ଆଇଏଫ୍‌ଏସ୍‌ ସ୍ତରରେ ଅଦଳବଦଳ, ପରିବେଶ ବିଭାଗ ନିର୍ଦ୍ଦେଶକ ହେଲେ ସୁଶାନ୍ତ ନନ୍ଦ

ଡିସିଏଫ୍‌ ହେଲେ ସସ୍ମିତା ଲେଙ୍କା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଫ୍‌ଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୯ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସିଇଓ ଓ ଆଇସିଜେଡ୍‌ଏମ୍‌ପିର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ସୁଶାନ୍ତ ନନ୍ଦଙ୍କୁ ପରିବେଶ ବିଭାଗର ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ଏହାସହିତ ଶ୍ରୀ ନନ୍ଦ ସିଡିଏ ସିଇଓ ଆଇସିଜେଡ୍‌ଏମ୍‌ପିର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ୨୦୦୫ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ତଥା କଟକ ସ୍ଥିତ କେନ୍ଦୁପତ୍ର ବିଭାଗର ସିସିଏଫ୍‌ ଥିବା ଅରୁଣ କୁମାର ସ୍ବାଇଁଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ଼ର ନିର୍ଦ୍ଦେଶକ (ବାଣିଜ୍ୟକ) ଭାବେ ନିଯୁକ୍ତ କରାଯାଇଛି।

ଏହି ପଦରେ ଥିବା ଆଇଏଫ୍‌ଏସ୍‌ ଇ.ଏଲ୍‌.ୟାଙ୍ଗେର୍‌ ଆୟାର ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ। ୨୦୧୦ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ତଥା ସାତକୋଶିଆ ବନ୍ୟଜନ୍ତୁ ଡିଭିଜନ୍‌ ଡିଏଫ୍‌ଓ ଥିବା ପି.ରାମସ୍ବାମୀଙ୍କୁ ପୁରୀ ବନ୍ୟଜନ୍ତୁ ଡିଭିଜନ୍‌ର ଡିଏଫ୍‌ଓ ଭାବେ ନିଯୁକ୍ତି ମିଳିଛି। ୨୦୧୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ତଥା ଭଦ୍ରକ ବନ୍ୟଜନ୍ତୁ ଡିଏଫ୍‌ଓ ପି.ପୂର୍ଣ୍ଣିମାଙ୍କୁ ଖୋର୍ଦ୍ଧା ବନଖଣ୍ଡ ଡିଭିଜନ୍‌ ଡିଏଫ୍‌ଓ ଭାବେ ଅବସ୍ଥାପିତ କରାଯାଇଛି। ୨୦୧୮ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ତଥା ଅନୁଗୁଳ ବନଖଣ୍ଡ ଡିଭିଜନ୍‌ ଡିଏଫ୍‌ଓ ଥିବା ରବି ମୀନାଙ୍କୁ ସାତକୋଶିଆ ବନ୍ୟଜନ୍ତୁ ଡିଭିଜନ୍‌ ଡିଏଫ୍‌ଓ ଭାବେ ନିଯୁକ୍ତି ପାଇଛନ୍ତି। ବାରିପଦା ବନଖଣ୍ଡରେ ଥିବା ୨୦୧୮ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ଯାଦବ ସୁଦର୍ଶନଙ୍କୁ ଆଠଗଡ଼ ବନଖଣ୍ଡ ଡିଭିଜନ୍‌ର ଭାରପ୍ରାପ୍ତ ଡିଏଫ୍‌ଓ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଆଠଗଡ଼ ବନଖଣ୍ଡ ଡିଭିଜନ୍‌ର ଡିଏଫ୍‌ଓ ଦାୟିତ୍ବରେ ଥିବା ସସ୍ମିତା ଲେଙ୍କାଙ୍କୁ ରାଜ୍ୟ ପିସିସିଏଫ୍‌ କାର୍ଯ୍ୟାଳୟରେ ଉପ ବନ ସଂରକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର