ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା। ପରମ୍ପରା ଅନୁଯାୟୀ, ଏହିଦିନ ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି। ତିନିରଥ ପାଇଁ ତିନି କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଛି। ଆସନ୍ତାକାଲି ଅପରାହ୍ନ ପ୍ରାୟ ୪ଟାରେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ଶୋସ୍ତ୍ରୀୟ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ। ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯିବ। ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ତିନି ଅଜ୍ଞାମାଳ ବିଜେ ପରେ ଛାମୁଡ଼ିଆ ଭିତରେ ରହିଥିବା ତିନି ରଥକାଠରେ ଲାଗି ହେବ। ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନିଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନି ରଥ କାଠକୁ ଚୋଟ ମାରିବା ପରେ ବିଶ୍ୱକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହେବେ। ସେହି ଅନୁଯାୟୀ ଶାଢ଼ି ବନ୍ଧା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ।
ରଥ ସଂହିତା ଅନୁଯାୟୀ, ସରସ୍ୱତୀ ପୂଜାରେ ରଥକାଠ ଅନୁକୂଳ, ଶ୍ରୀରାମ ନବମୀରେ ରଥ କାଠ ଚିରଟ ଅନୁକୂଳ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ପରେ ରଥ ନିର୍ମାଣ କାମ ଆରମ୍ଭ ହେବ। ଭଉଁରୀରେ ଚକ ଡେରା କାମ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ। ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ଓ ସ୍ନାନପୂର୍ଣ୍ଣିମାରେ ରଥ ଚାରିନାହାକା ଉଠିବ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳେ ବନଯାଗ ବିଧିରେ ରଥ ପ୍ରତିଷ୍ଠା ପରେ ବଡ଼ଦାଣ୍ଡରେ ରଥ ଗଡ଼ିବ।