ଭୁବନେଶ୍ବର: ପଲିଟେକନିକ୍ ତଥା ଡିପ୍ଲୋମା ଇଞ୍ଜିନିୟରିଂ ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଚଳିତବର୍ଷ ଅନ୍ଲାଇନ୍ରେ ପ୍ରଶ୍ନପତ୍ର ପଠାଇବା ବ୍ୟବସ୍ଥା ଲାଗୁ ହୋଇଛି। ଫଳରେ ବହୁ ବର୍ଷ ଧରି ପ୍ରଚଳିତ ମାନୁଆଲି ପ୍ରଶ୍ନପତ୍ର ପଠାଇବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଅଧୀନରେ ହେଉଥିବା ବିଭିନ୍ନ ପରୀକ୍ଷାରେ ଅନ୍ଲାଇନ୍ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଚଳିତ ଶିକ୍ଷାବର୍ଷଠାରୁ ପଲିଟେକ୍ନିକ୍ କଲେଜଗୁଡ଼ିକରେ ଏଭଳି ବ୍ୟବସ୍ଥା ଆଜିଠାରୁ ଲାଗୁ ହୋଇଛି। ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଡିପ୍ଲୋମା ଇଞ୍ଜିନିୟରିଂର ୩ୟ ଓ ୫ମ ସେମିଷ୍ଟର ପରୀକ୍ଷା ପାଇଁ କଲେଜଗୁଡ଼ିକୁ ଅନ୍ଲାଇନ୍ରେ ପ୍ରଶ୍ନପତ୍ର ପଠାଯାଇଛି।
ନୂଆ ବ୍ୟବସ୍ଥା ଅନୁଯାୟୀ ପରୀକ୍ଷା ଲାଗି ନିର୍ଦ୍ଧାରିତ ସମୟ ପୂର୍ବରୁ କଲେଜଗୁଡ଼ିକୁ ଅନ୍ଲାଇନ୍ରେ ପ୍ରଶ୍ନପତ୍ର ପଠାଯାଉଛି। ପ୍ରତି କଲେଜକୁ ଗୋଟିଏ ପାସ୍ୱାର୍ଡ ଓ ୱାଟରମାର୍କିଂ ଦିଆଯାଇଛି। ଯାହା ମାଧ୍ୟମରେ କଲେଜ କର୍ତୃପକ୍ଷ ପ୍ରଶ୍ନପତ୍ର ଖୋଲିବା ପରେ ପ୍ରିଣ୍ଟଆଉଟ୍ ବାହାର କରି ପରୀକ୍ଷାର୍ଥୀଙ୍କୁ ବଣ୍ଟନ କରିବେ। ଆଜି ପ୍ରଥମ ଦିନରେ ୩ୟ ସେମିଷ୍ଟର ପରୀକ୍ଷାରେ ଏହି ବ୍ୟବସ୍ଥା ସୁରୁଖୁରୁରେ ଶେଷ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଭଳି ସଂସ୍କାରଧର୍ମୀ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ମାଧ୍ୟମରେ କୁହାଯାଇଛି ଯେ ଏହାଦ୍ବାରା ଶିକ୍ଷା ବ୍ୟବସ୍ଥାରେ ଆଉ ଏକ ସଂସ୍କାର ଯୋଡ଼ି ହୋଇଯାଇଛି। ଅନ୍ଲାଇନ୍ରେ ପ୍ରଶ୍ନପତ୍ର ପଠାଯିବା ସହ ସୁରକ୍ଷା ପାଇଁ ଓଟିପି ଓ ୱାଟରମାର୍କିଂ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ‘୫-ଟି’ ମଧ୍ୟରେ ଏହା ଗୋଟିଏ ସଫଳତା ବୋଲି କୁହାଯାଉଛି। ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ ସଂଘ(ଓପେସା)ର ସାଧାରଣ ସମ୍ପାଦକ ଡ. ସରୋଜ କୁମାର ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ନୂଆ ବ୍ୟବସ୍ଥା ଦ୍ବାରା ପରୀକ୍ଷାରେ ବ୍ୟାପକ ସଂସ୍କାର ଆସିବା ସହ ମେଧାବୀ ଛାତ୍ରଛାତ୍ରୀ ବାହାରିପାରିବେ। ପ୍ରଶ୍ନପତ୍ର ଲିକ୍ ଭଳି ସମସ୍ୟାର ସମାଧାନ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/online-shopping-tt.jpg)