ବଦଳିଲା କ୍ୟାମ୍ପସ ରାଜନୀତିର ରୂପରେଖ: ନିର୍ବାଚନର ବିକଳ୍ପ ଭାବେ ଉଭା ହେଲା ‘କ୍ୟାମ୍ପସ କମିଟି’

ଭୁବନେଶ୍ବର : ଏଥର ଛାତ୍ର ସଂସଦ ନିର୍ବାଚନ ହେବନାହିଁ। ତଥାପି କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଲାଣି। ଉତ୍କଳରୁ ବିଜେବି; ରାଜଧାନୀରୁ ରମାଦେବୀ, ସବୁ କ୍ୟାମ୍ପସରେ ଛାତ୍ର ରା‌ଜନୀତିର ଉଷ୍ମତା ବେଶ୍ ପରିଲକ୍ଷିତ ହେଲାଣି। କାରଣ ସେପ୍ଟେମ୍ବର ୨୦ ସୁଦ୍ଧା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ କମିଟି ଗଠନ କରିବାକୁ ଛାତ୍ର ବିଜେଡି ଘୋଷଣା କରିଛି। ଏହାକୁ ଦେଖି ଏବିଭିପି ଓ ଛାତ୍ର କଂଗ୍ରେସ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। ଛାତ୍ର କଂଗ୍ରେସ ଇତିମଧ୍ୟରେ କିଛି କଲେଜ କ୍ୟାମ୍ପସରେ କମିଟି ଗଠନ କରିଛି ଏବଂ ଏବିଭିପି ମଧ୍ୟ ଅନୁରୂପ ଭାବେ ସଭ୍ୟ ସଂଗ୍ରହ ସହ କ୍ୟାମ୍ପସ ୟୁନିଟ୍‌ ଗଠନ କରି ଛାତ୍ରଛାତ୍ରୀଙ୍କ ସମସ୍ୟାରେ ଭାଗିଦାର ହେବାକୁ ଯୋଜନା ପ୍ରସ୍ତୁତ କରିଛି।

ଖବର ଅନୁସାରେ, ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ବିଜେଡି ୨୨ ଜଣିଆ କମିଟି ଗଠନ କରୁଛି। ଏଥିରେ ଆବାହକ, ସହ ଆବାହକ, କ୍ରୀଡ଼ା ସମ୍ପାଦକ, ନାଟ୍ୟ ସମ୍ପାଦକ, ହଷ୍ଟେଲ ସୋସାଇଟି ଇନ୍‌ଚାର୍ଜ, ଡେ ସ୍କଲାର ସୋସାଇଟି ଇନ୍‌ଚାର୍ଜ ଆଦି ପଦରେ ଛାତ୍ରଛାତ୍ରୀଙ୍କୁ ରଖାଯାଉଛି। ଯେଉଁମାନେ କି କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିବେ। ବୃକ୍ଷରୋପଣ, ରକ୍ତଦାନ ଶିବିର, ହେଲ୍‌ପ ଡେସ୍କ, ସ୍ବତନ୍ତ୍ର କ୍ୟାମ୍ପ କରିବେ। ଜଣେ ନିର୍ବାଚିତ ପ୍ରତିନିଧି କ୍ୟାମ୍ପସରେ ଯେଉଁ କାର୍ଯ୍ୟ କ‌ରନ୍ତି ଏମାନେ ତାହା କରିବେ। ଛାତ୍ର ବିଜେଡିର ମୁକାବିଲା ସହ କ୍ୟାମ୍ପସରେ ପତିଆରା ଜାହିର କରିବାକୁ ଛାତ୍ର କଂଗ୍ରେସ ୧୨ରୁ ୧୪ଜଣିଆ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ୩୦ ଜଣିଆ ୟୁନିଟ୍‌ ଗଠନ କରି ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହେବାକୁ ଲକ୍ଷ୍ୟରେ ଆଗକୁ ବଢ଼ୁଛି।

ତେବେ କମିଟି ଗଠନ ଛାତ୍ର ବିଜେଡିକୁ କିଛି ମାତ୍ରାରେ ଅଡ଼ୁଆରେ ପକାଇଛି। ବିଭିନ୍ନ ଗୋଷ୍ଠୀର ନେତା ନିଜ ନିଜ ସମର୍ଥକଙ୍କୁ କମିଟିରେ ନେବାକୁ ଉଦ୍ୟମ କରିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏଣୁ ସବୁ କ୍ୟାମ୍ପସରେ ଏବେ ସୁଦ୍ଧା କମିଟି ଗଠନ ଶେଷ ହୋଇପାରିନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟ ପରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନରେ କମିଟି ଗଠନ କରିବାରେ ସଙ୍ଗଠନ ସକ୍ଷମ ହୋଇପାରିନାହିଁ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ମଧ୍ୟ କମିଟି ଗଠନ ଚର୍ଚ୍ଚାରେ ରହିଛି।

