ପୁରୀ : ରଥଯାତ୍ରାରେ ବିଶୃଙ୍ଖଳା ପରେ ବିଶୃଙ୍ଖଳା ଘଟିଚାଲିଛି। କେତେବେଳେ ରଥରେ ଠାକୁରଙ୍କ ଶ୍ରୀମୁଖ ଦର୍ଶନରୁ ଭକ୍ତ ବଞ୍ଚିତ ହେବାନେଇ ତ’ କେତେବେଳେ ଠାକୁର ଚାରମାଳ ଉପରେ ପଡ଼ିଯିବା ନେଇ। ଆଉ କେତେବେଳେ ରଥ ବିଳମ୍ବରେ ପହଞ୍ଚିବା ନେଇ। ତଥାପି ବିଶୃଙ୍ଖଳାରେ ଲଗାମ ଲଗାଇ ପାରିନି ଶ୍ରୀମନ୍ଦିର ପ୍ରଶାସନ। ଏବେ ନୀତିକାନ୍ତିକୁ ନେଇ ତୀବ୍ର ସମାଲୋଚନା ଆରମ୍ଭ ହୋଇଯାଇଛି। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଥିବା ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ ପାଇଁ ଦୁଇଦିନ ହେଲାଣି ରାତ୍ରପହୁଡ଼ ହୋଇପାରୁନି। ଦୁଇଦିନ ହେଲାଣି ମହାପ୍ରଭୁ ଅନିଦ୍ରା ରହିଛନ୍ତି। ଭକ୍ତ ଓ ସେବାୟତ ଏଥିପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ବ୍ୟବସ୍ଥା ଓ ସୁପରିଚାଳନା କ୍ଷେତ୍ରରେ ଘଳିଆ ପାଇଁ ଏତେସବୁ ବିଶୃଙ୍ଖଳା ଘଟୁଛି ବୋଲି ଅଭିଯୋଗ କରିଛନ୍ତି।
ଗତ ୨୩ ତାରିଖରେ ଦଇତାପତି ଓ ଦତ୍ତ ମହାପାତ୍ରଙ୍କ ଭିତରେ ବିବାଦ କାରଣରୁ ବନକଲାଗି ନୀତିରେ ବହୁ ବିଳମ୍ବ ହୋଇଥିଲା। ବନକଲାଗି ପାଇଁ ଦର୍ଶନ ବନ୍ଦ ଥିବାବେଳେ ଦଇତାପତିମାନେ ଭକ୍ତଙ୍କୁ ଦର୍ଶନ ପାଇଁ ଗର୍ଭଗୃହରେ ଭର୍ତ୍ତି କରାଇବାରୁ ଏଭଳି ସ୍ଥିତି ଉପୁଜିଥିଲା। ଭିଡ଼ କାରଣରୁ ଦତ୍ତ ମହାପାତ୍ର ସେବକ ବନକଲାଗି କରିବାକୁ ମନା କରି ଦେଇଥିଲେ। ଆପୋସ ସମାଧାନ ପରେ ରାତି ୮ଟା ବଦଳରେ ୧୧ଟାରେ ବନକଲାଗି ଆରମ୍ଭ ହୋଇଥିଲା। ପରଦିନ ବଢ଼ି ଭୋର୍ରେ ବନକଲାଗି ଶେଷ ହୋଇଥିଲା। ଯେହେତୁ ନୀତି ବିଳମ୍ବ ହେଲା ୨୪ ତାରିଖରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନ ହୋଇ ପରଦିନର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା। ଯଦି କେହି ଅଧିକାରୀ ସେଠାରେ ଉପସ୍ଥିତ ଥାଆନ୍ତେ, ନିଶ୍ଚିତ ଏହି ବିବାଦର ତତ୍କାଳ ସମାଧାନ ହୋଇପାରିଥାନ୍ତା ବୋଲି ଭକ୍ତ, ସେବାୟତମାନେ କହିଛନ୍ତି।
