ଭୁବନେଶ୍ବର: ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସାହିତ୍ୟିକମାନଙ୍କ ସଂଖ୍ୟା କମ୍‌। ନାରୀ ବିଭିନ୍ନ ସାଂସାରିକ ଜଞ୍ଜାଳ ମଧ୍ୟରେ ଫସିରହି ଅନ୍ୟମାନଙ୍କୁ ସୁଖୀ କରୁଥିଲେ ମଧ୍ୟ ନିଜେ ଅବହେଳାର ଶିକାର ହୋଇଥାଏ। ପୁରୁଷମା‌ନେ ପାଉଥିବା ସମସ୍ତ ସୁବିଧା ଯଦି ମହିଳାମାନେ ପାଆନ୍ତି, ତେବେ ସାହିତ୍ୟିକାଙ୍କ ସଂଖ୍ୟାରେ ପରିବର୍ତ୍ତନ ଘଟିପାରନ୍ତା। ବର୍ତ୍ତମାନ ସମୟରେ ନାରୀମାନେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ନାରୀ ଜୀବନର ଏହି ଅନ୍ଧକାରକୁ ଦୂର କରିବା ଲାଗି ଉତ୍ସାହ ରୂପକ ଜହ୍ନ ଆଲୋକର ଆବଶ୍ୟକତା ରହିଛି। ସାହିତ୍ୟିକା ତଥା ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କାଙ୍କ କବିତା ସଂକଳନ ‘ଛାଇର ଛବି’ ପୁସ୍ତକର ପାଠକାର୍ପଣ ଅବସରରେ ଅତିଥିମାନେ ଏଭଳି ମତ ରଖିଛନ୍ତି।

Advertisment

ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଆର୍ଯ୍ୟବେଦାନ୍ତ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖିକା ତସଲିମା ନସରିନ୍‌ କହିଲେ, ନାରୀର ପର୍ଯ୍ୟବେକ୍ଷଣ କ୍ଷମତା ବହୁତ ଅଧିକ। ସାହିତ୍ୟ ସର୍ଜନା କ୍ଷେତ୍ରରେ ନାରୀମାନେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଲେ ଆମ ସାହିତ୍ୟ ସମୃଦ୍ଧ ହୋଇପାରିବ। ଏଥିପାଇଁ ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ହେବ। ନାରୀ ସ୍ବାଧୀନତା ଉପରେ ଅଧିକରୁ ଅଧିକ ଆଲୋଚନା କରାଗଲେ ସେ ନିଜ ଅଧିକାରପ୍ରାପ୍ତି ଅଭିମୁଖେ ଅଗ୍ରସର ହୋଇପାରିବ। ଏହି ପରିପ୍ରେକ୍ଷୀରେ ଲେଖିକା ଶ୍ରୀମତୀ ଲେଙ୍କାର କବିତା ‘ଆଜି ଆକାଶରେ ଜହ୍ନ ନାହିଁ’ର ବଙ୍ଗଳା ଅନୁବାଦ ପାଠ କରିଥିଲେ।

ନାରୀ ସ୍ବାଧୀନତା ଉପରେ ଅଧିକ ଆଲୋଚନା ଆବଶ୍ୟକ: ତସଲିମା
ପ୍ରତ୍ୟେକ ନାରୀ ବନ୍ଧନମୁକ୍ତ ସମାଜକୁ ଆପଣାଇବାକୁ ଚାହେଁ: ଦୀପ୍ତି ନାଭାଲ୍‌
ମହିଳାମାନେ ପୁରୁଷଙ୍କଠାରୁ ବହୁ ଊର୍ଦ୍ଧ୍ବରେ: ସୌମ୍ୟରଂଜନ
ଶୁଭଶ୍ରୀ ଲେଙ୍କାଙ୍କ କବିତା ସଂକଳନ ‘ଛାଇର ଛବି’ ଲୋକାର୍ପିତ

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅଭିନେତ୍ରୀ ଦୀପ୍ତି ନାଭାଲ କହିଲେ, ଆମ ଦେଶରେ ମହିଳା ସୁରକ୍ଷା ପ୍ରସଙ୍ଗକୁ ଅଣଦେଖା କରାଯାଉଛି। ପ୍ରତ୍ୟେକ ନାରୀ ବନ୍ଧନମୁକ୍ତ ସମାଜକୁ ଆପଣାଇବାକୁ ଚାହେଁ। ନିଜର ଅଧିକାର ପାଇଁ ନାରୀମାନେ ସ୍ବର ଉତ୍ତୋଳନ କରିବା ଜରୁରି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସଭାରେ ସଭାପତିତ୍ବ କରି କହିଲେ, ବର୍ତ୍ତମାନ ସମୟରେ ନାରୀବାଦର କଥା ସମସ୍ତେ କହୁଛନ୍ତି। ଯେଉଁ ଜାତି ଲକ୍ଷ୍ମୀ, ସରସ୍ବତୀ ଓ ଦୁର୍ଗାଙ୍କୁ ଆରାଧନା କରେ ସେହି ଜାତି କାହିଁକି ନାରୀର ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛି? ପୁରୁଷ ଓ ମହିଳା ଆଦୌ ସମାନ ନୁହନ୍ତି। ମହିଳାମାନେ ପୁରୁଷମାନଙ୍କଠାରୁ ବହୁତ ଊର୍ଦ୍ଧ୍ବରେ। ନାରୀମାନେ ନିଜକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଛନ୍ତି। ନିଜକୁ ଛୋଟ ବୋଲି ଭାବିଲେ ସବୁ‌ ସମୟରେ ଅବହେଳିତ ହେବାକୁ ପଡ଼ିଥାଏ। ଏଣୁ ନିଜକୁ ଛୋଟ ବୋଲି ଭାବିବାର ମାନସିକତାକୁ ପରିବର୍ତ୍ତନ କରିବା ଦରକାର। ସମ୍ମାନିତ ଅତିଥି ବିଶିଷ୍ଟ ଚିତ୍ରଶିଳ୍ପୀ ସୂର୍ଯ୍ୟସ୍ନାତା ମହାନ୍ତି ପୁସ୍ତକର ପାଠକାଦୃତି କାମନା କରିବା ସହିତ ଲେଖିକାଙ୍କ ୩୦ ବର୍ଷର ସାରସ୍ବତ ଯାତ୍ରାର ସାର୍ଥକତା ସମ୍ପର୍କରେ ମତ ଦେଇଥିଲେ। ଲେଖିକା ଶ୍ରୀମତୀ ଲେଙ୍କା ଲେଖକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିବା ସହିତ ନାରୀକବିର ସ୍ବାଧୀନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।