ନୟାଗଡ଼: ଇଟାମାଟି ଥାନା ଅଧୀନ ବଡ଼ପଣ୍ଡୁସରର ପ୍ରସିଦ୍ଧ ଉଗ୍ରେଶ୍ବର ମହାଦେବ ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ପିତ୍ତଳରେ ନିର୍ମିତ ମନ୍ଦିରର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଓ ପାର୍ବତୀଙ୍କ ସହ ପଞ୍ଚମୁଖୀ ଶିବ ମୂର୍ତ୍ତି ଚୋରି କରି ନେଇଛନ୍ତି। ଚନ୍ଦ୍ରଶେଖର ଓ ପାର୍ବତୀଙ୍କ ମୂର୍ତ୍ତିର ଓଜନ ପ୍ରାୟ ୨୫ କିଲୋ ଏବଂ ପଞ୍ଚମୁଖୀ ଶିବ ମୂର୍ତ୍ତିର ଓଜନ ୩୦ କିଲୋ ହେବ ବୋଲି ଜଣାପଡ଼ିଛି। ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମନ୍ଦିରରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ସିସିଟିଭି ମଧ୍ୟ ଲଗାଯାଇ ନାହିଁ। ଫଳରେ ପୁଲିସ ତଦନ୍ତରେ ସମସ୍ୟା ସୃଷ୍ଟି ହୋଇଛି। ତଥାପି ଗାଁରେ ଲାଗିଥିବା ଏକ ସିସିଟିଭି ଯାଞ୍ଚ କରିବାରୁ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ମନ୍ଦିର ପାଖରୁ ଚାଲିଚାଲି ଯାଉଥିବା ଦେଖାଯାଉଛି। ମାତ୍ର ତାଙ୍କର ଚିତ୍ର ସ୍ପଷ୍ଟ ଦେଖାଯାଉନଥିବାରୁ ଏହି ବ୍ୟକ୍ତିଙ୍କୁ ଗ୍ରାମବାସୀ ଚିହ୍ନଟ କରିପାରୁନାହାନ୍ତି।
ବଡ଼ପଣ୍ଡୁସର ଉଗ୍ରେଶ୍ବର ମନ୍ଦିରରୁ ତାଲା ଭାଙ୍ଗି ଚୋରି
ପିତ୍ତଳ ମୂର୍ତ୍ତିର ଓଜନ ୫୫ କିଲୋ
ମିଳିଥିବା ସୂଚନା ମୁତାବକ, ପ୍ରତ୍ୟେକ ଦିନ ପରି ସମସ୍ତ କାର୍ଯ୍ୟ ଶେଷ କରିବା ପରେ ପୂଜକ ଶିବ ମନ୍ଦିରରେ ତାଲା ପକାଇ ଯାଇଥିଲେ। ବର୍ତ୍ତମାନ ମନ୍ଦିରରେ ପହିଲି ଭୋଗ ଓ ପୂଜା କରାଯାଉଛି। ସେଥିପାଇଁ ଆଜି ଭୋର ୪ଟା ବେଳକୁ ପୂଜକ ଜଣକ ମନ୍ଦିରରେ ପହଞ୍ଚି ପ୍ରଥମେ ଠାକୁରାଣୀଙ୍କ ମନ୍ଦିର ଖୋଲିଥିଲେ। ଏହାପରେ ତାଙ୍କର ଶିବ ମନ୍ଦିର ଉପରେ ନଜର ପଡ଼ିଥିଲା। ରାତିରେ ମନ୍ଦିର ବନ୍ଦ କରିବା ସମୟରେ ସେ ବିଜୁଳି ଆଲୁଅ ବନ୍ଦ କରି ଯାଇଥିଲେ। ମାତ୍ର ସକାଳେ ତାହା ଜଳୁଥିବା ଦେଖି ପୂଜକଙ୍କର ଟିକିଏ ସନ୍ଦେହ ହୋଇଥିଲା। ସେଠାରେ ସେ ପହଞ୍ଚି ଦେଖନ୍ତି, କବାଟରେ ତାଲା ନାହିଁ ଓ ଭିତରେ ଥିବା ଏହି ଦୁଇଟି ମୂର୍ତ୍ତି ଗାଏବ ହୋଇଯାଇଛି। ଏହାପରେ ସେ ଗ୍ରାମବାସୀଙ୍କୁ ଡାକିଥିଲେ। ପରେ ମନ୍ଦିର ପାଖରେ ଥିବା ପୋଖରୀ ଓ ଅନ୍ୟାନ୍ୟ ସ୍ଥାନରେ ସମସ୍ତେ ଖୋଜାଖୋଜି କରିଥିଲେ। ତଥାପି କିଛି ସୁଫଳ ନମିଳିବାରୁ ଥାନାରେ ଅଭିଯୋଗ କରିଥିଲେ।
ଏନେଇ ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇ କୁହନ୍ତି ଯେ, ଚୋରି ପୂର୍ବରୁ ତାଲାକୁ ଭଙ୍ଗାଯାଇଥିଲେ ମଧ୍ୟ ଏହାର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ସୁଦ୍ଧା ଚୋରିର କୌଣସି ସୁରାକ୍ ମିଳିନାହିଁ। ଯଦି ଚୋରମାନଙ୍କର ଏକ ଗ୍ୟାଙ୍ଗର ଏଥିରେ ସମ୍ପୃକ୍ତି ରହିଥାନ୍ତା, ତେବେ ସେମାନେ ନିଶ୍ଚିତ ଭାବେ ଏହି ଦୁଇଟି ସହ ସେଠାରେ ଥିବା ଅନ୍ୟ ମୂର୍ତ୍ତିଗୁଡ଼ିକୁ ମଧ୍ୟ ଚୋରି କରିଥାନ୍ତେ। ପ୍ରାୟ ୫ ବର୍ଷ ପୂର୍ବରୁ ଏହି ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିଲା। ତଥାପି ଖୁବ୍ଶୀଘ୍ର ଚୋରମାନଙ୍କୁ ଗିରଫ କରାଯିବ।