ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ

ଅଭିଯୁକ୍ତର ଦୋଷ ସ୍ବୀକାର ଭିଡିଓ ଦାଖଲ
ଲାଇ ଡିଟେକ୍ସନ ବିଶେଷଜ୍ଞଙ୍କ ଆଗରେ ଅପରାଧ ମାନିଥିଲା
ଅଭିଯୁକ୍ତ ଘରକୁ ପରୀ ଯିବା ଦେଖିଛନ୍ତି ପ୍ରତ୍ୟକ୍ଷଦର୍ଶୀ

ଭୁବନେଶ୍ବର/ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ଅମ୍ରିତା ସ୍ନେହା ସାହୁ ଓରଫ ପରୀ(୫) ହତ୍ୟା ମାମଲ‌ାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଗତ ସୋମବାର ରାତିରେ ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ତଦନ୍ତ ପାଇଁ ଗଠନ କରାଯାଇଥିବା ସ୍ପେସାଲ ଇନଭେଷ୍ଟିଗେସନ୍‌ ଟିମ୍‌(ଏସ୍‌ଆଇଟି) ୯ ପୃଷ୍ଠାର ଏହି ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ସାକ୍ଷୀଙ୍କ ତାଲିକା, ଜବତ ହୋଇଥିବା ସାମଗ୍ରୀ, ଅନ୍ୟାନ୍ୟ ପ୍ରମାଣପତ୍ର ଯୋଡ଼ା ଯାଇଛି। ଗିରଫ ନାବାଳକ ମୁଖ୍ୟ ଅଭିଯୁକ୍ତ ବୋଲି ଚାର୍ଜସିଟ୍‌‌ରେ ଉଲ୍ଲେଖ କରିଛି। ଅଭିଯୁକ୍ତ ବିରୋଧରେ ଆଇପିସି ଦଫା-୩୭୬(ଏ)(ଦୁଷ୍କର୍ମ ବେଳେ ଆଘାତପ୍ରାପ୍ତରୁ ମୃତ୍ୟୁ), ୩୭୬(ଏବି)(୧୨ବର୍ଷରୁ କମ୍ ବାଳିକାଙ୍କୁ ଦୁଷ୍କର୍ମ), ୩୬୪(ହତ୍ୟା ପାଇଁ ଅପହରଣ), ୩୬୩ (ଅପହରଣ), ୩୦୨(ହତ୍ୟା), ୨୦୧(ପ୍ରମାଣ ନଷ୍ଟ କରିବା) ଏବଂ ପୋକ୍‌‌ସୋ ଆଇନର ଧାରା-୬ (ନାବାଳିକାଙ୍କୁ ଦୁଷ୍କର୍ମ) ଅନୁସାରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ଚାର୍ଜସିଟ୍‌ରେ ଅଭିଯୁକ୍ତ ବିରୋଧରେ ଅନେକ ସାକ୍ଷ୍ୟ ପ୍ରମାଣ ଦାଖଲ କରିଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସା‌ରେ, ପରୀକୁ ଶେଷଥର ପାଇଁ ଅଭିଯୁକ୍ତ ଘରକୁ ଯିବା ସମୟରେ ଓ ଅଭିଯୁକ୍ତ ଏକ ଅଖା ଘରୁ ବାହାରକୁ ନେଉଥିବା ସମୟରେ ଦୁଇଜଣ ବ୍ୟକ୍ତି ଦେଖିଥିବା ବୟାନ ଦେଇଛନ୍ତି। ସିଆର୍‌ପିସି ଧାରା-୧୬୪ ଅନୁସାରେ, ଏହି ଦୁଇଜଣଙ୍କ ବୟାନ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ରେକର୍ଡ କରାଯାଇଛି। ଜେରା ସମୟରେ ଅଭିଯୁକ୍ତର ତଥ୍ୟକୁ ଆଧାର କରି ମୃତଦେହ ଭର୍ତ୍ତି କରି ଫିଙ୍ଗା ଯାଇଥିବା ଅଖା, ବନ୍ଧା ଯାଇଥିବା ଜିଆଇ ତାର, ପୋଖରୀରୁ ମିଳିଥିବା ପରୀର ଲେଗିଙ୍ଗ୍ ଓ ଅଭିଯୁକ୍ତ ଘରୁ ଜବତ ହୋଇଥିବା ଦୁଇଟି ଗାମୁଛାକୁ ପ୍ରମାଣ ସ୍ବରୂପ ଦାଖଲ କରାଯାଇଛି। ସେହିପରି ଲାଏ-ଡିଟେକ୍ସନ୍‌ ପୂର୍ବରୁ ବିଶେଷଜ୍ଞଙ୍କ ଆଗରେ ଦୋଷ ସ୍ବୀକାର କରିଥିବା ନେଇ ଭିଡିଓ ସହ ଅଡିଓ ରହିଛି। ପେନ୍‌ ଡ୍ରାଇଭରେ ଏହି ଭିଡିଓକୁ ପ୍ରମାଣସ୍ବରୂପ ଦାଖଲ କରିଛି ଏସ୍ଆଇଟି। ଏହାସହ ଲାଏ-ଡିଟେକ୍ସନ ସମୟରେ ଅଭିଯୁକ୍ତ ନାବାଳକ ଅନେକ ମିଛ କଥା କହୁଥିବାର ପ୍ରମାଣ ମଧ୍ୟ ଦାଖଲ କରାଯାଇଛି। ଅଭିଯୁକ୍ତର ମାନସିକ ସ୍ଥିତି ଜାଣିବା ଲାଗି କରାଯାଇଥିବା କାଉନସେଲିଂରୁ ସେ ରାତି ସାରା ମୋବାଇଲ‌ରେ ଅଶ୍ଳୀଳ ଭିଡିଓ ଦେଖିବା ପରେ ପୀଡ଼ିତା ନାବାଳିକାଙ୍କୁ ପ୍ରଥମେ ଦୁଷ୍କର୍ମ ଓ ହତ୍ୟା କରିଥିବା ସ୍ବୀକାର କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଜେରା ସମୟରେ ଅଭିଯୁକ୍ତ ହତ୍ୟା କରିଥିବା ନେଇ ଏକାଧିକଥର ସ୍ବୀକାର କରିଥିବା ଏସ୍‌ଆଇଟି ପ୍ରମାଣ ସହିତ କୋର୍ଟଙ୍କୁ ଜଣାଇଛି।

