ଭୁବନେଶ୍ବର: ଜଣାଶୁଣା ସାହିତ୍ୟିକ ତଥା ଓଡ଼ିଶା ପୁଲିସ ସେବାର ବରିଷ୍ଠ ଅଧିକାରୀ ଡ. ଚନ୍ଦ୍ରଶେଖର ହୋତା ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଡ. ହୋତାଙ୍କୁ ସରକାର ସଙ୍ଗୀତ ନାଟକ ଏକାଡେମୀ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ୨୦୨୩ ଜୁଲାଇରୁ ସାହିତ୍ୟ ଏକାଡେମୀରେ ସ୍ଥାୟୀ ସଚିବ ନିଯୁକ୍ତି ହୋଇନଥିଲା। ତତ୍‌କାଳୀନ ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତଙ୍କ ପରଲୋକ ପରେ ସରକାରୀ ଅଧିକାରୀ ଅତିରିକ୍ତ ଦାୟିତ୍ବରେ ରହିଥିଲେ। ସେହିପରି ୨୦୨୪ ମେ’ ମାସରୁ ଏକାଡେମୀର ସଭାପତି ଓ ଉପସଭାପତିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ନୂଆ ସରକାର ଗଠନ ପରେ ଏକାଡେମୀ ପଦବି ପୂରଣ ପାଇଁ ବାରମ୍ବାର ଦାବି ହେଉଥିଲେ ବି ସରକାର ସମୟ ଗଡ଼ାଇ ଚାଲିଥିଲେ। ଆଜି ସାହିତ୍ୟ ଏକାଡେମୀ ସଚିବ ପଦବିରେ ନିଯୁକ୍ତି ଦେଇ ସରକାର ଏକାଡେମୀ ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। 

Advertisment

 ସଙ୍ଗୀତ ନାଟକ ଏକାଡେମୀ ସଚିବ ଭାବେ ଅତିରିକ୍ତ ଦାୟିତ୍ବ
ଭାଷା ସାହିତ୍ୟକୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିବି: ଚନ୍ଦ୍ରଶେଖର

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ପ୍ରବୋଧ ରଥ ୨୦୨୪ ସେପ୍ଟେମ୍ବରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପଦ ଛାଡ଼ିଥିଲେ। ଏହାପରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲଙ୍କୁ ଏକାଡେମୀ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଶ୍ରୀମତୀ ମଲ୍ଲ ଆସନ୍ତା ୨୮ରେ ଚାକିରିରୁ ଅବସର ନେବେ। ସେହି ଦିନଠାରୁ ଶ୍ରୀ ହୋତା ସଙ୍ଗୀତ ନାଟକ ଏକାଡେମୀ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସଙ୍ଗୀତ ନାଟକ ଏକାଡେମୀରେ ମଧ୍ୟ ୨୦୨୪ ମେ ୨୧ରୁ ସଭାପତି ଓ ଉପସଭାପତି ପଦବି ଖାଲି ପଡ଼ିଛି। ସେହିପରି ଲଲିତକଳା ଏକାଡେମୀ ଉର୍ଦ୍ଦୁ ଏକାଡେମୀରେ ଖାଲିପଡ଼ିଥିବା ଗୁରୁତ୍ବପୂର୍ଣ୍ଣ ପଦବି କେବେ ପୂରଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ନିଯୁକ୍ତି ପରେ ଡ. ହୋତା କହିଛନ୍ତି, ଓଡ଼ିଶା ସରକାର ଯେଉଁ ଗୁରୁଦାୟିତ୍ବ ଦେଇଛନ୍ତି ତାହାକୁ ଆନ୍ତରିକତାର ସହ ପାଳନ କରିବି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକାଡେମୀ କିପରି କାର୍ଯ୍ୟ କରିବ ସେଦିଗରେ ଦୃଷ୍ଟି ଦେବି। ବିଶେଷକରି ଓଡ଼ିଆ ଭାଷା ଓ ସାହିତ୍ୟକୁ ଜନାଭିମୁଖୀ ତଥା ସାଧାରଣ ଲୋକଙ୍କ ପାଖରେ ପହଞ୍ଚ‌ାଯିବ। ପୂଜ୍ୟପୂଜାକୁ ଗୁରୁତ୍ବ ମିଳିବ। ଉପେକ୍ଷିତ ନାୟକ ନାୟିକାଙ୍କୁ ପୁଣି ଥରେ ଲୋକଙ୍କ ସମ୍ମୁଖକୁ ଅଣାଯିବ।