ସିବିଏସ୍‌ଇ ପାଠ୍ୟକ୍ରମରେ ଆସିବ ସଂସ୍କାର, ୨୦୨୦ରୁ ଗଣିତରେ ଦୁଇଟି ପେପର୍‌

୩ସ୍ତରରେ ହେବ ଉତ୍ତର ଖାତା ମୂଲ୍ୟାୟନ, ଖାତା ଭୁଲ୍‌ ଦେଖିଲେ ବହିଷ୍କାର ହେବେ ଶିକ୍ଷକ

ଭୁବନେଶ୍ବର: ୨୦୨୦ରୁ ବଦଳିବ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ପାଠ୍ୟକ୍ରମ ଢ଼ାଞ୍ଚା। ଗଣିତ ବିଷୟରେ ରହିବ ଦୁଇଟି ପ୍ରଶ୍ନପତ୍ର। ଦଶମ ଶ୍ରେଣୀରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସହଜ ପ୍ରଶ୍ନପତ୍ର କରାଯିବ। ଆଉ ମେଧାବୀଙ୍କ ପାଇଁ ରହିବ କଷ୍ଟକର ପ୍ରଶ୍ନପତ୍ର। ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ସିବିଏସ୍‌ଇ। ପରୀକ୍ଷାମୂଳକ ଭାବେ ଗଣିତ ବିଷୟରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଯଦି ସଫଳତା ମିଳିବ, ସବୁ ବିଷୟଗୁଡ଼ିକ ପାଇଁ ଲେବୁଲ୍‌-୧ ଓ ଲେବୁଲ୍‌-୨ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ସିବିଏସ୍‌ଇର ଆଇଆରପିଏସ୍‌ ସଚିବ ଅନୁରାଗ ତ୍ରିପାଠୀ କହିଛନ୍ତି। ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ବାରମ୍ବାର ତ୍ରୁଟି ହୋଇଥିବାରୁ ସଂସ୍କାର ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି। ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାକୁ ତ୍ରୁଟିଶୂନ୍ୟ କରିବା ଦିଗରେ ପଦକ୍ଷେପ ନେବାକୁ ଆଞ୍ଚଳିକ ସିବିଏସ୍‌ଇ ଅଧିକାରୀମାନଙ୍କୁ କୁହାଯାଇଛି। ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ଖାତା ଦେଖିବା ସମୟରେ ତ୍ରୁଟି କରିବେ, ସେମାନଙ୍କୁ ବହିଷ୍କାର ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ। ପୂର୍ବରୁ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଦୁଇସ୍ତରରେ ମୂଲ୍ୟାୟନ ହେଉଥିଲା। ଏବେ ତାହାକୁ ୩ସ୍ତରରେ କରିବାକୁ ସ୍ଥିର ହୋଇଛି। ପ୍ରଥମେ ସହ ମୁଖ୍ୟ ମୂଲ୍ୟାୟନକାରୀ, ଦ୍ବିତୀୟରେ ମୁଖ୍ୟ ମୂଲ୍ୟାୟନକାରୀ ଓ ଶେଷରେ ପରୀକ୍ଷା କେନ୍ଦ୍ର ସଂଯୋଜକ ଖାତା ମୂଲ୍ୟାୟନ କରିବେ। ମାର୍କ ଅନୁଯାୟୀ ଖାତାଗୁଡ଼ିକୁ ବିଭକ୍ତ କରି ଅଧିକାରୀମାନେ ମୂଲ୍ୟାୟନ କରିବେ। ବର୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନା ଓ ଖାତାର ସଠିକ୍‌ ମୂଲ୍ୟାଙ୍କନ ସିବିଏସ୍‌ଇ ପାଇଁ ଆଜି ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ପରିସରରେ ପରୀକ୍ଷା ଓ ମୂଲ୍ୟାଙ୍କନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ଭୁବନେଶ୍ବର ଜୋନ୍‌(ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼)ର ୯୦୦ ଶିକ୍ଷାବିତ୍‌ ଓ ୧୮୭ ଜଣ ପ୍ରିନ୍ସପାଲ୍‌ ଯୋଗଦେଇଥିଲେ। ସିବିଏସ୍‌ଇ ନିର୍ଦେଶକ (ଦକ୍ଷତା ଶିକ୍ଷା ଓ ତାଲିମ) ଡ. ବିଶ୍ବଜିତ୍‌ ସାହା, ଭୁବନେଶ୍ବର ଆଞ୍ଚଳିକ ଅଧିକାରୀ ଥୋଙ୍ଗୋଖୋଲେଟ୍‌ ମେଟ୍‌, ଯୁଗ୍ମ ସଚିବ ପ୍ରଜ୍ଞା ଏମ୍‌. ସି˚ ପ୍ରମୁଖ ଅତିଥି ଭାବେ ଯୋଗଦେଇ କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ସାଇ ଇଣ୍ଟରନ୍ୟାସନାଲ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ ଯୋଗଦେଇ କହିଲେ, ଶିକ୍ଷା ଓ ବିକାଶ ପରସ୍ପର ସହବନ୍ଧିତ। ଖୁବ୍‌ଶୀଘ୍ର ଭୁବନେଶ୍ବର ଭାରତର ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ରୂପେ ପରିଚିତି ଲାଭ କରିବ। ଶିକ୍ଷକମାନଙ୍କୁ ପରୀକ୍ଷା ଓ ମୂଲ୍ୟାଙ୍କନ ପ୍ରତି ଦୃଷ୍ଟି ହେବାକୁ ହେବ ବୋଲି ସେ କହିଥିଲେ। ସ୍କୁଲର ଅଧ୍ୟକ୍ଷ ହରିଶ୍‌ ସାନ୍ଦୁଜା କର୍ମଶାଳାରେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍କୁଲର ରେଡିଓ ଅରେଞ୍ଜ ଓ ସାଇନ୍ସ ପାର୍କ ଉଦ୍‌ଘାଟିତ ହୋଇଥିଲା।

ସମ୍ବନ୍ଧିତ ଖବର