ସୂଚନାଯୋଗ୍ୟ ଯେ ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଅଶୋକ ସାହୁ ଓ ସୌଦାମିନୀଙ୍କ ଝିଅ ପରୀ ଗତବର୍ଷ ଜୁଲାଇ ୧୪ ତାରିଖ‌ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। ସେହି ମାସ ୨୩ତାରିଖରେ ଅଭିଯୁକ୍ତ ଏବଂ ପରୀ ବାଡ଼ିପାର୍ଶ୍ବରେ ଥିବା ଏକ ପୋଖରୀ କୂଳରୁ ଅଖାରେ ବନ୍ଧା ଅବସ୍ଥା‌ରେ ତା’ର ଦେହାବଶେଷ ଉଦ୍ଧାର କରାଯାଇଥିଲା। ଝିଅର ନିଖୋଜ ନେଇ ଅଶୋକ ପ୍ରଥମେ ସଦର ଥାନା‌‌ରେ ଏତଲା ଦେଇଥିଲେ। ଶବ ମିଳିବା ପରେ ଏହା ଏକ ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଥିଲା। ତେବେ ପୁଲିସ୍‌ ଆରମ୍ଭରୁ ଏହି ସମ୍ବେଦନଶୀଳ ମାମଲାର ତଦନ୍ତରେ ଅବହେଳା କରିଥିଲା। ବିଧାନସଭା ଆଗରେ ପରୀ ବାପା ଓ ମା’ ଆତ୍ମାହୁତି ଉଦ୍ୟମ କରିବା ପରେ ରାଜ୍ୟ ସରକାର ଏସ୍‌ଆଇଟି ଗଠନ କରିଥିଲେ। ନଭେମ୍ବର ୨୫ରେ ଏସ୍‌ଆଇଟି ମାମଲାର ତଦନ୍ତ ଆରମ୍ଭ କରିଥିଲା। ପରୀ ଫ୍ରକ୍‌ରୁ ସିମେନ୍‌ ଦାଗ ମିଳିବା ପରେ ଏଥିରେ ଜଣେ ପୁରୁଷର ସମ୍ପୃକ୍ତି ଥିବା ଓ ଦୁଷ୍କର୍ମ କରାଯାଇଥିବା ନେଇ ଏସ୍‌ଆଇଟି ସନ୍ଦେହ କରିଥିଲା। ଯଦୁପୁର ଗ୍ରାମରେ ଶତାଧିକ ଯୁବକଙ୍କ ରକ୍ତ ପରୀକ୍ଷା, ପଚରାଉଚରା ପରେ ସନ୍ଦେହଘେରକୁ ଆସିଥିଲା ଅଭିଯୁକ୍ତ ନାବାଳକ। ଅଭିଯୁକ୍ତ ନାବାଳକୁ ଡିସେମ୍ବର ୨୦ ତାରିଖରେ ଗିରଫ କରାଯାଇଥିଲା। ଲାଏ-ଡିଟେକ୍ସନ ପାଇଁ ଅଭିଯୁକ୍ତ ନାବାଳକ ରାଜି ନ ହେବା, ଏସ୍‌ଆଇଟି ଟଙ୍କା ଯାଚୁଥିବା ନେଇ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିବା ପରେ ସନ୍ଦେହ ପରିସରକୁ ଚାଲି ଆସିଥିଲା।

ସମ୍ବନ୍ଧିତ ଖବର