କୋରାପୁଟ ସ୍ବତନ୍ତ୍ର  ଉନ୍ନୟନ  ପରିଷଦର ଅଧ୍ୟକ୍ଷ ପଦ ହାତେଇଲେ ଚନ୍ଦ୍ରଶେଖର

କୋରାପୁଟ: ଦୀର୍ଘ ୪ ବର୍ଷ ପରେ କୋରାପୁଟ ଜିଲ୍ଲାରେ ଗଠନ ହୋଇଛି ସ୍ବତନ୍ତ୍ର ଉନ୍ନୟନ ପରିଷଦ। ଏସଟି ଓ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ବିଭାଗ ପକ୍ଷରୁ ଚିଠି ନମ୍ବର ୧୬୯୯୧/୨୭-୯-୨୦୨୨ରେ ଚିଠି କରାଯାଇଛି। କୋରାପୁଟ ଜିଲ୍ଲାରୁ ପୂର୍ବତନ ବିଧାୟକ ତଥା ନିକଟରେ କଂଗ୍ରେସ ଛାଡି ବିଜେଡି‌ରେ ‌ଯୋଗ ‌ଦେଇଥିବା ଚନ୍ଦ୍ର ଶେଖର ମାଝିଙ୍କୁ ଅଧ୍ୟକ୍ଷ ଓ ପାଡୱାର ଲକ୍ଷ୍ମୀ ହନ୍ତାଳକୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। କୋରାପୁଟ ପରି ଆଦିବାସୀ ଅଞ୍ଚଳରେ ବିକାଶ ସାଧନ ପାଇଁ ଗଠନ କରାଯାଇଥିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ।

୨୦୧୭ରେ ଆରମ୍ଭ ହୋଇଥିବାବେଳେ ୨୦୧୮ରେ କାର୍ଯ୍ୟ ହୋଇଥିଲା। ୨୦୧୯ ଜୁଲାଇରେ ପୁରୁଣା ପରିଷଦକୁ ସରକାର ଭାଙ୍ଗିଦେବା ପରେ ନୂଆ ପରିଷଦ ଗଠନ କରିବାକୁ ୪ ବର୍ଷ ଲାଗିଛି।  ଏହି ପରିଷଦର ସଦସ୍ୟ ଓ ଅଧ୍ୟକ୍ଷ ପଦବୀ ଉପରେ ଏବେ ଆଖି ପକାଇଥିଲେ ବିଜେଡିର ବହୁ ନେତା। ଏହି ପରିଷଦର ଅଧ୍ୟକ୍ଷଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳୁଥିବା ଆଶଙ୍କା ରହିଥିବାରୁ ଦଳର ବହୁ ତୁଙ୍ଗ ନେତା ଅଧ୍ୟକ୍ଷ ହେବାକୁ ଆଶା ବାନ୍ଧି ବସିଥିଲେ। କିନ୍ତୁ ୨୦୧୯ରେ ପୁରୁଣା ସରକାର ଯିବା ସହିତ ଏହି ପରିଷଦକୁ ଭାଙ୍ଗି ଦିଆଯାଇଥିଲାବେଳେ କୋରାପୁଟ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଥିବା କମୁଳୁ ଜାନୀ ତାଙ୍କ ପଦ ହରାଇଥିଲେ। କମୁଳୁ ଜାନୀ ଯିବା ପରେ ଅଧ୍ୟକ୍ଷ ପଦ ଉପରେ ଏବେ ବିଜେଡିର ଏକାଧିକ ନେତାଙ୍କ ଆଖି ରହିଥିଲା।

ଏହି ତାଲିକାରେ ଗତ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା ପ୍ରଫୁଲ୍ଲ ପାଙ୍ଗୀ, ପୂର୍ବତନ ଏମପି ଝିନ୍ନ ହିକକା, ପୂର୍ବତନ ଅଧ୍ୟକ୍ଷ କମୁଳୁ ଜାନୀ, ଦାମ‌ୋଦର ଜାନୀ ଓ ଶିକ୍ଷୟିତ୍ରୀରୁ ସାଂସଦ ପ୍ରାର୍ଥୀ ହୋଇଥିବା କୌଶଲ୍ୟା ହିକକାଙ୍କୁ ଏହି ପଦ ମିଳିବାର ସମ୍ଭାବନା ରହିଥିଲାବେଳେ ସବୁ ପଛରେ ପକାଇ ବାଜି ମାରିଛନ୍ତି କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି। ପଟାଙ୍ଗୀ ବିଧାୟକ ଥିବା ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଦଳ ଗତ ନିର୍ବାଚନରେ ଟିକେଟ ଦେଇ ନ ଥିଲା। ସେତେବେଳେ ତାଙ୍କୁ ଭଲ ପଦବୀ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ ପ୍ରଫୁଲ୍ଲ ଟିକେଟ ନ ପାଇ ମଧ୍ୟ ଦଳ ପାଇଁ କାମ କରିଥିଲେ। ତେବେ ତାଙ୍କ ପାଇଁ ଝିନ୍ନ ହିକକା ଓ ତାଙ୍କ ପତ୍ନୀ କୌଶଲ୍ୟା ହିକକା ଅଡୁଆ ସାଜି ପାରନ୍ତି ବୋଲି ଆଲୋଚନା ହେଉଥିଲା। ଲୋକସଭା ଆସନରେ ଝିନ୍ନଙ୍କୁ ଦଳ ଟିକେଟ ନ ଦେଇ କୌଶଲ୍ୟାଙ୍କୁ ପ୍ରାର୍ଥୀ କରିଥିଲାବେଳେ ଅଳ୍ପକେ ସେ ପରାସ୍ତ ହୋଇଥିଲେ। ଝିନ୍ନ ଜଣେ ଆଦିବାସୀ ନେତା ହୋଇଥିବାରୁ ପତି-ପତ୍ନୀଙ୍କ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ପଦବୀ ଦେଇପାରେ ବୋଲି ଦଳର ଏକ ଗୋଷ୍ଠୀ କହୁଛନ୍ତି। କେବଳ ଅଧ୍ୟକ୍ଷ ନୁହଁ, ଏହି ପରିଷଦର ସଦସ୍ୟ ହେବା ପାଇଁ ମଧ୍ୟ ଛାମୁଆ ନେତା ମାନେ ଲାଗିଥିଲେ। ଏଥିପାଇଁ ବିଭିନ୍ନ ବାଟରେ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କୁ ସେମାନେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲାବେଳେ ସବୁର ଅବସାନ ଘଟିଛି।

ଏନେଇ ପୂର୍ବତନ ବିଧାୟକ ଚନ୍ଦ୍ର‌ ଶେଖର ମାଝି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବି। କୋରାପୁଟ ଜିଲ୍ଲା ପାଇଁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ପୁଣି ଥରେ ମନୋନିବେଶ କରିବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର