ବେଆଇନ୍‌ ଅସ୍ତ୍ରଶସ୍ତ୍ର ମାମଲା : ଧଳସାମନ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌

କଟକ: ବେଆଇନ୍‌ ଅସ୍ତ୍ରଶସ୍ତ୍ର ମାମଲାରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହିତ ସେମାନଙ୍କ ୫ ସହଯୋଗୀଙ୍କ ବିରୋଧରେ ଆଜି କଟକ ସଦର ଏସଡିଜେଏମ୍‌ ଅଦାଲତରେ ଚାର୍ଜଫ୍ରେମ୍‌ ହୋଇଛି। ତିନୋଟି ପୃଥକ ମାମଲାରେ ଚାର୍ଜଫ୍ରେମ୍‌ ହୋଇଥିବା ବେଳେ ଝାରପଡା ଜେଲରେ ଥିବା ସୁଶାନ୍ତ ଧଳସାମନ୍ତ ଓ ବାଲେଶ୍ୱର ଜେଲରେ ଥିବା ସୁଶୀଲ ଧଳସମାନ୍ତଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଅଦାଲତରେ ହାଜର କରାଯାଇଥିଲା। ଚାଉଳିଆଗଞ୍ଜ ଥାନା ମାମଲାରେ ଆର୍ମସ୍‌ ଆକ୍ଟର ଧାରା ୨୫-୧ବିରେ ସୁଶାନ୍ତ, ସୁଶୀଲ, ରାମଚନ୍ଦ୍ର ଦାସ, ଭାରତ ଭୂଷଣ ସ୍ୱାଇଁ, କୃଷ୍ଣଚନ୍ଦ୍ର ଦାସଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଛି।

ଚାଉଳିଆଗଞ୍ଜ ଥାନାରେ ରୁଜୁ ଅନ୍ୟ ଏକ ମାମଲାରେ ଯୋବ୍ରାର ସଂଗ୍ରାମ ରାଉତରାୟ ଓ ସୁଶାନ୍ତ ଧଳସାମନ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଛି। ମଙ୍ଗଳାବାଗ ଥାନା ମାମଲାରେ ସୁଶାନ୍ତଙ୍କ ସହିତ ରାଣୀହାଟ ଅଞ୍ଚଳର ସୁଲେଖ ସାହୁ ଓରଫ ସୋଲାଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଛି। ସୋଲାଙ୍କ ଘରୁ ୩ଟି ବନ୍ଧୁକ ଓ ୧୧ ରାଉଣ୍ଡ ଗୁଳି ଜବତକୁ ନେଇ ରୁଜୁ ଏହି ମାମଲାର ତଦନ୍ତ କରି ମଙ୍ଗଳାବାଗ ଥାନା ପୁଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ଏହି ୩ଟି ମାମଲାରେ ସାକ୍ଷ୍ୟ ଗ୍ରହଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏହି ମାମଲା ଗୁଡିକର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୧ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ସୂଚନା ଦେଇଛନ୍ତି। ଧଳସାମନ୍ତଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର