ପୁରୀ: ଶ୍ରୀମନ୍ଦିର ନୀତିକାନ୍ତିରେ ବିଶୃଙ୍ଖଳା ପାଇଁ ଆଜି ଜଣେ ପାଳିଆସେବକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ପ୍ରତିହାରୀ ସେବକଙ୍କ କାରଣରୁ ଦ୍ବାରଫିଟା ନୀତି ବିଳମ୍ବ ହେଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଛି। ସଂପୃକ୍ତ ସେବକ ହେଲେ ବଡ଼ଦ୍ବାର ପ୍ରତିହାରୀ ସେବକ ଶିବଶଙ୍କର ମହାପାତ୍ର। ୭ ଦିନ ଭିତରେ ନୋଟିସ୍ର ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ନଚେତ୍ ଆଇନ ଅନୁଯାୟୀ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦିନକର ପାଳିଆ ପୁରସ୍କାର ବନ୍ଦ କରାଯିବ ବୋଲି ପ୍ରଶାସନ ଚେତାଇ ଦେଇଛି।
ଶ୍ରୀମନ୍ଦିର ପ୍ରଶାସନ ଚିଠିରେ ଦର୍ଶାଇଛି ଯେ, ଅଗଷ୍ଟ ୯ ତାରିଖରେ ଶ୍ରୀ ମହାପାତ୍ରଙ୍କର ବଡ଼ଦ୍ବାର ପ୍ରତିହାରୀ ପାଳି ଥିଲା। ଏଥିପାଇଁ ରାତି ୩ଟାରୁ ଡକାଯାଇଥିଲେ ବି ସେ ପାଳିକୁ ଆସିନଥିଲେ। ଅନ୍ୟ ଜଣେ ବଡ଼ଦ୍ବାର ସେବକ ତାଙ୍କ କାର୍ଯ୍ୟ ସଂପାଦନ କରିବେ ବୋଲି କହିଥିଲେ ମଧ୍ୟ ସମୟ ଅବଧି ଭିତରେ ଜଣେ ହେଲେ ବଡ଼ଦ୍ବାର ପ୍ରତିହାରୀ ସେବକ ଆସିନଥିଲେ। ଯେଉଁଥିପାଇଁ ଦ୍ବାରଫିଟା ନୀତି ବିଳମ୍ବିତ ହୋଇଥିଲା। ଜଣେ ବଡ଼ଦ୍ବାର ପ୍ରତିହାରୀ ସେବକ ପହଞ୍ଚିବାରୁ ତାଙ୍କ ସହଯୋଗରେ ଭୋର୍ ୫ଟା ୫୦ରେ ଦ୍ବାରଫିଟା ନୀତି ସଂପାଦନ ହୋଇଥିଲା। ଶ୍ରୀ ମହାପାତ୍ରଙ୍କ ଦାୟିତ୍ବହୀନତା କାରଣରୁ ଅଗଷ୍ଟ ୯ ତାରିଖରେ ଦ୍ବାରଫିଟା ନୀତି ୩୫ ମିନିଟ୍ ବିଳମ୍ବ ହୋଇଥିଲା। ଯେହେତୁ ଶ୍ରୀ ମହାପାତ୍ରଙ୍କ ଅବହେଳାରୁ ନୀତି ବିଳମ୍ବ ହେଲା, କାହିଁକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ଓ ଅଗଷ୍ଟ ୯ ତାରିଖର ପାଳିଆ ପୁରସ୍କାର କଟାଯିବନି; ସେ ନେଇ ଜବାବ ରଖିବାକୁ ୭ ଦିନ ସମୟ ଦିଆଯାଇଛି। ଧାର୍ଯ୍ୟ ସମୟ ଭିତରେ ସନ୍ତୋଷଜନକ ଜବାବ ନ ମିଳିଲେ ଶ୍ରୀ ମହାପାତ୍ରଙ୍କ ବିରୋଧରେ ଶ୍ରୀମନ୍ଦିର ଆଇନ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।