କଟକ: ବିଶ୍ବସ୍ତରୀୟ ହେବାକୁ ଯାଉଥିବା କଟକ ବଡ଼ ଡାକ୍ତରଖାନାରେ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରୀ ଛାତ୍ର ନିୟମିତ ଆକ୍ରମଣ ଘଟଣା ସବୁଠାରୁ ଅଧିକ ଚିନ୍ତାଜନକ ହେଲାଣି। ୨୦୧୭-୨୨ ବର୍ଷ ଭିତରେ ଡାକ୍ତରଙ୍କ ବିରୋଧରେ ୮ଟି ଅପରାଧିକ ମାମଲା ମଙ୍ଗଳାବାଗ ଥାନାରେ ରୁଜୁ ହେଲାଣି। ପାଖାପାଖି ୨୫ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରୁ ଅନେକ ଡାକ୍ତରଙ୍କ ବିରୋଧରେ ପୁଲିସ କୋର୍ଟରେ ଚାର୍ଜସିଟ୍ ବି ଦାଖଲ କରିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ଶକୁନ୍ତଳା ଶୋଇଥିବା ବେଳେ ସଜ୍ଞାହୀନ ହୋଇପଡ଼ିଥିଲେ। ବଡ଼ ଡାକ୍ତରଖାନା ମେଡିସିନ୍ ଓ୍ବାର୍ଡରେ ଡାକ୍ତର ସାପ କାମୁଡ଼ା ଦର୍ଶାଇ ଚିକିତ୍ସା କରିଥିଲେ। ଗଲା ୨୪ ତାରିଖରେ ଶକୁନ୍ତଳାଙ୍କ ମୃତ୍ୟୁ ହୋଇଯିବାରୁ ପରିବାର ଲୋକେ ଶବ ବ୍ୟବଚ୍ଛେଦ କରିବାକୁ ଅଡ଼ି ବସିବାରୁ ବିବାଦୀୟ ଡାକ୍ତରମାନେ ସଂଘବଦ୍ଧ ଭାବେ ତାଙ୍କୁ ଓ ତାଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କରିଥିଲେ। ମଙ୍ଗଳାବାଗ ଥାନା ପୁଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିବାରୁ ପୁଲିସକୁ ବି ଗାଳିଗୁଲଜ କରାଯାଇଥିଲା। ଏବେ ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର୍ ଟୋପାଜ୍ ମିନଜ୍ ରୋଗୀ ସମ୍ପର୍କୀୟଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟ ବାହାରପଟୁ କବାଟ ଦେଇ ଅଟକ ରଖିଥିଲେ।
ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହିତ ଠେଲାପେଲା କରିଥିବା ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରିଛି। ସେହିପରି ମୃତା ଶକୁନ୍ତଳାଙ୍କ ପରିବାର ସଦସ୍ୟଙ୍କୁ ଡାକ୍ତରମାନେ ସଂଘବଦ୍ଧ ଭାବେ ମାଡ଼ ମାରିବା ଘଟଣାରେ ପୁତୁରା ପ୍ରତାପ ଚନ୍ଦ୍ର ପରିଡ଼ାଙ୍କ ଅଭିଯୋଗ ଆଧାରର ଆଉ ଏକ ପାଲଟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ। ଅନ୍ୟପଟେ ଡାକ୍ତର ସଂଘ ଏବେ ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ରଙ୍କ ବିରୋଧରେ ପୁଲିସ କମିସନର୍ଙ୍କ ନିକଟରେ ଫେରାଦ ହୋଇଛନ୍ତି। ଆଇଆଇସି ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଆକ୍ରମଣର ଶିକାର ହୋଇଥିବା ରୋଗୀ ସମ୍ପର୍କୀୟଙ୍କୁ ଉଦ୍ଧାର କରିବାକୁ ଯାଇ ଏବେ ମଙ୍ଗଳାବାଗ ପୁଲିସ ଫସିଯାଇଛି।
୨୦୨୧ ଅକ୍ଟୋବର ୨୧ ତାରିଖରେ ହାଇକୋର୍ଟ ଆଇନଜୀବୀ ସପନ କୁମାର ପାଲଙ୍କୁ ୬ରୁ ୭ ଜଣ ଆସିଷ୍ଟାଣ୍ଟ ପ୍ରଫେସର୍ ଓ ପିଜି ଡାକ୍ତର ମିଶି ଆକ୍ରମଣ କରିଥିବା ମଙ୍ଗଳାବାଗ ଥାନାରେ ଏତଲା ରୁଜୁ ହୋଇଥିଲା। ନ୍ୟୁରୋଲଜି ବିଭାଗର ଡାକ୍ତର ବିଳମ୍ବରେ ଆସିବାରୁ ଏହି ଘଟଣାକୁ ସେ ପ୍ରତିବାଦ କରିଥିଲେ। ଏହାକୁ ନେଇ ଡାକ୍ତରମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ମାମଲାର ତଦାରଖ କରିବାକୁ ହାଇକୋର୍ଟ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ବଡ଼ ଡାକ୍ତରଖାନାରେ ପୁଲିସ, ସାମ୍ବାଦିକ, ଆଇନଜୀବୀ ବିଭିନ୍ନ ସମୟରେ ଡାକ୍ତରଙ୍କ ଅକ୍ରୋଶର ଶିକାର ହୋଇଛନ୍ତି। କିନ୍ତୁ ଏସବୁ ଘଟଣାରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାକୁ ନେଇ ରୋଗୀ ସମ୍ପର୍କୀୟମାନେ ଏବେ ଭୟଭୀତ ହେଲେଣି।