ନାଲ୍‌କୋ ନଗର (ଅନୁଗୁଳ): ଗାଁ ପାଖରେ ଥିଲା ଲଣ୍ଡା ପାହାଡ଼। ଦିନ ଥିଲା ଏଠାକୁ ଯିବାକୁ ଲୋକମାନେ ଡରୁଥିଲେ। ମୁହଁ ସଞ୍ଜ ଆଗରୁ ଗାଈଆଳ ବି ଫେରି ଆସୁଥିଲେ। ହେଲେ ଏହି ଲଣ୍ଡା ପାହାଡ଼କୁ ସବୁଜିମାରେ ଭରି ଦେଇଛନ୍ତି ଜଣେ ଯୁବକ। ଅନୁଗୁଳ ସହରଠାରୁ ମାତ୍ର ୭ କିଲୋମିଟର ଦୂର ବଅଁରପାଳ ବ୍ଲକ୍‌ କୁକୁଡ଼ାଙ୍ଗ ଗାଁ ନିକଟ ଲଣ୍ଡା ପାହାଡ଼ ଏବେ ପାଲଟିଯାଇଛି ‘ନାରାୟଣ ସେବାଶ୍ରମ। ଭଳିକି ଭଳି ଫୁଲ, ଫଳ ଗଛ ସହ ପୂରା ପାହାଡ଼ ସବୁଜ ହୋଇଯାଇଛି। ଯେଉଁଠି କ‌ାହାର ପାଦ ପଡ଼ୁ ନଥିଲା, ସେଠାକୁ ପ୍ରତିଦିନ ଶହ ଶହ ଲୋକେ ବଣଭୋଜି ପାଇଁ ଯାଉଛନ୍ତି। ଆଉ ପାହାଡ଼ର ପୁନରୁଦ୍ଧାର କରି ପାରିଥିବା କୁକୁଡ଼ାଙ୍ଗ ଗାଁର ଶିକ୍ଷିତ ଯୁବକ ପ୍ରମୋଦ ସାହୁଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି।

Advertisment

ଯୁକ୍ତ ଦୁଇ ଯାଏଁ ପାଠ ପଢ଼ିଛନ୍ତି ପ୍ରମୋଦ। ତାଳଚେର କୋଇଲା ଖଣିରେ ସେ ସୁପରଭାଇଜର୍‌ କାମ କରନ୍ତି। ପ୍ରତିଦିନ ଧୂଳି ଧୂଆଁରେ ଅଣନିଶ୍ବାସୀ ଲୋକଙ୍କୁ ଦେଖି ହଠାତ୍ ତାଙ୍କ ମନକୁ ଆସେ ବୃକ୍ଷରୋପଣ ଚିନ୍ତା। ହେଲେ କେଉଁଠି ଗଛ ଲଗାଇବେ ଭାବି ଗାଁ ପାଖ ଲଣ୍ଡା ପାହାଡ଼କୁ ସେ ଚୟନ କରିଥିଲେ। ୨୦୦୫ ମସିହାରେ ଗଛ ଲଗାଇବା ଆରମ୍ଭ କରିଥିଲେ। ଚିରସ୍ରୋତା ନନ୍ଦିରା ନଦୀ କୂଳରେ ଥିବା ଏହି ଲଣ୍ଡା ପାହାଡ଼ର ପଥର ରଗଡ଼ା ମାଟିରେ ଦିନେ ଦୁବ ବି କଅଁଳୁ ନଥିଲା; ହେଲେ ଏବେ ସେଠାରେ ସୃଷ୍ଟି ହୋଇଛି କଳ୍ପନାର ଉଦ୍ୟାନ। ଏହାର ନାଁ ଦେଇଛନ୍ତି ସେ ‘ନାରାୟଣ ସେବାଶ୍ରମ। ଲକ୍ଷେରୁ ଅଧିକ ଗଛ ଏହା ଭିତରେ ଲଗାଇଛନ୍ତି ପ୍ରମୋଦ। ଯେଉଁଥିରେ ରହିଛି ଫୁଲ, ଫଳ ଏବଂ ଔଷଧୀୟ ବୃକ୍ଷରାଜି। ସେବାଶ୍ରମ ମଧ୍ୟରେ ଅନେକ ଦେବଦେବୀଙ୍କ ମୂର୍ତ୍ତି, ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଭରି ରହିଛି। ଲୋକଙ୍କ ସୁବିଧା ପାଇଁ ତିଆରି ହୋଇଛି କଂକ୍ରିଟ୍‌ ପାଦଚଲା ରାସ୍ତା। ପ୍ରବେଶ ପଥରେ ସୁନ୍ଦର ଫାଟକ ବି ନିର୍ମାଣ ହୋଇଛି। କାଉଡ଼ିଆମାନେ ଏଠାରୁ ଜଳ ଉଠାଇ ବ୍ରତ ପାଳନ କରନ୍ତି। ଗାଁ ଲୋକଙ୍କଠାରୁ ନେଇ ପର୍ଯ୍ୟଟକ, ଏଠାରେ ସମୟ ବିତାଇବାକୁ ଆସୁଛନ୍ତି। ଖଣି, ଖାଦାନ ଯେଉଁଠି ପ୍ରାକୃତିକ ପରିବେଶକୁ ଦଳି ମକଚି ଦେଉଛି, ସେଇଠି ପ୍ରମୋଦଙ୍କ ପ୍ରମୋଦ ଉଦ୍ୟାନ ପରିବେଶ ସଚେତନତାର ସୁନ୍ଦର ବାର୍ତ୍ତା ବାଣ୍ଟୁଛି।

