ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। କୌଣସି ଏକ ମାମଲାରେ ତହସିଲଦାର ଶ୍ରୀ ନାୟକ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରି ତାଙ୍କ ସରକାରୀ ଗାଡ଼ିରେ ରାୟଗଡ଼ା ଆସୁଥିଲା ବେଳେ ଗାଡ଼ି ଅଟକାଇବାକୁ ଚେଷ୍ଟାକରିଥିଲା ଭିଜିଲାନ୍ସ ଟିମ୍। ତେବେ ତହସିଲଦାରଙ୍କ ଗାଡ଼ି ଭିଜିଲାନ୍ସ ଟିମ୍ ଉପରକୁ ଚଢ଼ାଇବାକୁ ଉଦ୍ୟମ କରି ରାୟଗଡ଼ା ଅଭିମୁଖେ ଚାଲିଯାଇଥିଲା। ଶେଷରେ ଭିଜିଲାନ୍ସ ଟିମ୍ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଶୌଚାଳୟରୁ ତହସିଲଦାର ଶ୍ରୀ ନାୟକଙ୍କୁ ଗିରଫ କରିଛି।
ଶ୍ରୀ ନାୟକ କୌଣସି ଏକ ମାମଲାରେ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରି ତାଙ୍କ ସରକାରୀ ଗାଡ଼ିରେ ରାୟଗଡ଼ା ରାଜସ୍ବ ବୈଠକରେ ଯୋଗଦେବା ପାଇଁ ଆସୁଥିବା ନେଇ କୌଣସି ସୂତ୍ରରେ ଖବର ପାଇଥିଲା ଭିଜିଲାନ୍ସ ବିଭାଗ। ଏହାପରେ ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରାଙ୍କ ନେତୃତ୍ବରେ ଭିଜିଲାନ୍ସ ଟିମ୍ ଡାଙ୍ଗସୋରଡ଼ା ନିକଟରେ ଅପେକ୍ଷା କରିଥିଲେ। ତହସିଲଦାରଙ୍କ ଗାଡ଼ି ଆସିବା ପରେ ଭିଜିଲାନ୍ସ ଟିମ୍ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତହସିଲଦାରଙ୍କ ଗାଡ଼ି ଭିଜିଲାନ୍ସ ଟିମ୍ ଉପରକୁ ଚଢ଼ାଇଦେବାକୁ ଉଦ୍ୟମ ହୋଇଥିଲା। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଥିବା ଭିଜିଲାନ୍ସ ଇନ୍ସପେକ୍ଟର ପ୍ରକାଶ କରିଛନ୍ତି।
ଭିଜିଲାନ୍ସ ଟିମ୍ ତହସିଲଦାରଙ୍କ ଗାଡ଼ିକୁ ପିଛା କରିବା ସମୟରେ ତହସିଲଦାର ଟଙ୍କା ବ୍ୟାଗ୍ ଡାଙ୍ଗସୋରଡ଼ା ନିକଟରେ ରାସ୍ତାରେ ଫୋପାଡ଼ି ଦେଇ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜସ୍ବ ବୈଠକରେ ଯୋଗଦେଇଥିଲେ। ଭିଜିଲାନ୍ସ ଟିମ୍ ଫୋପାଡ଼ା ଯାଇଥିବା ଉକ୍ତ ଟଙ୍କା ଜବତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଭିଜିଲାନ୍ସ ଟିମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାହାରେ ଅପେକ୍ଷା କରିଥିବା ଖବର ପାଇ ତହସିଲଦାର ବୈଠକ ସରିଲା ପରେ ମଧ୍ୟ ବାହାରକୁ ଆସିନଥିଲେ। ଶେଷରେ ଭିଜିଲାନ୍ସ ଟିମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ତହସିଲଦାର ଶ୍ରୀ ନାୟକଙ୍କୁ ଶୌଚାଳୟରୁ ଗିରଫ କରି ଆଣିଥିଲେ। ତଦନ୍ତ ପରେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଇନ୍ସପେକ୍ଟର ତରୁଲତା ବେହେରା ପ୍ରକାଶ କରିଛନ୍ତି।