ଜଳେଶ୍ୱର: ୧୮ ବର୍ଷ ବିତିଗଲାଣି। ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ଏବେ ବି ସ୍ବପ୍ନ ହୋଇରହିଛି। ଏଥର ସରକାର ବଦଳିଛି। ଏହି ଅଧୁରା ସ୍ବପ୍ନ ପୂରଣ ହେବାସହିତ ବନ୍ଦର ନିର୍ମାଣ ପାଇଁ ବାଟ ପ୍ରଶସ୍ତ ହେବ ବୋଲି କୁହାଯାଉଛି। ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ହେଉଛି ରାଜ୍ୟର ଏକ ବହୁ ପ୍ରତୀକ୍ଷିତ ପ୍ରକଳ୍ପ। ୨୦୦୬ ମସିହା ଡିସେମ୍ବର ୧୫ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଆସି ଭୋଗରାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୀର୍ତ୍ତନିଆଠାରେ ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ହେଲେ ଦୁଇଦିନ ପରେ କୀର୍ତ୍ତନିଆ ନୁହେଁ, ବସ୍ତା ନିର୍ବାଚନମଣ୍ଡଳୀ ଅଧୀନ ବାଲିଆପାଳର ଚୌମୁଖଠାରେ ବନ୍ଦର ହେବ ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ଏହାର ଦୀର୍ଘଦିନ ପରେ ୨୦୧୯ ମସିହା ଫେବ୍ରୁଆରି ୧୩ ତାରିଖରେ ବନ୍ଦର ପ୍ରତିଷ୍ଠା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରଠାରେ ଶିଳାନ୍ୟାସ କରିଥିଲେ। ଘୋଷଣା ହୋଇଥିଲା; ୩୬ ମାସ ମଧ୍ୟରେ ବନ୍ଦର କାମ ଶେଷ ହୋଇ ପୂର୍ଣ୍ଣାଙ୍ଗ ରୂପ ନେବ। ବନ୍ଦର କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ସହିତ ୧୨ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଥିଲା। କେବଳ ସେତିକି ନୁହେଁ, ଓଡ଼ିଶାର ବାଣିଜ୍ୟିକ ରାଜଧାନୀ ପାଲଟିବ ବାଲେଶ୍ୱର। ଓଡ଼ିଶା ସହ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ବାଣିଜ୍ୟ ଦୃଷ୍ଟିକୋଣରୁ ଉପକୃତ ହୋଇ ପାରିବେ ବୋଲି କହିଥିଲେ ସରକାର।
ବନ୍ଦର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨,୧୮୭ କୋଟି ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଥିବା ବେଳେ ଏବେ ତାହା ବଢ଼ି ୫ ହଜାର କୋଟିରେ ପହଞ୍ଚିଛି। ବନ୍ଦର ନିର୍ମାଣ ପାଇଁ ୨୦୦୮ ମସିହାରେ ଚେନ୍ନାଇର କ୍ରିଏଟିଭ୍ ପୋର୍ଟ ଡେଭ୍ଲପ୍ମେଣ୍ଟ ଅଥରିଟି ସହ ଚୁକ୍ତି ହୋଇଛି। ୫୧ ପ୍ରତିଶତ ଅଂଶୀଦାର ଭାବେ ଟାଟା ଷ୍ଟିଲ୍ ୨୦୧୭ ମସିହାରେ ସରକାରଙ୍କ ସହ ଚୁକ୍ତି କରିଛି। ବନ୍ଦରରେ ସମୁଦାୟ ୧୦ଟି ବର୍ଥ ରହିବ। ବାର୍ଷିକ ପଣ୍ୟ କାରବାର କ୍ଷମତା ୨୫ ନିୟୁତ ଟନ୍ ଓ ଆବଶ୍ୟକସ୍ଥଳେ ୮୦ ନିୟୁତ ଟନ୍ ଯାଏ ରହିବ ବୋଲି ସ୍ଥିର ହୋଇଛି। ହେଲେ ଏଯାଏ ଆବଶ୍ୟକ ୯୬୫.୧୮ ଏକର ଜମି ମଧ୍ୟରୁ ୬୯୨.୬୮ ଏକର ଅଧିଗ୍ରହଣ ହୋଇଛି। ନୂଆ ସରକାର ବନ୍ଦର କାମକୁ କେମିତି ଆଗେଇ ନେବେ ତାହା ସମୟ ହିଁ କହିବ। ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଉତ୍ତର ବାଲେଶ୍ୱରର ୩ଟି ନିର୍ବାଚନମଣ୍ଡଳୀ ଜଳେଶ୍ବର, ଭୋଗରାଇ ଓ ବସ୍ତାରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ସୁବର୍ଣ୍ଣରେଖା ବନ୍ଦର ସ୍ବପ୍ନ ପୂରା କରିବାକୁ ହେଲେ ଉଭୟ ସରକାରୀ ଦଳ ବିଜେପି ଓ ବିରୋଧୀ ଦଳ ବିଜେଡି ମଧ୍ୟରେ ସମନ୍ବୟ ଆବଶ୍ୟକ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhfshsfhf.jpg)