ଜାଗା ଅଛି, ଚାରା ଦିଶୁନି : ୧୧.୮୬ ଲକ୍ଷ ଚାରା ରୋପଣରେ ଖର୍ଚ୍ଚ କରିଛନ୍ତି ୧୧.୨୬ କୋଟି

ରାଉର‌କେଲା: ବନୀକରଣ ନାଁରେ ସାରା ରାଜ୍ୟରେ ଚାଲିଛି ବ୍ୟାପକ ହରିଲୁଟ୍‌। ବନୀକରଣର ମହାଦୁର୍ନୀତିରେ ଏବେ ଫସିଛନ୍ତି ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ। ଏ ଦୁର୍ନୀତିର ଚେର ରାଜ୍ୟର ସମସ୍ତ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟକୁ ଲମ୍ବିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ସମୟରେ ରାଉରକେଲା ବନଖଣ୍ଡ ଅଧୀନର ୬ ରେଞ୍ଜରେ ବନୀକରଣରେ ଗୋଟିଏ ପରେ ‌ଗୋଟିଏ ଦୁର୍ନୀତି ସାମ୍ନାକୁ ଆସିବା ଚର୍ଚ୍ଚାର ବିଷୟ ପାଲଟିଛି। ଦୁର୍ନୀତିର ଚେର ବନଖଣ୍ଡ କାର୍ଯ୍ୟାଳୟରୁ ପାନପୋଷ, କୁଆରମୁଣ୍ଡା, ବାଙ୍କି, ବୀରମିତ୍ରପୁର, ବିଶ୍ରା ଓ ରାଜଗାଙ୍ଗପୁର ଆଦି ରେଞ୍ଜ ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି। ଏହି କଥା ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ କହୁଛି।

ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ କାଗଜପତ୍ରରେ ସବୁ କିଛି ଠିକ୍‌ ଠାକ୍‌ ହୋଇଥିବା ଦର୍ଶାଯାଇଛି କିନ୍ତୁ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ମିଳିଛି ତାହା ଏକ ବଡ଼ ଧରଣର ଦୁର୍ନୀତିକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ବନୀକରଣ ନାଁରେ କୋଟି କୋଟି ଟଙ୍କା ଚଳୁ କରି ଦିଆଯାଇଥିବା ସନ୍ଦେହ ସୃଷ୍ଟି କରୁଛି। ନିର୍ଦ୍ଦିଷ୍ଟ ସ୍ଥାନରେ ରୋପଣ କରା ଯାଇଥିବା ଚାରାର ସଂଖ୍ୟା ସଂପର୍କରେ ତଥ୍ୟ ରଖା ନଯାଇ ୮୮ରୁ ୯୫% ଜୀବିତ ଥିବା କାଗଜପତ୍ରରେ ଦର୍ଶାଯାଇଛି। ଗୋଟିଏ ଗୋଟିଏ ଜାଗାରେ ଚାରାରୋପଣରେ ଦୁଇ ଲକ୍ଷରୁ ଦେଢ଼କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୋଇଥିବା ଅବିଶ୍ବସନୀୟ ହିସାବ ଦିଆ ଯାଇଛି। କିନ୍ତୁ ଅନେକ ସ୍ଥାନରେ କେତେ ଚାରାରୋପଣ କରାଯାଇଛି ତାହାର କୌଣସି ହିସାବ ନାହିଁ। ଏମିତି ଅଧିକାଂଶ ସ୍ଥାନରେ ଚାରା ଲାଗିନି କିନ୍ତୁ ଟଙ୍କା ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଅଧିକାଂଶ ସ୍ଥାନରେ ଚାରା ଦିଶୁନି, କିନ୍ତୁ ୮୫ରୁ ଅଧିକ ପ୍ରତିଶତ ଚାରା ବଞ୍ଚିଥିବା ଦାବି କରା ଯାଉଛି। ୬ଟି ଯାକ ରେଞ୍ଜରେ ସମାନ ସ୍ଥିତି।

