ଚନ୍ଦ୍ରଯାନ-୨ ପଛରେ ଓଡ଼ିଶା : ସିଟିଟିସିରେ ପ୍ରସ୍ତୁତ ହୋଇଛି ‘ପ୍ରଜ୍ଞା’ର ଚକ

କ୍ରାୟୋଜେନିକ୍‌ ଇଞ୍ଜିନ୍‌ର ଅଂଶ ବି ବିକଶିତ ହୋଇଛି, ସାଢ଼େ ତିନି ବର୍ଷ ତଳୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା

ଭୁବନେଶ୍ବର : ମହାକାଶ ଅଭିଯାନ କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଚନ୍ଦ୍ରଯାନ-୨କୁ ଶ୍ରୀହରିକୋଟାର ଲଞ୍ଚପ୍ୟାଡରୁ ଜିଏସ୍‌ଏଲଭି ଏମ୍‌କେ-୩ ଯାନରେ ସୋମବାର ରାତି ୨ଟା ୫୧ରେ ଉତ୍‌କ୍ଷେପଣ କରାଯିବ। ଏହାର ସଫଳତା ଉପରେ ସାରା ବିଶ୍ବ ନଜର ରଖିଥିବା ବେଳେ ଓଡ଼ିଶା‌ ତଥା ଭୁବନେଶ୍ବର ଲାଗି ଏକ ଐତିହାସିକ ମୁହୂର୍ତ୍ତ ଅପେକ୍ଷା କରି ରହିଛି। ଚନ୍ଦ୍ରଯାନକୁ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବାରେ ସାହାଯ୍ୟ କରିବାକୁ ଥିବା ରୋଭର୍ ‘ପ୍ରଜ୍ଞା’ର ଚକ(ଗୋଡ଼) ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ୍‌ ଟ୍ରେନିଂ ସେଣ୍ଟର(ସିଟିଟିସି)ରେ ନିର୍ମିତ ହୋଇଛି। ଏଥିସହ ଏହି ଯାନର ଉତ୍‌କ୍ଷେପଣରେ ବ୍ୟବହୃତ ହେବାକୁ ଥିବା ଜିଏସ୍‌ଏଲ୍‌ଭି ଏମ୍‌କେ-୩ର କ୍ରାୟୋଜେନିକ୍‌ ଇଞ୍ଜିନ୍‌ର କିଛି ଅଂଶ ମଧ୍ୟ ଏଠାରେ ବିକଶିତ ହୋଇଥିବା ଜଣାପଡ଼ିଛି।

ମଙ୍ଗଳୟାନ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସିଟିଟିସି ଚନ୍ଦ୍ରଯାନ-୨ ଲାଗି ବହୁ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥିଲା। ସାଢ଼େ ତିନି ବର୍ଷ ତଳେ ଅର୍ଥାତ୍‌ ୨୦୧୬ ମସିହାରୁ ଏଠାରେ ସାମଗ୍ରୀ ତିଆରି କାର୍ଯ୍ୟ ଆରମ୍ଭ ହୋଇଥିଲା। ଶହେରୁ ଅଧିକ ଇଞ୍ଜିନିୟର ଓ ଅପ‌ରେଟର୍‌ ସାମିଲ ହୋଇ ଯୋଜନାକୁ ସଫଳ ରୂପାୟନ କରିଥିଲେ। ସିଟିଟିସି ସହ ଓଡ଼ିଶାର ୧୯ଟି ଏମ୍‌ଏସ୍‌ଏମ୍‌ଇ ଯଥା ଗ୍ରାମ ତରଙ୍ଗ, ଗ୍ରାମ ବିକାଶ, ସିଭି ରମଣ ପରି ବିଭିନ୍ନ ସଂସ୍ଥାଙ୍କ ସହଯୋଗ ମଧ୍ୟ ରହିଥିଲା।

