ତ୍ୱରାନ୍ୱିତ ହେବ ରଥ ନିର୍ମାଣ: ୧୫୦ବିଶ୍ୱକର୍ମାଙ୍କର କୋଭିଡ୍ ଟେଷ୍ଟ୍ କରାଯିବ : ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର : ଗତ କାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରଥ ନିର୍ମାଣ ପାଇଁ ଅନୁମତି ଦିଆଯିବା ପରେ ଆଜିଠାରୁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଆଜିଠାରୁ ବଡ଼ ଦାଣ୍ଡରେ ଥିବା ରଥଖଳାରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ନିର୍ମାଣ ବେଳେ କେନ୍ଦ୍ର ସରକାରଙ୍କ ଲକଡାଉନ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ.କ୍ରିଷନ୍ କୁମାର କହିଛନ୍ତି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥ ନିର୍ମାଣ ଯେପରି ନିରାପଦରେ ହୋଇପାରିବ, ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁସାରେ ରଥ କାମରେ ନିୟୋଜିତ ପ୍ରାୟ ୧୫୦ ବିଶ୍ୱକର୍ମାଙ୍କର କୋଭିଡ୍ ଟେଷ୍ଟ ସହିତ  ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେମାନଙ୍କୁ ଭକ୍ତ ନିବାସରେ ରଖାଯାଇ ବସ ଯୋଗେ ରଥ ଖଳାକୁ ନିଆଯିବ । ସେମାନଙ୍କ ଖାଦ୍ୟପେୟ କଥା ମଧ୍ୟ ସରକାର ବୁଝିବେ । ପ୍ରାୟ ୨୦୦ ଫୁଟ ନିଷିଦ୍ଧାଞ୍ଚଳରେ ରଥ ନିର୍ମାଣ କାର୍ଯ୍ୟ ହେବ । ଉଭୟ ପକ୍ଷଙ୍କ ଆଲୋଚନା ପରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ଗତକାଲି ଗୃହ ମନ୍ତ୍ରାଳୟ କହିଥିଲା ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆବଶ୍ୟକ ସମସ୍ତ ଗାଇଡଲାଇନ ପାଳନ କରି ରଥ ନିର୍ମାଣ କରାଯାଇପାରିବ । ତେବେ ରଥଖଳାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଆହୁରି ମଧ୍ୟ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ । ସେତେବେଳର ସ୍ଥିତିକୁ ଦେଖି ରାଜ୍ୟ ସରକାର ରଥଯାତ୍ରା ନିଷ୍ପତ୍ତି ନେଇପାରିବେ ବୋଲି ମନ୍ତ୍ରାଳୟ ଜଣାଇଥିଲା ।

ସମ୍ବନ୍ଧିତ ଖବର