ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତିରେ ବିଶୃଙ୍ଖଳା: ଆଜି ବି ରାଧାଦାମୋଦର ବେଶ, ବାଳଧୂପ ୩ ଘଣ୍ଟା ବିଳମ୍ବ

କାର୍ଯ୍ୟକାରୀ ହେଲାନି ପାଳିଆ ପୁରସ୍କାର ବନ୍ଦ ନିଷ୍ପତ୍ତି, ସଲାସୁତରା ନୀତିରେ ଶ୍ରୀମନ୍ଦିର ‌ପ୍ରଶାସନ-ସେବକ

ପୁରୀ: କାର୍ତ୍ତିକ ନୀତିକାନ୍ତି ଶୃଙ୍ଖଳାକୁ ସର୍ବାଧିକ ଗୁରୁ୍ତ୍ବ ଦିଆଯିବ। ଶୃଙ୍ଖଳିତ ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନକୁ ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରାଯିବ। ଗତ ୨୭ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଣମାଧ୍ୟମ ଆଗରେ ଏଭଳି ଦୃଢ଼ୋକ୍ତି ରଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପମୁଖ୍ୟ ପ୍ରଶାସକ। କିନ୍ତୁ କାର୍ତ୍ତିକ ମାସ ଓ କାର୍ତ୍ତିକ ବ୍ରତ ଆରମ୍ଭରୁ ନୀତିକାନ୍ତିରେ ଚରମ ବିଶୃଙ୍ଖଳା ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତିରେ ‌ବିଳମ୍ବ ଯୋଗୁ ଭକ୍ତଙ୍କ ଦର୍ଶନ ବି ବିଳମ୍ବ ହୋଇଛି। ଗତକାଲି ସାଢ଼େ ୩ ଘଣ୍ଟା ବିଳମ୍ବରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଆଜି ବି ନୀତିକାନ୍ତି ବିଳମ୍ବ ହୋଇଛି। ପ୍ରାୟ ୩ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ରାଧା‌ଦାମୋଦର ବେଶ ଓ ବାଳଧୂପ ନୀତି ସଂପନ୍ନ ହୋଇଛି। ନୀତି ବିଳମ୍ବ ପାଇଁ ପାଳିଆ ପୁରସ୍କାର ବନ୍ଦ ନିଷ୍ପତ୍ତି ହୋଇଥିଲେ ବି ଶ୍ରୀମନ୍ଦିର ପ୍ରଶାସନ-ସେବକଙ୍କ ସଲାସୁତରା ପାଇଁ ଆଜି ସୁଦ୍ଧା ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନଥିବା ଅଭିଯୋଗ ହୋଇଛି।

ନୀତି ନିର୍ଘଣ୍ଟ ଅନୁଯାୟୀ, କାର୍ତ୍ତିକ ମାସରେ ପ୍ରତିଦିନ ଭୋର ୪ଟାରେ ଦ୍ବାର ଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୬ଟା ୧୫ରେ ଅବକାଶ ନୀତି ଶେଷ ‌ପରେ ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। ଅନ୍ୟାନ୍ୟ ନୀତିକାନ୍ତି ପରେ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ଭିତରେ ବାଳଧୂପ ନୀତି ଅନୁଷ୍ଠିତ ହେବ। ମଝିରେ ପୂର୍ବାହ୍ନ ୧୦ଟା ୧୦ରେ ପ୍ରଥମ ଭୋଗମଣ୍ଡପ ଉଠିବ। ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ଣ ସାଢ଼େ ଗୋଟାଏ ମଧ୍ୟରେ ମଧ୍ୟାହ୍ନଧୂପ(କେବଳ କୋଠଭୋଗ), ଅପରାହ୍ଣ ଗୋଟାଏରୁ ୨ଟା ଦ୍ବିତୀୟ ଭୋଗମଣ୍ଡପ ଉଠିବ। ରାତି ୧୧ଟାରେ ବଡ଼ସିଂହାର ବେଶ, ସାଢ଼େ ୧୧ଟାରେ ବଡ଼ସିଂହାର ଭୋଗ ପରେ ରାତି ୧୨ଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ।

ସେହି ଅନୁଯାୟୀ ନୀତିକାନ୍ତି କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। କିନ୍ତୁ କାର୍ତ୍ତିକ ମାସ ଆରମ୍ଭଠାରୁ କ୍ରମାଗତ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବାରେ ଲାଗିଛି। ଗତକାଲି ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ ଦିନ ପ୍ରାୟ ସକାଳ ୭ଟାରେ ମଙ୍ଗଳଆଳତି ଅନୁଷ୍ଠିତ ହୋଇଥିଲା। ସେହି ଅନୁଯାୟୀ ଠାକୁରଙ୍କ ବେଶ ଓ ବାଳଧୂପ ନୀତି ପ୍ରାୟ ସାଢ଼େ ୩ ଘଣ୍ଟା ବିଳମ୍ବ ହୋଇଥିଲା। ଆଜି ସକାଳ ୬ଟା ବଦଳରେ ରାଧା ଦାମୋଦର ବେଶ ସକାଳ ୮ଟା ୫୦ରେ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୧୦ଟା ବଦଳରେ ମଧ୍ୟାହ୍ନ ୧୨ଟା ୪୫ରେ ବାଳଧୂପ ନୀତି ଶେଷ ହୋଇଛି। ପ୍ରଥମ ଭୋଗମଣ୍ଡପ ଅପରାହ୍ନ ୨ଟା ୧୫ରେ ଉଠିଛି। ଦ୍ବିତୀୟ ଭୋଗମଣ୍ଡପ ସଂଧ୍ୟା ସାଢ଼େ ୫ଟାରେ ଉଠିଛି। ସେହି ଅନୁସାରେ ଅନ୍ୟାନ୍ୟ ନୀତି ବି ବିଳମ୍ବ ହୋଇଛି।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ସଂପାଦକମାନଙ୍କୁ ନୀତି ସଂପାଦନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରକ୍ଷା ପାଇଁ ଚିଠି କରାଯାଇଥିଲା। ଚିଠି ଅନୁଯାୟୀ, ନୀତି ସଂପୃକ୍ତ ସେବାୟତ ସେବାରେ ୧୫ ମିନିଟ୍‌ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ଅଧଘଣ୍ଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ସେହିଭଳି ଘଣ୍ଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚିଠିର ୪ ବର୍ଷ ପରେ ବି ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇପାରିନି।

ସମ୍ବନ୍ଧିତ ଖବର