ସମ୍ବଲପୁର ଜିଲ୍ଲା ପାଇଁ ଆଇଏଏସ୍ ଚଞ୍ଚଳ ରାଣାଙ୍କୁ ଦାୟିତ୍ବ
ଗଜପତି ଯିବେ ବରିଷ୍ଠ ଓଏଏସ୍ ଲକ୍ଷ୍ମୀକାନ୍ତ ସେଠୀ
ବରିଷ୍ଠ ଓଏଏସ୍ ଅନାମ ପାତ୍ର ହେଲେ ଗଜପତି ଜିଲ୍ଲା ଏଡିଏମ୍
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନକୁ ସହାୟତା କରିବା ପାଇଁ ଆଜି ରାଜ୍ୟ ସରକାର ପୁଣି ଥରେ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି। ୨୦୧୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ମୟୂରଭଞ୍ଜ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଚଞ୍ଚଳ କୁମାର ରାଣାଙ୍କୁ କରୋନା ପରିଚାଳନା ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ସହାୟତା କରିବାକୁ ପଠାଯାଇଛି। ସେହିପରି ଗଞ୍ଜାମ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଥିବା ବରିଷ୍ଠ ଓଏଏସ୍ ଅଧିକାରୀ ଅନାମ ଚରଣ ପାତ୍ରଙ୍କୁ ଗଜପତି ଜିଲ୍ଲା ଏଡିଏମ (ରାଜସ୍ବ) ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ଏହାସହିତ ଶ୍ରୀ ପାତ୍ର ଜିଲ୍ଲାର ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରମ ଓ ଇଏସ୍ଆଇ ବିଭାଗ ଯୁଗ୍ମ ଶାସନ ସଚିବ ଥିବା ବରିଷ୍ଠ ଓଏଏସ୍ ଅଧିକାରୀ ଲକ୍ଷ୍ମୀକାନ୍ତ ସେଠୀଙ୍କୁ କରୋନା ପରିଚାଳନା ପାଇଁ ଗଜପତି ଜିଲ୍ଲା ପ୍ରଶାସନକୁ ସହାୟତା କରିବା ପାଇଁ ନିଯୁକ୍ତ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।