କମିଟି ଗଠନ କାର୍ଯ୍ୟ ତ୍ବରାନ୍ବିତ କରିଛି ଛାତ୍ର ବିଜେଡି କମିଟି
ଅକ୍ଟୋବର ୧୫ ସୁଦ୍ଧା ସବୁଠି କମିଟି ଗଢ଼ିବ ଛାତ୍ର କଂଗ୍ରେସ
ସଦସ୍ୟ ସଂଗ୍ରହ କରୁଛି ଏବିଭିପି, ୩୦ ସୁଦ୍ଧା କ୍ୟାମ୍ପସ ୟୁନିଟ୍‌

ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ବି‌ଜୁ ଛାତ୍ର ଜନତା ଦଳରେ କୌଣସି ମତ ପାର୍ଥକ୍ୟ ନାହିଁ। ଛାତ୍ର ବିଜେଡି ସମସ୍ତ କର୍ମକର୍ତ୍ତାଙ୍କୁ ବିଶ୍ବାସକୁ ନେଇ ପ୍ରତ୍ୟେକ କ୍ୟାମ୍ପସରେ ସକ୍ରିୟ କ୍ୟାମ୍ପସ କମିଟି ଗଠନ କରିବ। ୨୦ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ କ୍ୟାମ୍ପସରେ କମିଟି ଗଠନ ହେବା ନେଇ ପ୍ରକ୍ରିୟା ଜାରି ରହିଛି। ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ। ମାତ୍ର ସବୁ କ୍ୟାମ୍ପସରେ କମିଟି ଗଠନ ହେବ।

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ କହିଛନ୍ତି ଯେ ସଙ୍ଗଠନ ସବୁବେଳେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ହିତ ପାଇଁ କାର୍ଯ୍ୟ କରୁଛି। କ୍ୟାମ୍ପସରେ ହାରିଯିବା ଭୟରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି। ମାତ୍ର ଶିକ୍ଷାନୁଷ୍ଠାନରେ ଶିକ୍ଷାର ବାତାବରଣ ଠିକ୍‌ କରିବା, ଶିକ୍ଷକ ପଦ ପୂରଣ, ନିଶାମୁକ୍ତ କ୍ୟାମ୍ପସ, ବେରୋଜଗାର ରୋକିବା, ଘରୋଇ ଶିକ୍ଷାନୁଷ୍ଠାନଙ୍କ ମନମାନି ବିରୋଧରେ ଛାତ୍ର କଂଗ୍ରେସ ଲଢ଼େଇ ଜାରି ରଖିବ। ଏଥିପାଇଁ ଚଳିତବର୍ଷ ସବୁ କ୍ୟାମ୍ପସରେ କମିଟି ଗଠନ କରାଯାଉଛି। ଏବେ ସୁଦ୍ଧା ଉତ୍କଳ, ଫକୀର ମୋହନ, ବ୍ରହ୍ମପୁର, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନରେ ୩୦% କମିଟି ଗଠନ ସରିଛି। ଅକ୍ଟୋବର ୧୫ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛୁ। ରାଜ୍ୟ ସରକାରଙ୍କ ଶିକ୍ଷା ମାରଣ ନୀତି ବିରୋଧରେ ବର୍ଷତମାମ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ।

ଏବିଭିପି ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି କ୍ୟାମ୍ପସ ୟୁନିଟ୍‌ ଗଠନ ହେଉଛି। ତା’ ସହ ସେଲ୍‌ଫି ଉଇଥ୍‌ କ୍ୟାମ୍ପସ ୟୁନିଟ୍‌ କାର୍ଯ୍ୟକ୍ରମ ଜାରି ରହିଛି। କ୍ୟାମ୍ପସ ୟୁନିଟ୍‌ରେ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଆଦି ପଦବି ସୃଷ୍ଟି ସହ ଛାତ୍ରଛାତ୍ରୀଙ୍କୁ ସେଥିରେ ସାମିଲ କରାଯାଉଛି। ଏବେ ସୁଦ୍ଧା‌ ୬୦ଟି କ୍ୟାମ୍ପସରେ କମିଟି ଗଢ଼ାଯାଇଛି। ଗତ ୧୫ ତାରିଖଠାରୁ କ୍ୟାମ୍ପସ ୟୁନିଟ୍‌ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବର୍ଷ ସାରା ଏବିଭିପି କ୍ୟାମ୍ପସରେ ନିଜ କାର୍ଯ୍ୟକଳାପ ଜାରି ରଖିବ।

ସମ୍ବନ୍ଧିତ ଖବର