ଭୁବନେଶ୍ୱର: ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ସଂଶୋଧନ ଆଣିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଗତ ଜୁନ୍ ମାସରେ ବିଭାଗୀୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି। ବିଶେଷକରି ୨୦୧୬ଠାରୁ ସିବିଏସ୍ଇ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ଯୁକ୍ତ୨ ସିଲାବସ୍ରେ କିଛି ତ୍ରୁଟି ରହିଥିବାରୁ ତାହାକୁ ସଂଶୋଧନ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ସିବିଏସ୍ଇ ଢାଞ୍ଚାରେ ସିଲାବସ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ କେତେକ ବିଷୟରେ ତ୍ରୁଟି ରହିଛି। ଯେଉଁଥିପାଇଁ ଗତ ପରୀକ୍ଷା ସମୟରେ ଦ୍ୱନ୍ଦ୍ୱ ଉପୁଜିଥିଲା। ଶେଷ ମୁହୂର୍ତ୍ତରେ ପରୀକ୍ଷା ସମୟରେ ବି ପରିବର୍ତନ କରିବାକୁ ପଡ଼ିଲା। ପ୍ରଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ଗୋଟିଏ ବିଷୟ(ଜୀବ ବିଜ୍ଞାନ)ରେ ଆସୁଥିଲେ ମଧ୍ୟ ତାହାକୁ ଦୁଇଟି ବିଷୟ ଭାବେ କ୍ଲାସ୍ରେ ପଢ଼ାଯାଉଛି। ଛାତ୍ରଛାତ୍ରୀ କ୍ଲାସ୍ରେ ଉଭୟ ବିଷୟରେ ଅଲଗା ଅଲଗା ପରୀକ୍ଷା ଦେଉଛନ୍ତି। ଶିକ୍ଷକମାନେ ସିଲାବସ୍କୁ ଠିକ୍ ଭାବେ ଅନୁକରଣ କରୁ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଏଭଳି ଦ୍ୱନ୍ଦ୍ୱର ସମାଧାନ କରିବା ପାଇଁ ସିଲାବସ୍ରେ କେତେକ ସଂଶୋଧନ କରାଯିବ। ସିବିଏସ୍ଇ ଢାଞ୍ଚାରେ ପ୍ରାୟ ୧୫୦ଟି ବିଷୟର ସିଲାବସ୍ ପ୍ରସ୍ତୁତ ହୋଇଛି। ଯେଉଁ କମିଟି ଏହି ସିଲାବସ୍ ପ୍ରସ୍ତୁତ କରିଥିଲା ତାହା ତରବରିଆ ଭାବେ ହୋଇଯାଇଛି। ପୁସ୍ତକରେ ବି ତ୍ରୁଟି ରହିଛି। ଏହାକୁ ଦୃଷ୍ଟିରେ ରଖି ସିଲାବସ୍ରେ ସଂଶୋଧନ ଆଣିବାକୁ ସ୍ଥିର ହୋଇଛି। ଅଗଷ୍ଟ ମାସରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସିଲାବସ୍ କମିଟି ବୈଠକ ଡକାଯାଇଛି। ଏଥିରେ ସିଲାବସ୍ରେ ପରିବର୍ତନ ସମ୍ପର୍କରେ ଆଲୋଚନା କରାଯିବ। ପ୍ରତି ବିଷୟ ପାଇଁ ୧୦ରୁ ଅଧିକ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ସିଲାବସ୍ କମିଟି ଗଠନ ହୋଇଛି। ଉକ୍ତ କମିଟି ଏବେ ପ୍ରଚଳିତ ସିଲାବସ୍କୁ ଅନୁଧ୍ୟାନ କରି ରିପୋର୍ଟ ଦେବେ। ଏହାପରେ ଉକ୍ତ ରିପୋର୍ଟ ଏକାଡେମିକ୍ କମିଟି ବୈଠକରେ ଉପସ୍ଥାପିତ ହେବ। କମିଟି ସଂଶୋଧନ ପାଇଁ ଅନୁମତି ଦେବା ପରେ କାର୍ଯ୍ୟକାରୀ କରାଯିବ। ଏଥିସହ ପ୍ରଶ୍ନପତ୍ର ପ୍ରସ୍ତୁତ କମିଟିର ବୈଠକ ମଧ୍ୟ ଖୁବ୍ଶୀଘ୍ର ଡକାଯାଇ ପ୍ରଶ୍ନପତ୍ର ଢାଞ୍ଚାରେ କିଛି ପରିବର୍ତନ ହେବ କି ନାହିଁ ସେ ସଂପର୍କରେ ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଦୂରଶିକ୍ଷା ପାଠ୍ୟକ୍ରମରେ ଯୁକ୍ତ୨ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଏଣିକି ସାମ୍ସ ମାଧ୍ୟମରେ କରାଯିବ। ଆସନ୍ତା ଅଗଷ୍ଟ ମାସରେ ଏନେଇ ବିଜ୍ଞପ୍ତି ପ୍ର୍ରକାଶ ପାଇବ। ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ନାମଲେଖାଇବେ। ଆଉ ପରିଷଦ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ପ୍ରତିବର୍ଷ ୧୨ରୁ ୧୫ ହଜାର ଛାତ୍ରଛାତ୍ରୀ ଦୂରଶିକ୍ଷାରେ ନାମ ଲେଖାଇଥା’ନ୍ତି।
ସଂଶୋଧିତ ହେବ ଯୁକ୍ତ୨ ସିଲାବସ୍
ଅଗଷ୍ଟରେ ବସିବ ସିଲାବସ୍ କମିଟି ବୈଠକ
/sambad/media/post_attachments/wp-content/uploads/2018/06/chse.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)