ଅନ୍ୟପକ୍ଷରେ, ୨୪ ତାରିଖ ହେରାପଞ୍ଚମୀ ନୀତିରେ ବି ବିଭ୍ରାଟ ଦେଖାଦେଇଛି। ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେବାକୁ ଥିବା ଏହି ନୀତି ଷଷ୍ଠ ଦିନରେ ସଂପନ୍ନ ହୋଇଛି। ନୀତି ବିଳମ୍ବ କାରଣରୁ ହେରାପଞ୍ଚମୀ ପରମ୍ପରା ଭଙ୍ଗ ହୋଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗର୍ଭଗୃହରେ ଭକ୍ତଙ୍କ ଗହଳି ଓ ଅଧିକ ଭୋଗ କାରଣରୁ ଯେଉଁ ସମୟରେ ଭୋଗମଣ୍ଡପ ଉଠିବା କଥା ତାହା ଉଠିପାରିନି। ଭୋଗମଣ୍ଡପ ଉଠିବାରେ ବିଳମ୍ବ ହେବାରୁ ସଂଧ୍ୟାଧୂପ ଓ ଅନ୍ୟାନ୍ୟ ନୀତି ବିଳମ୍ବ ହୋଇଛି। ଫଳରେ ହେରାପଞ୍ଚମୀ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ରାତି ପ୍ରାୟ ସାଢ଼େ ୯ଟାରୁ ୧୦ଟା ଭିତରେ ଲକ୍ଷ୍ମୀ ସାଆନ୍ତାଣୀ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ବଦଳରେ ଚଳିତଥର ରବିବାର ସକାଳେ ପହଞ୍ଚିଛନ୍ତି। ନୀତି ବିଳମ୍ବ ଯୋଗୁ ଆଜି ବି ମହାପ୍ରଭୁଙ୍କ ରାତ୍ରପହୁଡ଼ ନ ହୋଇ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଛି। ବଢ଼ି ଭୋର୍ରୁ ହେବାକୁ ଥିବା ମଙ୍ଗଳଆଳତି ସକାଳ ୯ଟା ୨୦ରେ ସଂପନ୍ନ ହୋଇଛି। ଫଳରେ ଗତକାଲି ହେରାପଞ୍ଚମୀ ନୀତି ଦେଖିବାକୁ ଅପେକ୍ଷା କରିଥିବା ହଜାର ହଜାର ଭକ୍ତ ନିରାଶ ହୋଇ ଫେରିଛନ୍ତି।
ହେରାପଞ୍ଚମୀ ନୀତି ବିଳମ୍ବ ସଂପର୍କରେ ନବକିଶୋର ପତି ମହାପାତ୍ର କହିଛନ୍ତି, ହେରାପଞ୍ଚମୀ ନୀତି ବିଳମ୍ବ ଯୋଗୁ ଭକ୍ତମାନେ ମା’ ଲକ୍ଷ୍ମୀଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଏହା ନିଶ୍ଚିତପକ୍ଷେ ଭକ୍ତଙ୍କୁ ଆଘାତ ଦେଇଛି। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ସମସ୍ତ ଭକ୍ତ ଚାହୁଛନ୍ତି, ଗର୍ଭଗୃହରେ ପଶି ଦର୍ଶନ କରିବା। ଏହା ଅସମ୍ଭବ। ଗତକାଲି ଭକ୍ତ କେହି ଶୁଣିଲେନି। ଦାୟିତ୍ବରେ ଥିବା ଅଧିକାରୀ ଏକଥା ଉପରେ ଦୃଷ୍ଟି ଦେଲେନି। ତିନି ପାର୍ଶ୍ବରୁ ଭକ୍ତମାନେ ଗର୍ଭଗୃହରେ ପଶିଲେ। ବିନା ଟିକେଟ୍ରେ ଜୋର୍ ଜବରଦସ୍ତ ଗର୍ଭଗୃହରେ ପଶିଲେ। ଯେଉଁଥିପାଇଁ ନୀତି ବିଳମ୍ବ ହୋଇଥିଲା। ଯଦି ଗର୍ଭଗୃହ ଦର୍ଶନ ବନ୍ଦ କରି ଦିଆଯାଏ, ନୀତି ଶୃଙ୍ଖଳିତ ହେବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।