ଆମ ଜଙ୍ଗଲ ଯୋଜନା (ଏଜେୱାଇ)ରେ ପ୍ରାୟ ୮ କୋଟି ଟଙ୍କା ଚାରା ଲଗାଯାଇଛି। କିନ୍ତୁ କେଉଁ ସ୍ଥାନରେ ‌କେତେ ଚାରା ଲାଗିଛି ଏହାର କୌଣସି ତଥ୍ୟ ବନ ବିଭାଗ ପାଖରେ ନାହିଁ। ଏସବୁ ଜାଗାଗୁଡ଼ିକ ମଧ୍ୟରେ ରହିଛି ବାଙ୍କିର ସିଲପୁଞ୍ଜି, ଲଙ୍ଗଳକଟା, ଖଜୁରନାଳି, ନୂଆଗାଁ, ବୀରମିତ୍ରପୁରର ତଲସରା, କରଞ୍ଜିଆ, ଦଲକି, କୁମ୍ଭାରଟୋଲା ଏସବୁ ସ୍ଥାନରେ କେତେ ଚାରା ଲାଗିଛି ବନ ବିଭାଗ କାର୍ଯ୍ୟାଳୟର ତଥ୍ୟ। କେବଳ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିପରି ବିଶ୍ରାର ଭାଲୁଲତା -ଏ, ମହିପାଣି, ବାଗଡେଗା, କୁଦେଲକୁଚା, କୁଆରମୁଣ୍ଡା ରେଞ୍ଜର ପଣ୍ଡୁଡେରା, ବିଜାଡିହି, ଟାଇଁସର, ରିଉଁ, କିସାନଟୋଲା, ଗୋବିରା, ହରିହରପୁର, ପାନପୋଷ ରେଞ୍ଜର ରାମଯୋଡି, ମନ୍‌କୋ, ବଲାଣି, ରାଜଗାଙ୍ଗପୁରର ମିଲନ, ସିଂପଡା, ହାତିଧରସା, ସୁନାଖଣ୍ଡି, ଚିନି ମହୁଲ। ସବୁଠୁ ଆଶ୍ଚର୍ଯ୍ୟ କଥା କୁଆରୁଣ୍ଡା ରେଞ୍ଜର ହରିହରପୁର ୬୩ ହେକ୍ଟର ଜାଗାରେ ଚାରାରୋପଣରେ ୧ଲକ୍ଷ ୧୩ ହଜାର ୪୦୦ ଟଙ୍କା, ଗୋବିରା ୬୫ ହେକ୍ଟର ଜାଗାରେ ୧ଲକ୍ଷ ୧୭ ହଜାର, ପାନପୋଷ ରେଞ୍ଜର ଗେଟିଝରଣରେ ୧ ଲକ୍ଷ ୫୨ ହଜାର ଖର୍ଚ୍ଚ ହୋଇଛି।

ଏଥିସହ ଅଧିକାଂଶ ଜାଗାରେ ୯୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ ‌ହୋଇଥିବା ଦର୍ଶାଯାଇଛି। କିନ୍ତୁ କୌଣସି ଗୋଟିଏ ସ୍ଥାନରେ କେତେ ଚାରା ଲାଗିଛି କିଛି ସୂଚନା ନାହିଁ। ଏମିତି ଭାବେ ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ୍‌ ୮ ହଜାର ୭୫୨ ହେକ୍ଟର ଜାଗାରେ ୧୧ ଲକ୍ଷ ୮୬ ହଜାର ୯୫୦ ଚାରା ରୋପଣ କରାଯାଇଛି। ଏ ବାବଦରେ ମୋଟ ୧୧ କୋଟି ୨୬ ଲକ୍ଷ ୬୭ ହଜାର ୬ ଶହ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏସବୁ ଫାଣ୍ଠି କାମ୍ପା, ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେସନ୍‌ (ଓଏମ୍‌ବିଏଡିସି) ଓ ଆମ ଜଙ୍ଗଲ ଯୋଜନା (ଏଜେୱାଇ)ରୁ ଆସିଛି। କିନ୍ତୁ ପ୍ରତ୍ୟେକ ରେଞ୍ଜରେ ଲାଗିଥିବା ଚାରାକୁ ସ୍ଥିତିକୁ ଦେଖିଲେ ସେତିକି ଅର୍ଥ ଖର୍ଚ୍ଚ କରା ଯାଇଥିବା ଆଦୌ ଜଣା ପଡୁନାହିଁ। ମିଥ୍ୟା ଲୁଚାଇବାକୁ ଅବଶ୍ୟ କେତେକ ସ୍ଥାନରେ ଚାରା ସଂଖ୍ୟା ଓ କେତେ ଟଙ୍କା ଖର୍ଚ୍ଚ ହୋଇଛି ତଥ୍ୟ ଦେଇଛନ୍ତି। ଏସବୁ ଜାଗାରେ ବାସ୍ତବ ଚିତ୍ର କିନ୍ତୁ ଓଲଟା। ଅଧିକାଂଶ ସ୍ଥାନରେ ଗଛର ଚିହ୍ନବର୍ଣ୍ଣ ନାହିଁ। ସବୁ ଜାଗାରେ କିଛି ୯୦ରୁ ୯୫ % ଜୀବିତ ଥିବା ଦର୍ଶାଯାଇଛି। ଏଥି ମଧ୍ୟରେ ରହିଛି କୁଆରମୁଣ୍ଡା ରେଞ୍ଜର ଚାର୍ଡିରେ ୩୦ ହେକ୍ଟର ଜାଗାରେ ୪୮ ହଜାର ଚାରା ରୋପଣ କରାଯାଇଛି। ଏ ବାବଦରେ ମୋଟ ୧୭ ଲକ୍ଷ ୮୨ ହଜାର ୨୦୦ ଟଙ୍କା ଖର୍ଚ୍ଚ ‌ହୋଇଛି। ୯୫% ଚାରା ଜୀବିତ ରହିଛି। ପାନପୋଷ ରେଞ୍ଜର ବନ୍ଧମୁଣ୍ଡା ଆର୍‌ଏସ୍‌ କଲୋନି ଏରିଆରେ ୨୪ ହଜାର ଚାରା ଲାଗିଛି। ଖର୍ଚ୍ଚ ହୋଇଛି ୮ ଲକ୍ଷ ୯୧ ହଜାର ୧୦୦ ଟଙ୍କା। ଏଠି ମଧ୍ୟ ୯୪% ଚାରା ଜୀବିତ ରହିଥିବା ଦର୍ଶାଯାଇଛି। ରାଜଗାଙ୍ଗପୁର ରେଞ୍ଜର ସାରୁମୋହନାରେ ପ୍ରାୟ ୪୦ ହଜାର ଚାରା ଲଗାଯାଇଛି।

