ପୁରୀ: ରଥ ନିର୍ମାଣ କାର୍ଯ୍ୟକୁ ଆଜି ୫୫ ଦିନ ପୂରିଥିବାବେଳେ ଏ ଭିତରେ ରଥଖଳାରେ କାମ ଶେଷ ପରେ ରଥ ଚାଳିକୁ ଭାଙ୍ଗି ଦିଆଯାଇଛି। କେବଳ ତିନି ରଥରେ ନିର୍ମାଣ ସରିଥିବା ବିଭିନ୍ନ ଅଂଶକୁ ସଂଯୋଗ କରାଯାଉଛି। ଆଜି ତିନି ରଥର ଠେକେରା ବାଡ଼ ସଂଯୋଗ କରାଯାଇଛି। ସେପଟେ ପ୍ରଭା ରଙ୍ଗ କାମକୁ ଶେଷ ସ୍ପର୍ଶ ଦିଆଯାଉଛି। ତିନି ରଥର ଚିତ୍ରକର ସେବକମାନେ ଏହି କାମକୁ ଶେଷ ସ୍ପର୍ଶ ଦେଉଛନ୍ତି। ବାକି ରଥ ରଙ୍ଗ କାମ ଜାରି ରହିଛି। ପାର୍ଶ୍ବ ଦେବଦେବୀ ରଙ୍ଗ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଦର୍ଜି ସେବକମାନେ ଆଜି ତିନି ରଥର କନା କାମ ଶେଷ କରିବା ପରେ ଆଜିଠାରୁ ଏହା ରଥରେ ଲାଗିବା ଆରମ୍ଭ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ତିନି ରଥର ଦୁଆର ବେଢ଼ାରେ କନା ଲାଗିବା ଆରମ୍ଭ ହୋଇଛି। ଆସନ୍ତାକାଲି ବାକି ଅଂଶରେ ରଥ କନା ଲାଗିବାର କାର୍ଯ୍ୟକ୍ରମ ରହିଛି।

ତିନି ରଥ ପାଇଁ ପ୍ରସ୍ତୁତ ହେଲା ବ୍ରେକ୍‌: ତାଳଚେରରୁ ଆସିଲା ନାଇଲନ ରବର

Advertisment

publive-image

ତିନି ରଥ ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବ୍ରେକ୍‌। ନାଇଲନ୍‌ କଟନ ରବର ଗ୍ରିପ୍‌ ଦେଇ ଏହି ବ୍ରେକ୍‌ ପ୍ରସ୍ତୁତ କରାଯାଇଛି। କାଠ ଉପରେ ଲାଗୁଥିବା ଏହି ରବର ଏଭଳି ଶୈଳୀରେ ପ୍ରସ୍ତୁତ କରାଯାଇଛି ଏହା ବିରାଟ ବିରାଟ ରଥକୁ ବି ଅଟକାଇବାର ସାମର୍ଥ୍ୟ ରଖିଛି। ଏ ସମ୍ପର୍କରେ ବ୍ରେକ୍‌ କାମ କରୁଥିବା ଇଂ. ପ୍ରଶାନ୍ତ ବେନିଆ କହିଛନ୍ତି, ଆଗରୁ ଏଭଳି ବ୍ରେକ ନ ଥିଲା। ଯେଉଁଥିପାଇଁ ରଥ ଚାଲିବା ସମୟରେ ଅଘଟଣ ଘଟୁଥିଲା। ପରେ ୨୦୦୮ ମସିହାରେ ପରୀକ୍ଷାମୂଳକ ଭାବେ ନାଇଲନ୍‌ କଟନ୍‌ର ଏଭଳି ରବର ଲଗାଯାଇଥିଲା। ଏହା ସଫଳ ଭାବେ କାମ ଦେବା ପରେ ପ୍ରତିବର୍ଷ ରଥର ବ୍ରେକ ପାଇଁ ଏହା ବ୍ୟବହାର କରାଯାଇ ଆସୁଛି। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ ଏହି ନାଇଲନ୍‌ କଟନ ରବର ଯୋଗାଇ ଦେଉଥିବା ବେଳେ ପ୍ରତିବର୍ଷ ତାଳଚେରରୁ ଏହା ଅଣାଯାଉଛି ବୋଲି ଶ୍ରୀ ବେନିଆ କହିଛନ୍ତି। ଏକ କାଠ ଉପରେ କଣ୍ଟା ବାଡ଼େଇ ଏହି ଗ୍ରିପ ସବୁ ଲଗାଯାଇଛି। ଯାହା ରଥ ଆଗରେ ଚେନ୍‌ରେ ଝୁଲି ରହିଥାଏ। ରଥ ଅଟକାବାକୁ ହେଲେ ଏହି ରବର ଲଗା ବ୍ରେକକୁ ଚକ ଆଗରେ ରଖି ଦିଆଯାଏ।