ମମିତା ହତ୍ୟା ମାମଲା: ବଙ୍ଗୋମୁଣ୍ଡା କୋର୍ଟରେ ଚାର୍ଜସିଟ ଦାଖଲ

ବଲାଙ୍ଗୀର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା କେନୂଆଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି ବଲାଙ୍ଗୀର ପୁଲିସ । ଆସନ୍ତା ୧୫ ତାରିଖ ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟଚାଲାଣ କରିବାର ୧୨୦ ଦିନ ହୋଇଥାନ୍ତା । ଏହା ପୂର୍ବରୁ ପୁଲିସ ଚାର୍ଜସିଟ ଦାଖଲ କରିଛି । ବଙ୍ଗୋମୁଣ୍ଡା ଜେଏମଏଫସିରେ ଆଜି ଚାର୍ଜସିଟ ଦାଖଲ ହୋଇଛି । ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁରେ ଚାର୍ଜସିଟ କରାଯାଇଛି । ଚାର୍ଜସିଟରେ ପୁଲିସ କଣ ସବୁ ଉଲ୍ଲେଖ କରିଛି ତାହା ବର୍ତ୍ତମାନ ଜଣାପଡିନି ।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଅକ୍ଟୋବର ୮ ତାରିଖ ଦିନ ମମିତା ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହୋଇଥିଲା । ହତ୍ୟା ମାମଲାକୁ ୧୨୦ ଦିନ ପୁରିଥିଲେ ବି ପୁଲିସ ଚାର୍ଜସିଟ ଦାଖଲ କରିନଥିବାରୁ ପୁଣି ବିରୋଧି ଗର୍ଜିଥିଲେ । ଏପରିକି ପରିବାରବର୍ଗ ବି ଘଟଣାକୁ ନେଇ ପୁଣି ମୁହଁ ଖୋଲିଥିଲେ । ତେବେ ସମୟ ଭିତରେ ପୁଲିସ ଚାର୍ଜସିଟ ଦାଖଲ କରିବ ବୋଲି ବଲାଙ୍ଗୀର ଏସପି ସୂଚନା ଦେଇଥିଲେ । ଆଉ ସମୟ ପୂର୍ବରୁ ଆଜି ପୁଲିସ ଚାର୍ଜସିଟ ଦାଖଲ କରିଛି । ପୁଲିସ ଅକ୍ଟୋବର ୧୫ ତାରିଖ ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଥିଲା । ହେଲେ ଟିଟିଲାଗଡ ପୁଲିସ ବାରାକରୁ ଗୋବିନ୍ଦ ଫେରାର ମାରିଥିଲା । ପରେ ପୁଲିସ ୧୯ ତାରିଖ ଗୋବିନ୍ଦକୁ ଧରିବାରେ ସଫଳ ହୋଇଥିଲା । ଆଉ ୨୦ ତାରିଖ କୋର୍ଟଚାଲାଣ କରିଥିଲା । ସେହିପରି ଗୋବିନ୍ଦକୁ ହତ୍ୟା ସମୟରେ ସହାୟତା କରିଥିବା ତାର ଡ୍ରାଇଭର ରାଧେକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ଉଭୟ ଅଭିଯୁକ୍ତ ଏବେ କଣ୍ଟାବାଞ୍ଜି ଜେଲରେ ।

ସମ୍ବନ୍ଧିତ ଖବର