ଚାରାରୋପଣରେ ୧୪ ଲକ୍ଷ ୮୫ ହଜାର ୨୦୦ ଟଙ୍କା ଖର୍ଚ୍ଚ କରାଯାଇଛି। ସେମିତି ପାନପୋଷ ରେଞ୍ଜ ସୋନାପର୍ବତରେ କାମ୍ପା ଫାଣ୍ଠିରୁ ୩୦୦ ହେକ୍ଟର ଜାଗାରେ ୬୦ ହଜାର ଚାରା ଲଗାଯାଇଛି। ଏ ବାବଦରେ ଖର୍ଚ୍ଚ ହୋଇଛି ୪୪ ଲକ୍ଷ ୭୯ ହଜାର ୯୦୦ ଟଙ୍କା। ପୂର୍ବସ୍ଥାନ ପରି ଏହି ସ୍ଥାନରେ ୯୩% ଚାରା ଜୀବିତ ଥିବା ବନ ବିଭାଗ ଦମ୍ଭୋକ୍ତି ପ୍ରକାଶ କରୁଛି। କୁଆରମୁଣ୍ଡା ରେଞ୍ଜ ରୁତୁକୁପେଡିରେ ଲକ୍ଷେ ଚାରା ଲଗାଯାଇଛି। ଚାରାରୋପଣରେ ୭୪ ଲକ୍ଷ ୬୬ ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏହି ସ୍ଥାନରେ ୯୧ % ଚାରା ଜୀବିତ ଥିବା ଦର୍ଶାଯାଇଛି। ଭଇଁସାମୁଣ୍ଡାରେ ୮୦ ହଜାର ଚାରା ଲଗାଯାଇ ୫୯ ଲକ୍ଷ ୭୩ ହଜାର ୨୦୦ ଟଙ୍କା ଖର୍ଚ୍ଚ ହୋଇଛି। ଅନୁରୂପ ଭାବେ କୁଆରମୁଣ୍ଡା ରେଞ୍ଜର ହରପାଲିରେ ୪୦ ହଜାର ଚାରା ଲଗାଯାଇଛି। ଏ ବାବଦରେ ମୋଟ ୨୯ ଲକ୍ଷ ୮୬ ହଜାର ୬୦୦ ଟଙ୍କା ଖର୍ଚ୍ଚ ହୋଇଛି। ରାଜଗାଙ୍ଗପୁର ରେଞ୍ଜର ହଳଦିପାଣିରେ ୨ ଲକ୍ଷ ଚାରା ଲଗାଯାଇ ୧ କୋଟି ୪୯ ଲକ୍ଷ ୩୨ ହଜାର ୯୦୦ ଟଙ୍କା ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର