ବଦଳିଲା ଟିକାକରଣ ସମୟ, ଏବେ ସୋମବାରରୁ ଶୁକ୍ରବାର ଦିଆଯିବ ଟିକା

୩୦ ସୁଦ୍ଧା ଘରୋଇ ହସ୍ପିଟାଲକୁ ଟିକା ବନ୍ଦ ନିର୍ଦେଶ
ଧାର୍ଯ୍ୟ ସମୟ ଭିତରେ ହିତାଧିକାରୀଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଅ

ଭୁବନେଶ୍ବର : ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍ ପାଇଁ ରାଜ୍ୟ ସରକାର ଟିକାକରଣ ସମୟରେ ପରିବର୍ତନ କରିଛନ୍ତି। ଏଣିକି କେବଳ ସୋମବାରରୁ ଶୁକ୍ରବାର ଟିକା ଦିଆଯିବ। ଏହି ସମୟରେ ସରକାରୀ ଛୁଟି ଦିବସରେ ମଧ୍ୟ ଟିକାକରଣ କରାଯିବ। ସପ୍ତାହାନ୍ତ ସଟ୍‌ଡାଉନ୍ ସମୟରେ ସମସ୍ତ ଟିକାକରଣକୁ ସାନିଟାଇଜ୍ କରାଯିବ। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହାସହ ଏବେ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ କରାଯାଉଛି। ମାତ୍ର ଆସନ୍ତା ୧ତାରିଖରୁ ୧୮ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କ ଟିକାକରଣ କରାଯିବ। ଏବେ ଘରୋଇ ହସ୍ପିଟାଲମାନେ ଟିକାକରଣ ପାଇଁ ଲୋକଙ୍କଠାରୁ ୨୫୦ ଟଙ୍କା ନେଉଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟିକା ଦିଆଯାଉଛି। ମାତ୍ର ନିକଟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପାଇଁ ୫୦ ପ୍ରତିଶତ ଟିକା ସଂରକ୍ଷିତ ରଖିଥିବା ବେଳେ ଘରୋଇ କମ୍ପାନିମାନେ ସିଧାସଳଖ କମ୍ପାନିଠାରୁ ଟିକା କିଣି ପାରିବେ। ଏହାକୁ ଦୃଷ୍ଟିରେ ରଖି ସବୁ ଘରୋଇ ହସ୍ପିଟାଲକୁ ୩୦ତାରିଖ ସୁଦ୍ଧା ଟିକା ପ୍ରଦାନକୁ ବନ୍ଦ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ତେବେ ୩୦ତାରିଖ ସୁଦ୍ଧା ଘ‌ରୋଇ ହସ୍ପିଟାଲରେ ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେବେ ସେମାନେ ଦ୍ବିତୀୟ ଡୋଜ୍ ଟିକା ନେବା ବେଳକୁ ଏହାର ଦର ବୃଦ୍ଧି ପାଇବ। କାରଣ ଟିକା ପ୍ରସ୍ତୁତକାରୀ କମ୍ପାନି ଘରୋଇ ହସ୍ପିଟାଲ ପାଇଁ ୬ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି। ତେଣୁ ଲୋକମାନଙ୍କୁ ଦ୍ବିତୀୟ ଡୋଜ୍ ଟିକା ମହଙ୍ଗା ପଡ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି। ସେହିପରି ଠିକ୍ ସମୟରେ ଦ୍ବିତୀୟ ଡୋଜ୍ ଟିକାକରଣ କରିବା ଲାଗି ସବୁ ଜିଲ୍ଲାକୁ ନିର୍ଦେଶ ଦିଆଯାଇଛି। ଗତକାଲି ସୁଦ୍ଧା ରାଜ୍ୟରେ ୮୬,୫୬୨ ‘କୋଭିସିଲ୍‌ଡ’ ଓ ୨୬,୪୩୦ ‘କୋଭାକ୍ସିନ୍’ ଟିକା ନେଇଥିବା ହିତାଧିକାରୀଙ୍କ ଦ୍ବିତୀୟ ଡୋଜ୍ ନେବା ଅପେକ୍ଷାରେ ରହିଛନ୍ତି। ରାଜ୍ୟରେ ଆଜି ୭୭୮ଟି ଅଧିବେଶନରେ ୮୧,୬୮୪ଜଣ କରୋନା ଟିକା ନେଇଛନ୍ତି। ଏଥିରେ ୪୫ବର୍ଷରୁ ଅଧିକ ୫୨,୪୭୧ଜଣଙ୍କୁ ପ୍ରଥମ ଓ ୨୫,୩୩୨ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ୫ଜଣଙ୍କଠାରେ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୫୪ଲକ୍ଷ ୪୧ହଜାର ୪୭୮ଜଣ କରୋନା ଟିକା ନେଇ ସାରିଲେଣି। ଅପରପକ୍ଷରେ ଆସନ୍ତାକାଲି ୬୯୬ଟି ଅଧିବେଶନରେ ଟିକାକରଣ କରାଯିବ। କେବଳ ଝାରସୁଗୁଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର