ଚଣ୍ଡିଖୋଲ : କେଇସି ଇଣ୍ଟରନେସନାଲ ନାମକ ଏକ କମ୍ପାନି ପାରାଦୀପକୁ ଲୁହାଗୁଣ୍ଡ ପଠାଇବା ପାଇଁ ଏବେ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ପାଇପ୍‌ ବିଛା କାର୍ଯ୍ୟ ଜାରି ରଖିଛି। ଏହି ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଟିକଟା ଛକ ନିକଟ ଦେଇ ରାଜପଥର ଅପର ପାର୍ଶ୍ୱକୁ ‘୭/ଏ’ କେନାଲ ଅତିକ୍ରମ କରିଛି। କମ୍ପାନି ପାଇପ୍‌ ବିଛାଉଥିବା ବେଳେ କେନାଲକୁ ସମ୍ପୂର୍ଣ୍ଣ ପୋତି ଦେଇ ପାଣି ଯାତାୟାତକୁ ଠପ୍‌ କରିଦେଇଛି। କେନାଲ ମଝିରେ ୧୦ ଫୁଟ ତଳକୁ ମେସିନ ସାହାଯ୍ୟରେ ଖୋଳା ଯାଉଥିବା ବେଳେ କେନାଲର ଗାର୍ଡ ୱାଲ୍‌ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏହି କେନାଲ ଭିତର ଦେଇ ଯାଇଥିବା ମେଗା ପାନୀୟଜଳ ପାଇପ୍‌ ମଧ୍ୟ ଛିଡ଼ି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ଏହି କେନାଲ ପାଣି ଉପରେ ନିର୍ଭର କରୁଥିବା ୭ଶହ ହେକ୍ଟର ଚାଷ ଜମିରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

Advertisment

ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଚାଷୀମାନେ କେନାଲ ପାଣିକୁ ଚାହିଁ ବସିଥିଲେ। ଗତ ୫ ଦିନ ହେଲା ଏହି କେନାଲରେ ପାଣି ଛଡ଼ାଯାଇଛି। ତେବେ ଗତକାଲି ଠାରୁ ପାଇପ୍‌ ବିଛା ପାଇଁ ସମସ୍ୟା ଉପୁଜିବାରୁ ପାଣି ଯାଉନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ଚାଷୀମାନେ ଆଜି ବାଲିଚନ୍ଦ୍ରପୁରସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ଶାରଦା ପ୍ରସନ୍ନ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରି କମ୍ପାନି ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସହକାରୀ ଯନ୍ତ୍ରୀ ଶ୍ରୀ ସେଠୀ ଘଟଣାସ୍ଥଳ ପରିଦର୍ଶନ କରି ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ସେହିପରି ଗୋବଣ୍ଡିଆ ପାଣିପଞ୍ଚାୟତ ସଭାପତି ରଞ୍ଜିତ କୁମାର ସାମଲ ମଧ୍ୟ କମ୍ପାନି ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ଅବସ୍ଥାରେ ଏହି କେନାଲ ପାଣି ଉପରେ ନିର୍ଭର କରୁଥିବା ଚାଷଜମିରେ କିଭଳି ଧାନଚାଷ ହେବ ସେନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।