭବ ହେଉଥିବାରୁ ନିଜ ଘର ପଛପଟେ ଚାଷ କରୁଛନ୍ତି। ଏଥିପାଇଁ ପାଖାପାଖି ୮-୧୦ ଜଣ ମହିଳା ତାଙ୍କୁ ସାହାଯ୍ୟ କରୁଛନ୍ତି। ‌ଏମାନଙ୍କ ବୟସ ୫୦ ଉପରେ। ସମସ୍ତେ ମିଳିମିଶି ଏହି ଚାଷ କରୁଛନ୍ତି। କିଏ ନଡ଼ା କାଟି ଦେଉଛନ୍ତି ତ କେହି ଛତୁ ତୋଳୁଛନ୍ତି। ବିହନ ପକାଇବା, ପାଣି ଦେବା ପରି ସହଜ କାମ କରୁଛନ୍ତି। ଏଥିରେ ଶାରୀରିକ ପରିଶ୍ରମ ଅଧିକ ନ ଥିବାରୁ ବୟସ୍କା ମହିଳାମାନେ ଆରାମରେ ଏହି କାମ କରୁଛନ୍ତି। ଗତ ସପ୍ତାହରେ ପାଖାପାଖି ୧୫ କେଜି ଛତୁ ଅମଳ ହୋଇଥିଲା। ଏବେ ମଧ୍ୟ ଅମଳ ଚାଲୁଛି। ନିଜ ଗାଁ ଓ ଆଖପାଖ ଅଂଚଳର ଲୋକେ ଏହି ଛତୁ କିଣୁଛନ୍ତି। ଆଗକୁ ଏହି ଚାଷକୁ ଅଧିକ ବଢ଼ାଇବା ପାଇଁ ସେ ଯୋଜନା କରିଛନ୍ତି। ବର୍ଷସାରା ଯେମିତି ଛତୁ ମିଳିବ ତାକୁ ଗୁରୁତ୍ବ ଦେଇଛନ୍ତି। ଗାଁର ଯେଉଁ ବୟସ୍କା ମହିଳାମାନେ କାମ କରିବାକୁ ବାହାରକୁ ଯାଇ ପାରୁ ନ‌ାହାନ୍ତି, ସେମାନଙ୍କୁ ନେଇ ଏହି ଚାଷ କରିବେ। ଏହା ଛତୁର ଅଭାବକୁ ଦୂର କରି ପାରିବା ସହ ଗାଁର ମହିଳାମାନଙ୍କ ଆର୍ଥକ ବିକାଶରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ଚନ୍ଦ୍ରମଣି।

ଏଥିନେଇ ସେ କହିଛନ୍ତି ଯେ, ସରପଞ୍ଚ ଥିଲା ବେଳେ ଲୋକମାନଙ୍କ ପାଇଁ କାମ କରୁଥିଲି। କାର୍ଯ୍ୟକାଳ ସରିବା ପରେ ଅଂଚଳର ମହିଳାମାନଙ୍କ ପାଇଁ କିଛି କରିବାକୁ ଚିନ୍ତା କରି ଏହି ଛତୁଚାଷ କରୁଛି। ଯେଉଁ ମହିଳାମାନେ ବୟସ ହୋଇଯିବା ପରେ ଆଉ ବାହାରକୁ କାମ କରିବାକୁ ଯାଇ ପାରୁନାହାନ୍ତି ସେମ‌ାନଙ୍କୁ ନେଇ ଏହି ଚାଷ ଚାଲିଛି। କଠିନ କାମ ହୋଇ ନ ଥିବାରୁ ସେମାନେ ବି ଖୁସିରେ ଏହି ଚାଷ କାମ କରୁଛନ୍ତି। ଏହା ତାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିପାରିବ। ଆଗକୁ ଏହି ଚାଷକୁ ଅଧିକ ବଢ଼ାଇ ଶତାଧିକ ମହିଳାଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

ଆଜିର ଦୁନିଆରେ ନିଜ ପାଇଁ ଚିନ୍ତା କରୁ କରୁ ଲୋକଙ୍କ ସମୟ ସରି ଯାଉଥିଲା ବେଳେ ଚନ୍ଦ୍ରମଣିଙ୍କ ଏମିତି ନିଆରା ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ତାଙ୍କ ପ୍ରୟାସରେ ଦିନକୁ ଦିନ ଅଧିକ ମହିଳା ଯୋଡ଼ି ହେଉଥିଲା ବେଳେ ଚନ୍ଦ୍ରମଣିଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କୋରାପୁଟ ପରି ଉପାନ୍ତ ଅଂଚଳରେ ମହିଳାଙ୍କ ପାଇଁ ଚନ୍ଦ୍ରମଣି ଆଶାର ଆଲୋକ ସାଜିଥିଲା ବେଳେ ଏହା ଚାଷ ପ୍ରତି ଲୋକଙ୍କୁ ଆକୃଷ୍ଟ କରୁଛି। ଘରେ ବସି ସ୍ବାବଲମ୍ବୀ ହେବାର ରାସ୍ତାରେ ମହିଳାମାନେ ସାମିଲ ହେଉଥିବାରୁ ଆଗକୁ ଛତୁର ଅଭାବକୁ ଦୂର କରିବାରେ ଏହା ସଫଳ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର