ଓପିଏସ୍‌ସି ରିଜୋଲ୍ୟୁସନ୍‌ରେ ପରିବର୍ତ୍ତନ: ଏଣିକି ସାର୍ବଜନୀନ ହେବନି ମାର୍କ ଲିଷ୍ଟ୍‌, ସଂସ୍କାର, ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଲା

କଟକ : ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ତା’ର ରିଜୋଲ୍ୟୁସନ‌୍‌ରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଓପିଏ୍‌ସି ରିଜୋଲ୍ୟୁସନ ନମ୍ବର ୫୩୯୫(୩.୯.୨୦୧୬)ର ପାରା ନମ୍ବର ୨କୁ ପରିବର୍ତ୍ତନ କରାଯାଇଛି। ଏଣିକି ଓପିଏସ୍‌ସି ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନେ କେବଳ ନିଜେ କେତେ ନମ୍ବର ରଖିଛନ୍ତି ଓ ତାଙ୍କ ମେରିଟ୍ ଲିଷ୍ଟ ଦେଖିପାରିବେ। ଜଣେ ପ୍ରାର୍ଥୀ ଅନ୍ୟ ଜଣେ ପ୍ରାର୍ଥୀ କେତେ ନମ୍ବର ରଖିଛନ୍ତି, ତାହା ଆଉ ଜାଣିବାର ସୁଯୋଗ ପାଇବେ ନାହିଁ। ପ୍ରାର୍ଥୀଙ୍କୁ କେବଳ ବ୍ୟକ୍ତିଗତ ଭାବେ ତାଙ୍କର ମାର୍କ ଲିଷ୍ଟ୍ ଯୋଗାଇ ଦିଆଯିବ। ଫଳରେ ଜଣେ ପ୍ରାର୍ଥୀ ଅନ୍ୟ ଜଣେ ପ୍ରାର୍ଥୀ କେତେ ନମ୍ବର ରଖିଛନ୍ତି ତାହା ଦେଖିବାର ସୁଯୋଗ ପାଇବ ନାହିଁ।

ପରିବର୍ତ୍ତିତ ନିୟମ ଅନୁଯାୟୀ, ଏଣିକି ୱେବ୍‌ସାଇଟ୍‌ରେ କେବଳ ଚୟନ ହୋଇଥିବା ପ୍ରାର୍ଥୀଙ୍କ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ। ଏଥିରେ ନାମ, ବର୍ଗ, ଲିଙ୍ଗ(ଜେଣ୍ଡର) ରହିବ ସିନା, ମାର୍କ ଲିଷ୍ଟ୍ ରହିବ ନାହିଁ। ତେବେ କଟ୍‌ ଅଫ୍ ନମ୍ବର ଓ ଫଳ ପ୍ରକାଶ ପରେ ଉତ୍ତରଗୁଡ଼ିକ ୱେବ୍‌ସାଇଟ୍‌ରେ ଅପ‌ଲୋଡ୍‌ କରାଯିବ। ବ୍ୟକ୍ତିଗତ ଭାବେ ନମ୍ବର ଜାଣିବାକୁ ଚାହିଁଲେ ପ୍ରାର୍ଥୀ ଲିଙ୍କ୍‌କୁ ଯାଇପାରିବେ। ତେବେ, ଏହା ପରୀକ୍ଷା ଫଳ ବାହାରିବାର ମାସକ ଭିତରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଓପିଏସ୍‌ସିର ଏଭଳି ସଂସ୍କାରକୁ ନେଇ ପ୍ରାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ୱେବ୍‌ସାଇଟରେ ଜଣେ ପ୍ରାର୍ଥୀ ଅନ୍ୟ ଜଣେ ପ୍ରାର୍ଥୀଙ୍କ ନମ୍ବର ଜାଣିବାର ସୁଯୋଗ ପାଉଥିଲେ। ଫଳରେ ଓପିଏସ୍‌ସିର ପରୀକ୍ଷା ପରିଚାଳନ‌ାରେ ସ୍ବଚ୍ଛତାକୁ ନେଇ ପ୍ରାର୍ଥୀଙ୍କର କୌଣସି ସନ୍ଦେହ ନଥିଲା। ତେବେ ଏଭଳି ସ୍ବଚ୍ଛ ପ୍ରକ୍ରିୟାରେ ଓପିଏସ୍‌ସି ସଂସ୍କାର ଆଣିବା ୫-ଟି ବା ‘ମୋ ସରକାର’ ନିୟମର ବି‌ରୋଧାଚରଣ କରୁଛି।

ଓପିଏସ୍‌ସିର ଏହି ନିଷ୍ପତ୍ତି, ପରୀକ୍ଷା ପରିଚାଳନା ଓ ମୂଲ୍ୟ‌ାୟନର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି। ଓପିଏସ୍‌ସି ତୁରନ୍ତ ଏ ନିଷ୍ପତ୍ତିର ପରିବର୍ତ୍ତନ ଆଣିବା ସହିତ ପୂର୍ବଭଳି ମାର୍କସିଟ୍ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରି ସ୍ବଚ୍ଛତା ରକ୍ଷା କରିବା ସହିତ ପୂର୍ବ ସଂସ୍କାରକୁ ବଜାୟ ରଖିବାକୁ ପ୍ରାର୍ଥୀମାନେ ଦାବି କରିଛନ୍ତି।

ସୂଚନା‌ଯୋଗ୍ୟ, କିଛିବର୍ଷ ତଳେ ଏଥି‌ରେ ପୂର୍ବ ନିୟମରେ ସଂସ୍କାର ଅଣାଯାଇ ପ୍ରାର୍ଥୀଙ୍କ ମାର୍କଲିଷ୍ଟ୍‌ ‌ୱେବ୍‌ସାଇଟ୍‌ରେ ଦିଆ‌ଯାଉଥିଲା। କିଛିବର୍ଷ ଧରି ଉକ୍ତ ସଂସ୍କାର ଯୋଗୁଁ ପ୍ରାର୍ଥୀମାନେ ଉପକୃତ ହେଉଥିଲେ। ହଠାତ୍ ପୁଣିଥରେ ଏଭଳି ପରିବର୍ତ୍ତନ କରି ଓପିଏସ୍‌ସି ତା’ର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ଠିଆ କରିଛି। ଜଣେ ପ୍ରାର୍ଥୀ ଅନ୍ୟ ଜଣେ ପ୍ରାର୍ଥୀଙ୍କ ନମ୍ବର ଦେଖିଲେ ସମସ୍ୟା କେଉଁଠି ବୋଲି ବହୁ ପ୍ରାର୍ଥୀ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର