୪ ଦିନିଆ ରିମାଣ୍ଡରେ ଗଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ

ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ସିବିଆଇ ୪ ଦିନିଆ ରିମାଣ୍ଡରେ ନେଇଛି। ସିବିଆଇ ଅଧିକ ପଚରାଉଚରା ପାଇଁ ଚର୍ଚ୍ଚିତଙ୍କୁ ରିମାଣ୍ଡରେ ନେଇଥିବା ଜଣାଯାଇଛି। ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୯ରେ ସରିବ ଏବଂ ଆସନ୍ତା ୧୦ ତାରିଖ ଦିନ ୨ଟାରେ ଚର୍ଚ୍ଚିତଙ୍କୁ କୋର୍ଟରେ ହାଜର କରାଯିବ। ଚର୍ଚ୍ଚିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଡାଏଟ୍ ଓ ଔଷଧ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଚର୍ଚ୍ଚିତଙ୍କ ଓକିଲ ଜୟଦୀପ ପାଲ କହିଛନ୍ତି, ସିବିଆଇ ପୂର୍ବରୁ ସରୋଜ ଦାସ, ସୂର୍ଯ୍ୟ ନାରାୟଣ ସାହୁ, ସୁମନ୍ତ ରାଉତଙ୍କୁ ରିମାଣ୍ଡରେ ନେଇଥିଲା। ଏବେ ଚର୍ଚ୍ଚିତ ମିଶ୍ର, ଶିଶିର କୁମାର ଦାସ, ଶଙ୍ଖଶୁଭ ମିତ୍ରଙ୍କୁ ୯ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଆସନ୍ତା ୧୦ ତାରିଖରେ କୋର୍ଟରେ ପୁଣି ଥରେ ହାଜର ହେବେ ଚର୍ଚ୍ଚିତ ମିଶ୍ର, ଶିଶିର କୁମାର ଦାସ ଓ ଶଙ୍ଖଶୁଭ୍ର ମିତ୍ର। ଏହି ତିନି ଜଣଙ୍କର କୋର୍ଟରେ ଜାମିନ ଆବେଦନ କରାଯାଇଛି । କୋର୍ଟ ଆସନ୍ତା ୧୦ ତାରିଖରେ ଏହାର ଶୁଣାଣି କରିବେ।

ସୂଚନାଯୋଗ୍ୟ, ପୂର୍ବରୁ ଏଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ରହିଛନ୍ତି । ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା ଏବଂ ଶନିବାର ସକାଳେ ଚର୍ଚ୍ଚିତ ମିଶ୍ର ସିବିଆଇ ନିକଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ସିବିଆଇ ରେଡ୍ ସମୟରେ ସେମାନଙ୍କଠାରୁ ୮୪.୫ ଲକ୍ଷ ଟଙ୍କା ଜବତ କରାଯାଇଛି।  ପାରାଦୀପ ପୋର୍ଟରେ ଠିକା ପାଇବା ଲାଗି ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର