ଭୁବନେଶ୍ୱର: ବି‌‌ଜେପି ସରକାର ଆସିବା ପରେ ରାଜ୍ୟରେ ଚାଲୁଥିବା ଲକ୍ଷ୍ମୀ ବସ୍‌ର ରଙ୍ଗ ବଦଳାଇବା ସହିତ ଏହାର ନାମ ପରିବର୍ତ୍ତନ କରାଯାଇଛି। ଏହାକୁ ନେଇ ବିଜେଡି କହିଛି ଯେ ବିଜେପି ସରକାର କେବଳ ନାମ ଓ ରଙ୍ଗ ନବଦଳାଇ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ସୁଶାସନ ଓ ପରିବର୍ତ୍ତନର ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର କୌଣସି ନୂଆ ଯୋଜନା ଆରମ୍ଭ କରିବା ପରିବର୍ତ୍ତେ ବିଜେଡି ଦ୍ୱାରା ଆରମ୍ଭ କରା ଯାଇଥିବା ଲୋକପ୍ରିୟ ଯୋଜନାଗୁଡ଼ିକର ନାମ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ବିଜେଡି ସରକାରଙ୍କ ଦ୍ୱାରା ପ୍ରଣୟନ କରା ଯାଇଥିବା ଲୋକପ୍ରିୟ ଲକ୍ଷ୍ମୀ ବସ ସେବା ଯୋଜନାର ନାମ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନା କରାଯାଇଛି। ସେହିପରି ‘ମୋ ବସ୍‌’ ଯୋଜନାର ମଧ୍ୟ ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍‌’ ରଖାଯାଇଛି। ଲକ୍ଷ୍ମୀ ବସ୍‌ର ରଙ୍ଗ ମଧ୍ୟ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳୁଛି। ହେଲେ ଲକ୍ଷ୍ମୀ ବସ୍‌ଗୁଡ଼ିକର ରଙ୍ଗ ପରିବର୍ତ୍ତନ କାହା ନିର୍ଦ୍ଦେଶରେ କରାଯାଉଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ମାତ୍ର ୬ ମାସ ତଳେ ଆସିଥିବା ବସ୍‌ଗୁଡ଼ିକର ରଙ୍ଗ ଠିକ ଥିବା ବେଳେ ନୂତନ ରଙ୍ଗ ଦେବା ପାଇଁ ଅର୍ଥ ବ୍ୟୟ କରିବା କେତେଦୂର ଯୁକ୍ତିଯୁକ୍ତ ଓ କାହା ନିର୍ଦ୍ଦେଶରେ ବସ୍‌ଗୁଡ଼ିକର ରଙ୍ଗ ପରିବର୍ତ୍ତନ କରା ଯାଉଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଉଚିତ।

Advertisment

ସେହିପରି ଏହି ସାମ୍ବାଦିକ ସମ୍ମିଳନୀ‌ରେ ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି ଯେ ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ ହେବା ସମୟରେ ବିଜେପି କହୁଥିଲା ଯେ ଏହା ଅର୍ଥନୈତିକ ଦୃଷ୍ଟିକୋଣରୁ ସଫଳ ହେବ ନାହିଁ, ଏହାକୁ ବନ୍ଦ କରାଯାଉ। କିନ୍ତୁ ଏବେ ସରକାରକୁ ଆସିବା ପରେ କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରି ନିଜର ଯୋଜନା ଭାବେ ବାହାଦୁରୀ ନେବାକୁ ଅପଚେଷ୍ଟା କରୁଛି। ବିଜେପି ସରକାର ଏହି ନାମ ଓ ରଙ୍ଗ ପରିବର୍ତ୍ତନ କାର୍ଯ୍ୟରୁ ନିବୃତ ରହୁ। ବିଜେଡି ସରକାରର ଅନେକ ଯୋଜନା ଓଡ଼ିଶାର ଘରେ ଘରେ ଲୋକପ୍ରିୟ। ବିଜେପିର ଏହି ହୀନ ଉଦ୍ୟମ ଓଡ଼ିଶାବାସୀଙ୍କ ଦ୍ୱାରା ଗ୍ରହଣୀୟ ହେବ ନାହିଁ। ଜନସାଧାରଣଙ୍କୁ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଯଦି ଆଗାମୀ ଦିନରେ ସେ ସବୁ ପ୍ରତିଶ୍ରୁତି ପାଳନ ନକରି ପୁରୁଣା ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନରେ ବ୍ୟସ୍ତ ରୁହେ ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି। ସେହିପରି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ରାଜନୈତିକ ଦଳ ତରଫରୁ ବିରୋଧ କରାଯାଇ ନାହିଁ। ସରକାର ଆନ୍ତରିକତାର ସହ ରତ୍ନଭଣ୍ଡାର ଖୋଲି ଏହାର ଗଣତି ମଣତି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଉଦ୍ୟମ କରନ୍ତୁ। ରାଜ୍ୟ ସରକାର ଜଗନ୍ନାଥଙ୍କୁ ନେଇ କୌଣସି ପ୍ରକାର ରାଜନୀତି ନକରନ୍ତୁ ନାହିଁ।