ବଡ଼କଥା ହେଲା ପ୍ର‌ମୋଦ ଆଜିଯାଏଁ ଗଛ ଲଗାଇବା ଲିଶା ଛାଡ଼ି ନାହାନ୍ତି। କୋଇଲା ଖଣିରେ କାମ କରି ପ୍ରଦୂଷଣକୁ ପାଖରୁ ଦେଖିଥିବା ପ୍ରମୋଦ ପ୍ରତିଦିନ କାମରୁ ଫେରିଲେ ଘଡ଼ିଏ ଏଠାରେ ସମୟ ଦିଅନ୍ତି। ନୂଆ ଗଛ ଲଗାନ୍ତି, ସବୁ ଗଛରେ ପାଣି ଦିଅନ୍ତି, ଆବର୍ଜନା ସଫା କରନ୍ତି। ଏଇ ୧୮ବର୍ଷ ଭିତରେ ନା ସେ କେବେ ଥକିଛନ୍ତି, ନା ନିଜକୁ ରୋକିଛନ୍ତି। ତାଙ୍କର ଏହି ନିଃସ୍ବାର୍ଥପର କାମକୁ ଦେଖି ବହୁ ପ୍ରକୃତିପ୍ରେମୀ ସେବଶ୍ରମକୁ ବୃକ୍ଷଦାନ କରନ୍ତି ବୋଲି ପ୍ରମୋଦ କୁହନ୍ତି। ଯାହାକୁ ସେ ଅତି ଖୁସିଯତ୍ନରେ ଲଗାଇ ଦିଅନ୍ତି। ଘର, ପରିବାର ଜଞ୍ଜାଳଠାରୁ ଢେର ଦୂରକୁ ଯାଇ ପ୍ରମୋଦ ଏବେ ସେବାଶ୍ରମ ଭିତରେ ଯେଉଁ ଉଦ୍ୟାନ ସୃଷ୍ଟି କରିଛନ୍ତି ତାହାର ନାଁ ରଖିଛନ୍ତି ‘ମୁକ୍ତିମାର୍ଗ’। ପାଖାପାଖି ୧୪ ଏକର ଜମିରେ ଏହି ଉପବନ ସୃଷ୍ଟି କରି ପ୍ରମୋଦ ସମାଜ ପାଇଁ ପାଲଟିଯାଇଛନ୍ତି ନିଆରା ପ୍ରକୃତିପ୍ରେମୀ।