ବଦଳିଲା ଯୁକ୍ତ୨ ଜୀବ ବିଜ୍ଞାନ ପରୀକ୍ଷା କାର୍ଯ୍ୟସୂଚୀ : ଗୋଟିଏ ପ୍ରଶ୍ନପତ୍ର, ଦୁଇଟି ଖାତା

ଭୁବନେଶ୍ୱର : ବାଦବିବାଦ ପରେ ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଛି। ନଭେମ୍ବର ୨୯ରେ ବସିଥିବା ଯୁକ୍ତ୨ ପରୀକ୍ଷା କମିଟିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଜୀବ ବିଜ୍ଞାନ(ବାୟୋଲୋଜି) ବିଷୟ ପରୀକ୍ଷା ଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍‌ ସମୟ ଦିଆଯାଇଛି। ଜୀବ ବିଜ୍ଞାନ ପରୀକ୍ଷା ନିର୍ଧାରିତ ତାରିଖରେ ହେବ। ପ୍ରଶ୍ନପତ୍ର ଭିତରେ ଉଦ୍ଭିଦ ବିଜ୍ଞାନ(ବଟାନି) ଓ ପ୍ରାଣୀ ବିଜ୍ଞାନ (ଜୁଲୋଜି) ବିଷୟର ପ୍ରଶ୍ନଗୁଡ଼ିକ ଦୁଇଟି ସେକ୍ସନରେ ବିଭକ୍ତ ହୋଇ ପ୍ରଶ୍ନପତ୍ର ଆସିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜ କର୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏଥିସହ ବାଣିଜ୍ୟ ବିଭାଗ ପତ୍ର ବିନିମୟ କାର୍ଯ୍ୟକ୍ରମରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ପ୍ରୋଜେକ୍ଟ ଦାଖଲ କରିବେ। ନିୟମିତ ପିଲାଙ୍କ ପରି ସେମାନେ ମଧ୍ୟ ପ୍ରୋଜେକ୍ଟ ଦେବେ। ତେଣୁ ସେମାନେ ନିଜ ପରୀକ୍ଷା କେନ୍ଦ୍ର ସହ ଯୋଗଯୋଗ କରିବାକୁ କୁହାଯାଇଛି।

ବିଜ୍ଞପ୍ତି ଅନୁଯାୟୀ ଜୀବ ବିଜ୍ଞାନ ବିଷୟ ପରୀକ୍ଷା ଲାଗି ଗୋଟିଏ ପ୍ରଶ୍ନପତ୍ର ଦୁଇଟି ଉତ୍ତର ଖାତା ହେବ। ଅନ୍ୟ ବିଷୟଗୁଡ଼ିକ ପରୀକ୍ଷା ପରି ପୂର୍ବାହ୍ନ ୧୦ଟାରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ଦିଆଯିବ। ପରୀକ୍ଷାର୍ଥୀ ୧୧ଟା ୩୦ ପର୍ଯ୍ୟନ୍ତ ଉଦ୍ଭିଦ ବିଜ୍ଞାନ ସେକ୍ସନର ପ୍ରଶ୍ନଗୁଡ଼ିକ କରିବେ। ୧୧ଟା ୩୦ରେ ପରୀକ୍ଷା ନିରୀକ୍ଷକ ପରୀକ୍ଷାର୍ଥୀଙ୍କଠାରୁ ଉକ୍ତ ଖାତା ଗ୍ରହଣ କରିବେ। ସଙ୍ଗେ ସଙ୍ଗେ ପ୍ରାଣୀ ବିଜ୍ଞାନ ସେକ୍ସନର ଉତ୍ତର ଲେଖିବା ଲାଗି ପରୀକ୍ଷାର୍ଥୀଙ୍କୁ ଖାତା ଦିଆଯିବ। ଅପରାହ୍ନ ୧ଟା ୧୫ରେ ପରୀକ୍ଷାର୍ଥୀଙ୍କଠାରୁ ଉତ୍ତର ଖାତା ସଂଗ୍ରହ କରାଯିବ। ପରୀକ୍ଷା ଚାଲିଥିବା ମଧ୍ୟରେ ପରୀକ୍ଷାର୍ଥୀ ସିଟ୍‌ ଛାଡ଼ି କୁଆଡ଼େ ବି ଯିବେ ନାହିଁ। ଅନ୍ୟ ବିଷୟଗୁଡ଼ିକ ପରି ଜୀବ ବିଜ୍ଞାନ ବିଷୟର ଦୁଇଟି ସେକ୍ସନ ପରୀକ୍ଷା ଲାଗି ୩୨ ପୃଷ୍ଠା ଲେଖାଏ ଦୁଇଟି ଉତ୍ତର ଖାତା କରାଯିବ। ଏହି ବିଷୟର ମୋଟ ୭୦ ମାର୍କର ପରୀକ୍ଷା ଲାଗି ୬୪ ପୃଷ୍ଠାର ଉତ୍ତର ଖାତା ପରୀକ୍ଷାର୍ଥୀଙ୍କୁ ମିଳିବ।

ସୂଚନାଯୋଗ୍ୟ ଯେ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପରେ ଉଦ୍ଭିଦ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ବିଷୟ ପରୀକ୍ଷା ଦୁଇଟି ଦିନ କରିବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ। ଭୁବନେଶ୍ୱରର ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଏନେଇ ପରିଷଦର ଦ୍ୱାରସ୍ଥ ହେବା ପରେ ପରିଷଦ କର୍ତୃପକ୍ଷ ଶତାଧିକ କଲେଜଠାରୁ ମତାମତ ନେଇଥିଲେ। କେତେକ କଲେଜ ଜୀବ ବିଜ୍ଞାନ ବିଷୟ ପରୀକ୍ଷା କରିବା ପରିବର୍ତେ ଦୁଇଟି ଅଲଗା ଅଲଗା ବିଷୟର ପରୀକ୍ଷା କରିଥିବା ନଜରକୁ ଆସିବା ପରେ ସିଲାବସ୍‌ କମିଟି ବୈଠକ ଡକାଯାଇଥିଲା। ସିଲାବସ୍‌ରେ କୌଣସି ତ୍ରୁଟି ନ ଥିବା କମିଟି କହିବା ପରେ ପରୀକ୍ଷା କମିଟି ବୈଠକ କରାଯାଇ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍‌ ସମୟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ଏବେ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର