ଏମ୍‌ବିବିଏସ୍‌ ପାଠ୍ୟକ୍ରମ ବଦଳିବ

‘ସୋଆ’ରେ ସ୍ୱାସ୍ଥସେବା ଡିଜିଙ୍କ ସୂଚନା

ଖଣ୍ଡଗିରି : ବର୍ଷେ ଦେଢ଼ ବର୍ଷ ଭିତରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ବଦଳିବ। ଏଥିପାଇଁ କେନ୍ଦ୍ର ସରକାର ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ସହ ଆଲୋଚନା ଜାରି ରଖିଛନ୍ତି। ଏମ୍‌ବିବିଏସ୍‌ ସ୍ତରରେ ଛାତ୍ରଛାତ୍ରୀମାନେ ଆନାଟୋମି, ଫିଜିଓଲୋଜି ଓ ପାଥୋଲୋଜି ଭଳି ପାଠ୍ୟକ୍ରମ ସହ ଅତିକମ୍‌ରେ ୧୦ଟି ସର୍ଜରି ଉପରେ ଅଧିକ ଧ୍ୟାନ ଦେବେ। ଫଳରେ ସାଧାରଣସ୍ତରରେ ଡାକ୍ତରମାନେ ଅଧିକାଂଶ ରୋଗୀଙ୍କ ଚିକିତ୍ସାରେ ସହାୟକ ହୋଇପାରିବେ। ପରେ ସେମାନେ ନିଜ ନିଜ ପସନ୍ଦର ପାଠ୍ୟକ୍ରମକୁ ସ୍ୱତନ୍ତ୍ର ଭାବେ ଅଧ୍ୟୟନ କରିବେ। ନୂତନ ପାଠ୍ୟକ୍ରମ ଉଭୟ ମେଡିକାଲ ଛାତ୍ରଛାତ୍ରୀ ଓ ସମାଜ ପାଇଁ ହିତକର ହେବ ବୋଲି ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଆଜି ଶିକ୍ଷା ଓ ଅନୁସନ୍ଧାନ ବିଦ୍ୟାଳୟ(ସୋଆ)ରେ ଏକ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟସେବା ଡିଜି(ଡିଜିଏଚ୍‌ଏସ୍‌) ତଥା ବିଶିଷ୍ଟ କାର୍ଡିଓଥୋରାସିସ୍‌ ସର୍ଜନ ପ୍ରଫେସର ଜଗଦୀଶ ପ୍ରସାଦ ଏହି ସୂଚନା ଦେଇଛନ୍ତି।

କୁଷ୍ଠ ନିରାକରଣ ଉପରେ ମନ୍ତବ୍ୟ ଦେଇ ସେ କହିଲେ ଯେ ଏବେ ବିହାର ଝାଡ଼ଖଣ୍ଡ, ଛତିଶଗଡ଼, ମେଘାଳୟ ଓ ଦାଦ୍ରାନଗର ହାବେଳି ଭଳି ଅଞ୍ଚଳରେ ଏହି ରୋଗୀଙ୍କ ସଂଖ୍ୟା ପ୍ରାୟ ୪୦ ହଜାର ଅଛି। ଓଡ଼ିଶାରେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ନୂଆ ରୋଗୀଙ୍କ ସଂଖ୍ୟା ୫୧୦୦। ଏହି ରୋଗର ମୂଳୋତ୍ପାଟନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସେହିଭଳି ଓଡ଼ିଶା, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ମ୍ୟାଲେରିଆ ରୋଗକୁ ସମ୍ପୂର୍ଣଭାବେ ଦୂର କରିବା ପାଇଁ ପଦକ୍ଷେପ ନିଆଯାଉଛି ଓ ୨୦୨୫ ମସିହା ସୁଦ୍ଧା ସରକାର ଏଥିରେ ସଫଳ ହେବେ ବୋଲି ସେ ସୂଚନା ଦେଇଥିଲେ।

ଏହି ଅବସରରେ ସେଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଓ ମେଡିକାଲ ସାଇନ୍‌ସର ଡିନ୍‌ ପ୍ରଫେସର ଗଙ୍ଗାଧର ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ବର୍ତମାନ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତ ଭଳି ରୋଗରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଉପଯୁକ୍ତ ବ୍ୟାୟାମ ଓ ଯୋଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ଆଣ୍ଟିବାଓଟିକ୍‌ସ ବ୍ୟବହାର ଉପରେ ଉପଯୁକ୍ତ ଧ୍ୟାନ ଦେବାକୁ ଡାକ୍ତରମାନେ ସଚେତନ ହେବାକୁ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର