ବ୍ରହ୍ମପୁର : ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବୁଧବାର ବ୍ରହ୍ମପୁର ଏଡିଜେ-୩ ନିରଂଜନ ଜେନାଙ୍କ କୋର୍ଟରେ ହାଜର ହୋଇଥିଲେ। ତାଙ୍କ ନାମରେ ରୁଜୁ ହୋଇଥିବା ଦୁଇଟି ମାମଲାର ବିଚାରଣା ଆରମ୍ଭ ପାଇଁ ଚାର୍ଜଫ୍ରେମ୍ କରା ଯାଇଥିଲା। ଏହି ସମୟରେ ଅନ୍ୟ ୮ଜଣ ଅଭିଯୁକ୍ତ ମଧ୍ୟ କୋର୍ଟରେ ହାଜର ହୋଇଥିଲା।
ଗତ ୨୦୧୪ ଅକ୍ଟୋବର ୨୪ତାରିଖରେ ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡ଼ାରେ ଥିବା ଏକ ବିଦେଶୀ ମଦ ଦୋକାନ ମାଲିକ ସନ୍ତୋଷ ସାହୁଙ୍କୁ ଦାଦାବଟି ଦାବି କରି ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ବିଧାୟକ ରମେଶଙ୍କ ନାମ ଯୋଡ଼ିଥିଲା। ସେହିପରି ୨୦୧୪ ଅକ୍ଟୋବର ୨୫ତାରିଖରେ ସାନଖେମୁଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ ବିଶ୍ବାଳଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଏହି ସମୟରେ କିଛି ଲୋକ ସେଠାରେ ଆତଙ୍କରାଜ ସୃଷ୍ଟି କରିଥିଲେ। ଏହି ଘଟଣାରେ ମଧ୍ୟ ପୁଲିସ ବିଧାୟକ ରମେଶଙ୍କ ନାମ ଯୋଡ଼ିଥିଲା। ଏହି ଉଭୟ ମାମଲାରେ ଆଜି ଚାର୍ଜଫ୍ରେମ୍ ହୋଇଛି। ଏହି ସମୟରେ ବିଧାୟକ ରମେଶଙ୍କ ସମେତ ଅନ୍ୟତମ ଅଭିଯୁକ୍ତ କ୍ଷେତ୍ର ସାହୁ, ଶ୍ରୀକାନ୍ତ ମହାନ୍ତି, ଆନନ୍ଦ ପଣ୍ଡା, ରାମକୃଷ୍ଣ ପାଢ଼ୀ, ଦୀପକ ଚୌଧୁରୀ, ଭିକି ପାଢ଼ୀ, ଦିବାକର ପାଣିଗ୍ରାହୀ ଓ ଜଗନ୍ନାଥ ସାବତ ଉପସ୍ଥିତ ଥିଲେ। ଆସନ୍ତା ୫ତାରିଖରେ ଉଭୟ ମାମଲାର ସାକ୍ଷୀ ବିଚାରଣା ଆରମ୍ଭ ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ମୁଦାଲାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ବିଷୋୟୀ, ନିର୍ମଳ ସାହୁ ଓ ସରୋଜ ଗୌଡ଼ ମକଦ୍ଦମା ପରିଚାଳନା କରିଥିଲେ।
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର