ନୃସିଂହ ଚତୁର୍ଦ୍ଦଶୀରେ କେବଳ ପରମ୍ପରା ରକ୍ଷା ପାଇଁ ଗୁଜ ଅନୁକୂଳ
ସେବାୟତ କୋଭିଡ୍ ସେଣ୍ଟର ଉପରେ ନଜର
ପୁରୀ : ବାତ୍ୟା 'ୟାସ'କୁ ନଜରରେ ରଖି ମଙ୍ଗଳବାର ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ କରି ଦିଆଯାଇଛି। ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ହେବାର ପରମ୍ପରା ରହିଥିବାବେଳେ ବାତ୍ୟାକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ରକ୍ଷା ପୂର୍ବକ କୋଣ ଗୁଜ ଅନୁକୂଳ ହେବ। ବାକି ସବୁ ନିର୍ମାଣ କାର୍ଯ୍ୟ ବାତିଲ୍ କରି ଦିଆଯାଇଛି। ସେପଟେ ରଥଖଳାର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଟିମ୍କୁ ମୁତୟନ କରାଯାଇଛି।
ସୋମବାର ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ବାତ୍ୟାକୁ ନଜର ରଖି ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରଥ ନିର୍ମାଣ ସହ ନୃସିଂହ ଚତୁର୍ଦ୍ଦଶୀ ନୀତିକାନ୍ତି, ଚନ୍ଦନଯାତ୍ରା ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି କି ବାତ୍ୟା ପାଇଁ ନୀଳାଚଳ ଭକ୍ତ ନିବାସରେ ଖୋଲିଥିବା କୋଭିଡ୍ କେୟାର ସେଣ୍ଟର୍ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୪ ଘଣ୍ଟିଆ ବିଜୁଳି ଯୋଗାଣ ସହ ୩/୪ ଦିନର ବ୍ୟାକ୍ଅପ୍ ପାଇଁ ଜେନେରେଟର୍ ବ୍ୟବସ୍ଥା କରାଯାଇଛି। ଅକ୍ସିଜେନ୍ ଯୋଗାଣ ଯେଭଳି ବାଧାପ୍ରାପ୍ତ ନ ହେବ ସେ ଉପରେ ଦୃଷ୍ଟି ଦିଆଯାଇଛି।
ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ପ୍ରତ୍ନତତ୍ତ୍ବ ବିଭାଗକୁ ଲୁହାର ଭାରା ଖୋଲିବା ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ବାହାରେ ଲାଗିଥିବା ଏଲ୍ଇଡି ସ୍କ୍ରିନ୍, ଫ୍ୟାନ୍ ଆଦି ତୁରନ୍ତ ଖୋଲିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇମାଷ୍ଟ ଲାଇଟ୍ଗୁଡ଼ିକ ତଳକୁ ଖସାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପରବର୍ତ୍ତୀ ତ୍ବରିତ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ସେସୁ ଓ ପୁରୀ ପୌରାଞ୍ଚଳ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଅନ୍ୟପଟେ ଆସନ୍ତାକାଲି ଶ୍ରୀମନ୍ଦିର ଭିତରେ ନୃସିଂହ ଚତୁର୍ଦ୍ଦଶୀ ନୀତିକାନ୍ତି ଯଥାରୀତି ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଚାଲିଥିବାରୁ ଏ ଦିଗରେ ଯଥାସମ୍ଭବ ସୁରକ୍ଷା ବ୍ୟବସ୍ଥା ଆପଣାଇବାକୁ ନିଷ୍ପତ୍ତି ହୋଇଛି।