ପଦ୍ମ ପୁରସ୍କାରଠୁ ଦୂରରେ ରଥ ଶିଳ୍ପୀ

ପୁରୀ : ଇଞ୍ଚ କି ଫୁଟ ମାପରେ ନୁହେଁ, ବରଂ ଆଙ୍ଗୁଳି ମାପରେ ନିର୍ମିତ ହୁଏ ରଥ। ଖାସ୍‌ ସେଇଥିପାଇଁ ଶ୍ରୀକ୍ଷେତ୍ରର ରଥ ସ୍ବତନ୍ତ୍ର। କେବଳ ଅଭିଜ୍ଞତା, କୌଶଳପୂର୍ଣ୍ଣ କଳା ଯୋଗୁ ହିଁ ଏହା ସାକାର ରୂପ ନିଏ। କାରିଗରମାନଙ୍କ ସୃଜନର ଫଳଶ୍ରୁତି ସ୍ବରୂପ ଏହି ରଥକୁ ଲୋକେ ଦେବତା ବୋଲି ପୂଜା କରନ୍ତି। କିନ୍ତୁ ଏ ସ୍ବତନ୍ତ୍ର କଳାର ଶିଳ୍ପୀମାନଙ୍କୁ ସରକାର ପୁରସ୍କାର ପାଇଁ ଯୋଗ୍ୟ ମଣନ୍ତି ନାହିଁ। ରଥ ନିର୍ମାଣ ବେଳେ ଢେର୍‌ ପ୍ରଶଂସା ମିଳେ, କିନ୍ତୁ ଆଜି ପର୍ଯ୍ୟନ୍ତ ଜଣେ ହେଲେ ଶିଳ୍ପୀଙ୍କୁ ପଦ୍ମ ପୁରସ୍କାରର ଅନ୍ତର୍ଭୁକ୍ତ କରିବା ତ ଦୂରର କଥା ‘ଲଳିତ କଳା ଏକାଡେମି’ର ସର୍ବୋଚ୍ଚ ପୁରସ୍କାର ଦେବାକୁ ବି କୌଣସି ସରକାର ଉଚିତ୍‌ ମଣିନାହାନ୍ତି। ମହାପ୍ରଭୁଙ୍କ ରଥ ନିର୍ମାଣ‌ ସେମାନଙ୍କ ପାଇଁ କୌଣସି ପୁରସ୍କାରଠୁ କମ୍‌ ନୁହେଁ। କିନ୍ତୁ ସ୍ବାଭିମାନୀ ଶିଳ୍ପୀଟିଏ ମୁହଁରେ ଏକଥା ସ୍ବୀକାର କରିନପାରେ, ମାତ୍ର ହୃଦୟରେ କେଉଁଠି ନା କେଉଁଠି ଏହି ସର୍ବୋଚ୍ଚ ବେସାମରିକ ପୁରସ୍କାରର ସ୍ବୀକୃତି ପାଇଁ ଇଚ୍ଛାଟିଏ ବସା ବାନ୍ଧିଥାଏ। ଅଥଚ ରଥ କାରିଗରଙ୍କୁ ପ୍ରଶଂସା କରିବା ବେଳେ ଗଦ୍‌ଗଦ୍‌ ହୋଇ ପଡ଼ୁଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କେବେ ବି ଶିଳ୍ପୀମାନଙ୍କ ନାଁ ପଦ୍ମ କିମ୍ବା ଅନ୍ୟ ପୁରସ୍କାର ପାଇଁ ସୁପାରିସ୍‌ କରିନାହାନ୍ତି।

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର କୁହନ୍ତି, ଅନ୍ୟ କଳାରେ ହୁଏତ ବିକଳ୍ପ କଳାକାର ବା ଶିଳ୍ପୀଙ୍କର ଅଭାବ ନାହିଁ। କିନ୍ତୁ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କେବଳ ବଂଶାନୁକ୍ରମିକ ସୂତ୍ରରେ ଦୀର୍ଘବର୍ଷ ଧରି କରି ଆସୁଥିବା ଶିଳ୍ପୀମାନଙ୍କ ଦ୍ବାରା ସମ୍ଭବ ହୁଏ। ଏହି କଳା ଅଭିଜ୍ଞତା, ନିଷ୍ଠା ଓ ଭକ୍ତି ଜଡ଼ିତ। ହାତ ଆଙ୍ଗୁଳି ମାପରେ କାମ କରାଯାଉଥିଲେ ହେଁ ଟିକେ ବି କେଉଁଠି ଏପଟ ସେପଟ ହୁଏ ନାହିଁ। ସ୍ବୀକାର୍ଯ୍ୟ ଯେ ଏଭଳି ରଥର ନିର୍ମାଣ କେବଳ ଭଗବାନଙ୍କ କୃପାରୁ ସମ୍ଭବ ହୋଇଥାଏ। ତେବେ ଯଦି ସବୁ ପ୍ରକାର କଳାରେ ଶିଳ୍ପୀମାନଙ୍କୁ ପଦ୍ମ ପୁରସ୍କାରରେ ସରକାର ଭୂଷିତ କରିପାରୁଛନ୍ତି, ରଥ କାରିଗରଙ୍କ କଥା ସରକାର କାହିଁକି ବିଚାରକୁ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି।

୯୦ ବର୍ଷୀୟ କୃଷ୍ଣ ମହାରଣାଙ୍କ ଭଳି ୭୦ ବର୍ଷର ଅଭିଜ୍ଞ ଶିଳ୍ପୀ ହୁଅନ୍ତୁ ଅବା ନୂଆନୂଆ କାମ ଶିଖୁଥିବା ଯୁବ କାରିଗର। ଅନେକ ସମର୍ପିତ ରଥ କାରିଗରଙ୍କ ହାତ ନିର୍ମିତ ରଥ ଦେଖି ଲକ୍ଷଲକ୍ଷ ଲୋକ ଚମତ୍କୃତ ହେଉଥିଲେ ବି ସେମାନଙ୍କ ନାଁ ବଡ଼ ପୁରସ୍କାର ପାଇଁ ସୁପାରିସ କରାଯାଇନାହିଁ। କେବେ କୌଣସି ସାଂସ୍କୃତିକ, କଳା ଓ ସାମାଜିକ ସଂଗଠନ ସେମାନଙ୍କ ପାଇଁ ଏହି ଦାବି ଉଠାଇନାହାନ୍ତି। ଏବେ ବି ରଥ ନିର୍ମାଣ କରିବାକୁ ଆସୁଥିବା ବେଳେ ରଥ କାରିଗରମାନେ ସେମାନଙ୍କ ପିଲାମାନଙ୍କୁ ସାଥିରେ ଆଣି ରଥ ନିର୍ମାଣ କୌଶଳ ଶିଖାଉନ୍ତି। ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛନ୍ତି। ସେମାନେ ଗର୍ବରେ କୁହନ୍ତି, ଆମେ ମହାପ୍ରଭୁଙ୍କ ରଥ ଗଢ଼ୁଛୁ। ହେଲେ କେହି ବି କହିପାରନ୍ତି ନାହିଁ ଯେ ତାଙ୍କ ଜେଜେ କି ବାପା ପଦ୍ମ ପୁରସ୍କାରପ୍ରାପ୍ତ ରଥ ଶିଳ୍ପୀ ବୋଲି।

ସମ୍ବନ୍ଧିତ ଖବର