ଭୁ‌ବନେଶ୍ବର : ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ହେଉଥିବା ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ଅଧିକ ସହଜ କରିବାକୁ ଯାଉଛନ୍ତି। ପୂର୍ବରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ରେ ଉର୍ତ୍ତୀର୍ଣ୍ଣ ହେଲେ ସମ୍ପୃକ୍ତ ଯୋଗ୍ୟତା ପ୍ରମାଣପତ୍ରର ବୈଧତା ୭ ବର୍ଷ ରହିଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇ ପ୍ରମାଣପତ୍ରର ଅବଧିକୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାଦ୍ବାରା ଥରେ ଓଟିଇଟିରେ ଯୋଗ୍ୟତା ହାସଲ କରିବା ପରେ ପ୍ରାର୍ଥୀମାନେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏଭଳି ନିଷ୍ପତ୍ତି ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି।