କଟକ: କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗକୁ ନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିବା ଆବେଦନକାରୀ ଭାଗ୍ୟଧର ବେହେରା ୫ ଲକ୍ଷ ଟଙ୍କା ତଣ୍ଡ ଗଣିବେ। ହାଇକୋର୍ଟ ଏ ସଂପର୍କିତ ରିଟ୍ ପିଟିସନକୁ ଖାରଜ କରିବା ସହିତ ତିନି ସପ୍ତାହ ଭିତରେ ୫ ଲକ୍ଷ ଟଙ୍କା ହାଇକୋର୍ଟ ବାର୍ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ଜମା କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଆବେଦନ, ଯାହା ଓଡ଼ିଶାରେ ସାଧାରଣ ନିର୍ବାଚନ ସଂପର୍କିତ ମାର୍ଚ୍ଚ ୧୮ର ବିଜ୍ଞପ୍ତିର ଠିକ୍ ପରେ ମାର୍ଚ୍ଚ ୨୦ରେ ଦାଖଲ ହୋଇଥିଲା। ଆବେଦନକାରୀଙ୍କ ଅଭିଯୋଗ ଉପରେ ଭାରତର ନିର୍ବାଚନ କମିସନ ପ୍ରତିକ୍ରିୟା ପ୍ରକାଶ କରିବାର ୨୦ ଦିନ ଭିତରେ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ଏହା ଅଦାଲତୀ ପ୍ରକ୍ରିୟାର ଅପବ୍ୟବହାର। ସଂପୃକ୍ତ ନିର୍ବାଚନରେ ଆବେଦନକାରୀ ମତଦାତା ବା ପ୍ରତିଦ୍ବନ୍ଦ୍ବୀ ନଥିଲେ। ଓଡ଼ିଶାରେ ସାଧାରଣ ନିର୍ବାଚନ ନେଇ ମାର୍ଚ୍ଚ ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଏଭଳି ଅଯଥା ମାମଲା ଗୁଡିକୁ ଗ୍ରହଣ କରାଯିବା ଅନୁଚିତ। ଅନାବଶ୍ୟକ ମାମଲା ଯୋଗୁଁ ପ୍ରକୃତ ସମସ୍ୟା ସମ୍ବଳିତ ମାମଲା ଶୁଣାଣି ପାଇଁ ଅସୁବିଧା ହେଉଛି। ହାଇକୋର୍ଟ ଏଭଳି ମତ ଦେବା ସହିତ ଏସଂପର୍କିତ ମାମଲାକୁ ଖାରଜ କରିଛନ୍ତି। ଏଥିସହିତ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କା ଆଇନଜୀବୀ କଲ୍ୟାଣ ପାଣ୍ଠିରେ ୩ ସପ୍ତାହ ଭିତରେ ଜମା କରିବାକୁ କହିଛନ୍ତି।

Advertisment

ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଭାଗ୍ୟଧର ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଭୁବନେଶ୍ବରର ବାସିନ୍ଦା ଆବେଦନକାରୀ ଶ୍ରୀ ବେହେରା ନିଜେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଯୁକ୍ତି ଉପସ୍ଥାପନ କରିଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ୨୦୧୯ ଜୁନ ୨୮ରେ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭା ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ନାମାଙ୍କନପତ୍ର ଦାଖଲ ବେଳେ ଶ୍ରୀ ବୈଷ୍ଣବ ଯେଉଁ ସତ୍ୟପାଠ ଦେଇଥିଲେ ସେଥିରେ ଭୁଲ ତଥ୍ୟ ଉଲ୍ଲେଖ କରିଥିଲେ। ତାଙ୍କ ନାମାଙ୍କନରେ ରହିଥିବା ଘୋଷଣାନାମାରେ ମଧ୍ୟ ଠିକ୍ ତଥ୍ୟ ନଥିଲା। ତାଙ୍କର ସରକାରଙ୍କ ସହିତ କୌଣସି ଚୁକ୍ତି ନାହିଁ। ସେ କୌଣସି କମ୍ପାନିରେ ନାହାନ୍ତି। ପୂର୍ବରୁ ସେ ଏକ କମ୍ପାନିର ନିର୍ଦ୍ଦେଶକ/ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇ ସାରିଥିବା ବେଳେ ଏହା ବିଧିବଦ୍ଧ ଭାବେ ଗୃହୀତ ହୋଇଥିଲା ବୋଲି ଶ୍ରୀ ବୈଷ୍ଣବ ଦର୍ଶାଇଥିଲେ। ଏଭଳି କେତେକ ତଥ୍ୟକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ଏନେଇ ଭାରତର ନିର୍ବାଚନ କମିସନଙ୍କୁ ଆବେଦନକାରୀ ୨୦୨୪ ଫେବ୍ରୁଆରି ୧୫ରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ପାଇଁ ସେ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ପରବର୍ତ୍ତୀ ସମୟରେ ଶ୍ରୀ ବୈଷ୍ଣବ ପୁଣି ଥରେ ୨୦୨୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଆବେଦନକାରୀଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଓ ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ଆଇନଜୀବୀ ଗୋପଳ ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।