ସିଟିଟିସିର ପରିଚାଳନା ନିର୍ଦ୍ଦେଶକ ଶିବାଶିଷ ମାଇତିଙ୍କ କହିଛନ୍ତି, ଚନ୍ଦ୍ରୟାନ-୨ ଅଭିଯାନରେ ସିଟିଟିସିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏଥିରେ ବ୍ୟବହୃତ ହୋଇଥିବା ସାମଗ୍ରୀଗୁଡ଼ିକୁ ତିଆରି କରିବା ପାଇଁ ଆମ ପାଖରେ ବହୁ ଉଚ୍ଚକ୍ଷମତା ସଂପନ୍ନ ଯନ୍ତ୍ରପାତି ରହିଛି। ଯାହା ମାଧ୍ୟମରେ ଅଭିଜ୍ଞ ଅପରେଟର୍‌ଙ୍କୁ ସାମିଲ କରାଯାଇ ସାଟେଲାଇଟ୍‌ ପାଇଁ ସାମଗ୍ରୀ ପ୍ରସ୍ତୁତ କରିପାରିଛୁ। ସାମଗ୍ରୀଗୁଡ଼ିକ ଏଠାରେ ତିଆରି ହେବା ପରେ ସେଗୁଡ଼ିକୁ ଇସ୍ରୋ କ୍ୟାମ୍ପସରେ ଥିବା ସିଟିଟିସି ୟୁନିଟ୍‌କୁ ପଠାଯାଇଥିଲା। ସେଠାରେ ମଧ୍ୟ ୫୦ଜଣ ଇଞ୍ଜିନିୟର ରହି ଦିନରାତି କାମ କରୁଛନ୍ତି। ଏଠାରେ ତିଆରି ହେଉଥିବା ଭାଲ୍‌ଭଗୁଡ଼ିକ ସେଠାରେ ପୁଣିଥରେ ‌ଯାଞ୍ଚ କରାଯାଇ ଲଞ୍ଚ ପ୍ୟାଡ୍‌କୁ ପଠାଯାଇଥିଲା।

ସେ ଆହୁରି କହିଛନ୍ତି ଯେ ଚନ୍ଦ୍ରଯାନ-୨ର ବିଭିନ୍ନ ଅଂଶ ମଧ୍ୟରେ ଲିକୁଇଡ୍‌ ପ୍ରପଲସନ୍‌ ସିଷ୍ଟମ୍‌ ପାଇଁ ୨୨ପ୍ରକାରର ଭାଲ୍‌ଭ ଓ ସୌରଶକ୍ତି ପାଇଁ ୭ ପ୍ରକାରର ଆସେମ୍ଲି ମୋଟର ସିଟିଟିସିର ବୈଜ୍ଞାନିକଙ୍କ ଦ୍ବାରା ନିର୍ମିତ ହୋଇଛି। ରକେଟ୍‌ ସାଟେଲାଇଟ୍‌କୁ ୪ଟି ସ୍ତରରେ ନେଇ ମହାକାଶରେ ପହଞ୍ଚାଇବ। ପ୍ରତି ସ୍ତରରେ କିଛି ଇନ୍ଧନର ଆବଶ୍ୟକତା ହୋଇଥାଏ। ଲଞ୍ଚ୍‌ ଭେଇକିଲ୍‌ରେ ଲାଗିଥିବା ୨୨ଟି ଭାଲଭ୍‌ ସାଟେଲାଇଟ୍‌କୁ ମହାକାଶକୁ ନେଇଥାଏ। ରକେଟ୍‌ ଥରେ ମହାକାଶରେ ପହଞ୍ଚିଲେ ସେଠାରେ ତାହାର କାମ ସରିଯାଏ। ସାଟେଲାଇଟ୍‌ ମହାକାଶରେ ପହଞ୍ଚିବା ପରେ ସେଠାରୁ ଚନ୍ଦ୍ରର କକ୍ଷ ପଥକୁ ଯିବା ପାଇଁ ବିଭିନ୍ନ ପ୍ରକାର ଆସେମ୍ଲିସ୍‌ର ଆବଶ୍ୟକତା ରହିଛି। ଉକ୍ତ ଆସେମ୍ଲିସ୍‌ଗୁଡ଼ିକ ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇଛି।

ଚନ୍ଦ୍ରଯାନ-୨‌ରେ ଓଡ଼ିଶାର ଯୋଗଦାନ ଜଣାପଡ଼ିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ଗବେଷଣାରତ ଛାତ୍ରଛାତ୍ରୀ ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତକୁ ଉତ୍ସୁକତାର ସହ ଅନାଇ ରହିଛନ୍ତି।

ସମ୍ବନ୍ଧିତ ଖବର